ରଣନୀତିର ଖୁଲାସା କଲେ ସପ୍ତଗିରି: ବାହିନୀପତିଙ୍କ ସହ କୌଣସି ଝଗଡ଼ା ନାହିଁ

Advertisment
ରଣନୀତିର ଖୁଲାସା କଲେ ସପ୍ତଗିରି: ବାହିନୀପତିଙ୍କ ସହ କୌଣସି ଝଗଡ଼ା ନାହିଁ

ରାୟଗଡ଼ା: ଗତ ନିର୍ବାଚନରେ ଆମକୁ ସମୟ ମିଳିନଥିଲା। ତେଣୁ ପ୍ରଦର୍ଶନ ଭଲ ହୋଇନଥିଲା। ଆଗାମୀ ନିର୍ବାଚନ ପାଇଁ ପର୍ଯ୍ୟାପ୍ତ ସମୟ ମିଳିଛି ବୋଲି କହିଛନ୍ତି କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା। ସୌଜନ୍ୟମୂଳକ ସାକ୍ଷାତକାରରେ ଅବିଭକ୍ତ କୋରାପୁଟ ଜିଲ୍ଲା ପାଇଁ ଦଳର ରଣନୀତି କ’ଣ ରହିଛି ତାହାର ସୂଚନା ମଧ୍ୟ ଦେଇଛନ୍ତି। ସପ୍ତଗିରିଙ୍କ କହିବା ହେଲା, ଏଥର ବଡ଼ ବୈଠକ ନ କରି ଗାଁ ତଥା ପଞ୍ଚାୟତସ୍ତରୀୟ ବୈଠକକୁ ଗୁରୁତ୍ବ ଦିଆଯିବ। ବୈଠକରେ ଲୋକଙ୍କ ମତ ସଂଗ୍ରହ କରି ତାହାର ତାଲିକା ପ୍ରସ୍ତୁତ ହେବ। କ୍ଷମତାକୁ ଆସିଲେ ସେହି ତାଲିକା ଆଧାରରେ ପ୍ରତିଶ୍ରୁତି ପୂରଣ ନିମନ୍ତେ ‌ଜନତାଙ୍କୁ ଭରସା ଦେବୁ। କୋରାପୁଟ ସଂସଦୀୟ କ୍ଷେତ୍ରରେ ୩୭୧ ପଞ୍ଚାୟତ ଏବଂ ପୌରାଞ୍ଚଳରେ ୧୨୮ ଵାର୍ଡ ରହିଛି। ସମସ୍ତ ପଞ୍ଚାୟତ ଏବଂ ୱାର୍ଡରେ ଲୋକଙ୍କ କଥା ଶୁଣିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ପ୍ରକ୍ରିୟା ଆରମ୍ଭ ହୋଇ ସାରିଲାଣି ଓ ଲୋକଙ୍କ ସମସ୍ୟାକୁ ବି ଲିପିବଦ୍ଧ କରୁଛୁ। କେନ୍ଦ୍ରୀୟ ନେତୃତ୍ବଙ୍କ ଆଦେଶ ଅନୁଯାୟୀ ଜନସଂପର୍କକୁ ଏମିତି ବୃଦ୍ଧି କରାଯାଉଛି।

ଲୋକେ ମଧ୍ୟ ଆମ କଥାକୁ ଧ୍ୟାନର ସହ ଶୁଣୁଛନ୍ତି। କାରଣ ଦୀର୍ଘ ବର୍ଷ ଧରି ବିଜେଡି କ୍ଷମତାରେ ରହିବା ସତ୍ତ୍ବେ ପାଣି, ରାସ୍ତା, ଶିକ୍ଷା ଏବଂ ସ୍ବାସ୍ଥ୍ୟସେବା ଭଳି ସୁବିଧାରୁ ଲୋକେ ବଞ୍ଚିତ। ଦୁର୍ନୀତି ରାଜ୍ୟରେ ସୀମା ଟପି ସାରିଲାଣି। ଜନଅସନ୍ତୋଷ ହିଁ ଆମ ବିଜୟର ବଡ଼ ଆୟୁଧ ହେବ। ତେବେ ବିଜେଡିର ଟଙ୍କା ବଳ ରହିଥିଲା ବେଳେ ଆମ ପାଖରେ ନାହିଁ। ପୁଣି ସରକାରୀ କର୍ମଚାରୀ ମଧ୍ୟ ବିଜେଡି ପାଇଁ କାମ କରୁଛନ୍ତି। ତଥାପି ଚାଲିଚାଲି ଲୋକଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରିବୁ, ଆମ ପରିଶ୍ରମକୁ ଲୋକେ ନିଶ୍ଚିତ ବୁଝିବେ ସପ୍ତଗିରି ପ୍ରକାଶ କରିଛନ୍ତି। ଅବିଭକ୍ତ କୋରାପୁଟରେ ବିଜେଡି ସହ ହିଁ ସିଧାସଳଖ ଟକ୍କର ହେବ। ଏଥିପାଇଁ ପ୍ରସ୍ତୁତ ଅଛୁ ଏବଂ ରଣନୀତି ବି ପ୍ରସ୍ତୁତ ରହିଛି। ଅବିଭକ୍ତ କୋରାପୁଟରେ ୧୪ରୁ ଅତିକମରେ ୧୨ ବିଧାନସଭା ଏବଂ ଦୁଇଟି ଯାକ ଲୋକସଭାରେ ଜିତିବୁ ବୋଲି ‌ସପ୍ତଗିରି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି। ଦଳ ଭିତରେ କନ୍ଦଳ କଥା ପଚାରିବାରୁ ତାରା ପ୍ରସାଦ ବାହିନୀପତିଙ୍କ ସହ ମତାନ୍ତର ନାହିଁ। ପୂର୍ବରୁ ମନୋମାଳିନ୍ୟ ରହିଥିଲା। କିନ୍ତୁ ଏବେ ଏକ ହୋଇ ଦଳ ପାଇଁ କାମ କରୁଛୁ। କେନ୍ଦ୍ରରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ଏବଂ ରାଜ୍ୟରେ କଂଗ୍ରେସ କ୍ଷମତାକୁ ଆସିବା ପାଇଁ ସଂକଳ୍ପ ନେଇଛୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe