ଶାନ୍ତି ଦେବୀଙ୍କ ପରଲୋକ

Advertisment
ପଦ୍ମଶ୍ରୀ ଶାନ୍ତି ଦେବୀଙ୍କ ପରଲୋକ

ଗୁଣପୁର/ରାୟଗଡ଼ା : ଚିରନିଦ୍ରାରେ ବର୍ଷୀୟାନ ସମାଜସେବୀ ତଥା ଗାନ୍ଧୀବାଦୀ ନେତ୍ରୀ ଶାନ୍ତି ଦେବୀ। ରବିବାର ବିଳମ୍ବିତ ରାତିରେ ଗୁଣପୁର ସେବା ସମାଜ ପରିସରରେ ୮୮ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ଗତ ଦୁଇ ଦିନ ହେଲା ସେ ଜ୍ବରରେ ପୀଡ଼ିତ ଥିଲେ। ବିଳମ୍ବିତ ରାତିରେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ଚେତାଶୂନ୍ୟ ହୋଇ ଯାଇଥିଲେ।

ଗୁଣପୁର ଉପଖଣ୍ଡ ଚିକିତ୍ସାଳୟ ଅଧୀକ୍ଷକ ଡାକ୍ତର ରମେଶ ଚନ୍ଦ୍ର ସାହୁ ସେବା ସମାଜରେ ପହଞ୍ଚି ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିବା ପରେ ମୃତ୍ୟୁ ଘୋଷଣା କରିଥିଲେ। ବଂଶଧାରା ନଦୀତଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସୋମବାର ପୂର୍ବାହ୍ନରେ ଶାନ୍ତି ଦେବୀଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି।

ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସାରା ଦେଶରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଶାନ୍ତି ଦେବୀଙ୍କ ଅକାଳ ବିୟୋଗ ଖବର ପ୍ରଚାରିତ ହେବା ପରେ ସକାଳୁ ହିଁ ଲୋକାରଣ୍ୟ ହୋଇ ପଡ଼ିଥିଲା ସେବା ସମାଜ। ଅବିଭକ୍ତ କୋରାପୁଟ ସମେତ ଗଜପତି, ଗଞ୍ଜାମରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ସେବା ସମାଜ କର୍ମକର୍ତ୍ତା ଛୁଟି ଆସିଥିଲେ ଶାନ୍ତି ଦେବୀଙ୍କ ଶେଷ ଦର୍ଶନ ପାଇଁ। ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ଶେଷ ଦର୍ଶନ ଲାଗି ମରଶରୀର ସେବା ସମାଜ ପରିସରରେ ରଖାଯାଇଥିଲା। ଜିଲ୍ଲାପାଳ ସରୋଜ କୁମାର ମିଶ୍ର, ଏସ୍‌ପି ବିବେକାନନ୍ଦ ଶର୍ମା, ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି, ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧୀର ଦାଶଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶେଷ ଦର୍ଶନ କରିବା ପରେ ସାଢ଼େ ୧୧ଟା‌ରେ ଶେଷକୃତ୍ୟ ପାଇଁ ମରଶରୀରକୁ ବଂଶଧାରା ନଦୀତଟକୁ ନିଆଯାଇଥିଲା। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଜାତୀୟ ପତାକା ପ୍ରଦାନ ପରେ ପୁଲିସ୍ ପକ୍ଷରୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଥିଲା। ଶୋକାକୁଳ ପରିବେଶରେ ପୁଅ ସିଦ୍ଧାର୍ଥ ଦାଶ ମୁଖାଗ୍ନି ଦେଇଥିଲେ।

ଦୀର୍ଘ ୬୦ବର୍ଷ ଧରି ଊତ୍ସର୍ଗୀକୃତ ଜୀବନ
୧୯୩୪ ଏପ୍ରେଲ ୧୮ତାରିଖରେ ବାଲେଶ୍ବର ଜିଲ୍ଲା ଗୋପାଳଗାଁରେ ଜନ୍ମଗ୍ରହଣ କରିଥିଲେ ଶାନ୍ତି ଦେବୀ। ୧୯୫୧ ମସିହାରେ ସମାଜସେବୀ ଡ. ରତନ ଦାଶଙ୍କୁ ବିବାହ କରିଥିଲେ। ବିବାହର ୪ ମାସ ପରେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଦେଖା ଦେଇଥିବା ଅକାଳ ମରୁଡ଼ି ପ୍ରପୀଡ଼ିତଙ୍କୁ ରିଲିଫ୍‌ ଯୋଗାଇବା ପାଇଁ ସ୍ୱାମୀଙ୍କ ସହ ଆସି ପହଞ୍ଚିଥିଲେ ଗୁଣପୁରରେ। ଗୁଣପୁରରେ ସନ୍ଥ ବିନୋବା ଭାବେଙ୍କ ସହ ସାକ୍ଷାତ ପରେ ମାଳଭୂମି କୋରାପୁଟ ପାଲଟିଗଲା ଶାନ୍ତିଦେବୀଙ୍କ କର୍ମଭୂମି। ୧୯୫୨ରେ କୋରାପୁଟ ଏବଂ ପରେ ବଲାଙ୍ଗୀର, କଳାହାଣ୍ଡି, ସମ୍ବଲପୁରରେ ଅନୁଷ୍ଠିତ ଭୂଦାନ ଆନ୍ଦୋଳନରେ ସାମିଲ ହୋଇଥିଲେ। ରାୟଗଡ଼ା ଜିଲ୍ଲା ଗୋପାଳବାଡିରେ ମାଳତୀ ଦେବୀଙ୍କ ଦ୍ୱାରା ସ୍ଥାପିତ ଆଶ୍ରମରେ ରହି ଭୂଦାନ କର୍ମୀଙ୍କୁ ତାଲିମ ପ୍ରଦାନ କରିଥିଲେ। ଶଙ୍କଳପଦରରେ ଆଜୀବନ କାରାବରଣ କରିଥିବା ୪୦ ଆଦିବାସୀଙ୍କୁ ରାଜ୍ୟପାଳଙ୍କ ହସ୍ତକ୍ଷେପ ପରେ ମୁକ୍ତି ଦିଗରେ ଉଦ୍ୟମ କରିଥିଲେ। ୧୯୬୪ରେ ଆଦିବାସୀଙ୍କ ସହାୟତାରେ ପଦ୍ମପୁର ବ୍ଲକ୍‌ର ଜବରଗୁଡାରେ ସେବା ସମାଜ ଆରମ୍ଭ କରି ୧୩୧ ଅନାଥ ଝିଅ ଓ ଗରିବ ପିଲାଙ୍କୁ ନିଜ ପାଖରେ ରଖି ମା ଭଳି ଯତ୍ନ ନେଉଥିଲେ। ପରବର୍ତ୍ତୀ ସମୟରେ ଅନାଥ ପିଲାଙ୍କ ପାଇଁ ଜିଲ୍ଲାର ରାୟଗଡ଼ା, ଗୁଣପୁର ଓ ପଦ୍ମପୁର ବ୍ଲକ୍‌ର ଜବରଗୁଡା, ନୂଆପଡା ସହରରେ ଗଢ଼ି ତୋଳିଥିଲେ ସେବା ଆଶ୍ରମ। ଅନେକ ଅନାଥ ଝିଅଙ୍କୁ ନିଜେ ମା ହୋଇ ବିବାହ ମଧ୍ୟ କରିଛନ୍ତି। କିଛି ବର୍ଷ ତଳେ ସ୍ୱାମୀ ରତନ ଦାଶଙ୍କ ମୃତ୍ୟୁ ହୋଇଥିଲା। ସ୍ବାମୀଙ୍କ ମୃତ୍ୟୁରେ ଭାଙ୍ଗି ନପଡ଼ି ସମାଜସେବାରେ ନିଜକୁ ନିୟୋଜିତ ରଖିଥିଲେ ଶାନ୍ତି ଦେବୀ। ଦୀର୍ଘ ୬୦ ବର୍ଷର ସେବା କାର୍ଯ୍ୟ ପାଇଁ ଶାନ୍ତି ଦେବୀଙ୍କୁ ଜାତୀୟ, ଅନ୍ତର୍ଜାତୀୟ ସ୍ତରରେ ମିଳିଛି ଅନେକ ସମ୍ମାନ। ଗତବର୍ଷ ପଦ୍ମଶ୍ରୀ ଗ୍ରହଣ କରିଥିବା ବେଳେ ଯମୁନାଲାଲ ବଜାଜ୍ ପୁରସ୍କାର, ସାରଳା ସମ୍ମାନ, ହରିଶ୍ଚନ୍ଦ୍ର ବକ୍ସିପାତ୍ର ସମ୍ମାନ, ଫକୀର ମୋହନ ବିଶ୍ବବିଦ୍ୟାଳୟ ପକ୍ଷରୁ ସମାଜସେବୀ ସମ୍ମାନ, ସର୍ବୋଦୟ ସମ୍ମାନ, ଟାଇମସ୍ ଅଫ୍ ଇଣ୍ଡିଆ ପକ୍ଷରୁ ଜୀବନବ୍ୟାପୀ ସାଧନା ସମ୍ମାନ, ଓଡ଼ିଶା ମାନବାଧିକାର ସମ୍ମାନ, ନୀଳିମାରାଣୀ ସମାଜସେବା ସମ୍ମାନ ଲାଭ କରିଛନ୍ତି ଶାନ୍ତି ଦେବୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe