ସାରହୁଲ ପୂଜାରେ କମ୍ପିଲା ରାଉରକେଲା

Advertisment
ସାରହୁଲ ପୂଜାରେ କମ୍ପିଲା ରାଉରକେଲା

ରାଉରକେଲା: ପ୍ରକୃତି ମାତାର ପୂଜା ସାରହୁଲ (ଖାଦୀ)। ଆଦିବାସୀ ସମ୍ପ୍ରଦାର ‌ଏହା ହେଉଛି ସବୁଠୁ ବଡ ପୂଜା ମହୋତ୍ସବ। କ୍ଷେତରୁ ଉତ୍ପାଦିତ ହେଉଥିବା ଫଳ, ଧାନ, ଫୁଲ ଆଦି ପୂଜା ଲାଗି କରାଯାଇଥାଏ। ବସନ୍ତ ଋତୁର ଆଗମନରେ ଆଦିବାସୀ ଏହି ପର୍ବକୁ ବେଶ୍‌ ଧୁମ୍‌ଧାମ୍‌ରେ ପାଳନ କରିଥାନ୍ତି। ଆଜି ଉଦିତନଗର ସାରନା ପୂଜାସ୍ଥଳରେ ସାରହୁଲ ପୂଜା ମହୋତ୍ସବ ବେଶ୍‌ ଆନନ୍ଦ ଉତ୍ସାହର ସହ ପାଳିତ ହୋଇଯାଇଛି। ମହୋତ୍ସବରେ କେବଳ ଓଡ଼ିଶାର ସୁନ୍ଦରଗଡ଼, ଦେବଗଡ, କେନ୍ଦୁଝର, ସମ୍ବଲପୁର, ଝାରସୁଗୁଡା ନୁହେଁ ବରଂ ପଡୋଶୀ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଛତିଶଗଡର ହଜାର ହଜାର ଶ୍ରଦ୍ଧାଳୁ ଏକାଠି ହୋଇଥିଲେ। ପାନପୋଷ ଗାନ୍ଧି ଛକ ଓ ବିର୍ସା ମୁଣ୍ଡା ଛକରୁ ଦୁଇଟି ଶୋଭାଯାତ୍ରା ବାହାରିଥିଲା। ମହିଳା ଶ୍ରଦ୍ଧାଳୁମାନେ ମୁଣ୍ଡରେ ଲୋଟା ଧରି ନାଚିବା ସମସ୍ତଙ୍କୁ ବେଶ୍‌ ଆକର୍ଷଣ କରିଥିଲା।

publive-image

ଏଥିସହ ଆଦିବାସୀଙ୍କ ପାରମ୍ପରିକ ଗୀତ ଓ ମାଦଳ ବାଜାର ଶବ୍ଦରେ ପ୍ରକମ୍ପିତ ହୋଇଥିଲା ସମଗ୍ର ସହର। ଶୋଭାଯାତ୍ରାରେ ସାମିଲ ଚାରି ରାଜ୍ୟର ହଜାର ହଜାର ଶ୍ରଦ୍ଧାଳୁ ସାରନା ପୂଜାସ୍ଥଳରେ ଏକାଠି ହୋଇଥିଲେ। ପ୍ରକୃତି ମା'ର ପୂଜା ସହିତ ନୂଆ ଫଳ, ଫୁଲ ଓ ନୂଆ ଧାନ ଭଗବାନଙ୍କୁ ଅର୍ପଣ କରିଥିଲେ। ପୂଜାଅର୍ଚ୍ଚନା ପରେ ସମୂହ ପ୍ରାର୍ଥନା କରାଯାଇଥିଲା। ପରେ ପରେ ଆଦବାସୀ ପୁରୁଷ ଓ ମହିଳା ଶ୍ରଦ୍ଧାଳୁମାନେ ପରସ୍ପର କାନରେ ଶାଳ ଫୁଲ ଲଗାଇ ଆଲିଙ୍ଗନ କରିଥିଲେ। କାର୍ଯ୍ୟକ୍ରମରେ ପୂର୍ବତନ ରାଜ୍ୟସଭା ସାଂସଦ ତଥା ରାଜଗାଙ୍ଗପୁର ବିଧାୟକ ମଙ୍ଗଳା କିସାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁନ୍ତି ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ର, ଡେପୁଟି କମିସନର ସୁଧାଂଶୁ ଭୋଇଙ୍କ ସମେତ ସହରର ବହୁ ରାଜନୈତିକ ଦଳର ନେତା ଓ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତାମାନେ ସାମିଲ ହୋଇ ପ୍ରକୃତି ମା’କୁ ପୂଜା କରିଥିଲେ। ମହୋତ୍ସବରେ ସାମିଲ ହୋଇ ଆଦିବାସୀଙ୍କ ନାଗ ଓ ଗୀତର ବେଶ୍‌ ମଜା ଉଠାଇଥିଲେ। ରାଜୀ ପାଡ୍‌ହା ସାରନା ପ୍ରାର୍ଥନା ସଭା ଓ ସାରନା ସମିତି ରାଉରକେଲା ପକ୍ଷରୁ ଆୟୋଜିତ ଏହି ମହୋତ୍ସବକୁ ପରିଚାଳନା କରିଥିଲେ ଧନେଶ୍ବର ତିର୍କୀ, ସୁଶୀଲ ଲାକ୍ରା, ବି. କେର୍କେଟା, ମୀନା ତିର୍କୀ, ଝରିଓ ତିର୍କୀ, ଡିଡି ତିର୍କୀ, ମଣିଲାଲ କେର୍କେଟା, ବିର୍‌ସି ବାଡା ପ୍ରମୁଖ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe