sarasa mela Photograph: (sambad.in)
ରାଉରକେଲା: ସେକ୍ଟର-୧୩ ମେଲଣ ପଡ଼ିଆରେ ଚାଲିଛି ସରସ ସ୍ବଦେଶୀ ମେଳା। ପୂର୍ବରୁ ସୁନ୍ଦରଗଡ଼ରେ ହେଉଥିଲା। ପ୍ରଥମ କରି ରାଉରକେଲା ସହରରେ ଆୟୋଜିତ ହେବା ସ୍ବାଗତଯୋଗ୍ୟ ପଦକ୍ଷେପ। ହେଲେ ମେଳାରେ ନାନାଦି ଅବ୍ୟବସ୍ଥା, ଷ୍ଟଲ୍ ବେପାରକୁ ନେଇ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଯେତିକି ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍ଜି) ଓ ରାଜ୍ୟ ବାହାରୁ ଅନ୍ୟାନ୍ୟ ସରକାରୀ ପଞ୍ଜିକୃତ ସଂସ୍ଥା ଆସିଛନ୍ତି, ତା’ଠୁ ଢ଼େର ଘରୋଇ ସଂସ୍ଥାକୁ ଷ୍ଟଲ୍ ଦିଆଯାଇଛି। ସରକାରୀ କାର୍ଯ୍ୟକ୍ରମରେ ମଧ୍ୟସ୍ଥତା ସାଜିଛନ୍ତି ତୃତୀୟ ସଂସ୍ଥା। ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କ ଉପରେ କୌଣସି ଅଙ୍କୁଶ ନଥିବାରୁ ମନଇଚ୍ଛା ଧାର୍ଯ୍ୟଠାରୁ ୧୦୦ରୁ ଅଧିକ ଷ୍ଟଲ ଖୋଲାଯାଇଛି। ଏସ୍ଏଚ୍ଜି ଓ ରାଜ୍ୟ ବାହାରୁ ଆସିଥିବା ସରକାରୀ ପଞ୍ଜିକୃତ ସଂସ୍ଥାକୁ ଷ୍ଟଲ ବାବଦରେ ଟଙ୍କାଟିଏ ନିଆଯାଇ ନାହିଁ। ହେଲେ ଅନ୍ୟ ବ୍ୟବସାୟୀଙ୍କଠୁ ଷ୍ଟଲ୍ ପିଛା ୨୦ରୁ ୨୫ ହଜାର ଟଙ୍କା ନିଆଯାଉଛି। ଓର୍ମାସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ୩୫୦ ଷ୍ଟଲ୍ ରହିବ ବୋଲି କୁହାଯାଇଥିଲା। ମେଳାରେ ପ୍ରାୟ ୪୬୧ରୁ ଅଧିକ ଷ୍ଟଲ୍ ଲଗାଯାଇଛି। ମେଳା ସମ୍ପର୍କରେ ପ୍ରଚାର ପ୍ରସାର ହେଉ ନଥିବାରୁ ବିକ୍ରିବଟା ଏତେଟା ହେଉ ନଥିବାରୁ ଚିନ୍ତାରେ ପଡିଛନ୍ତି ଜିଲା ଓ ରାଜ୍ୟ ବାହାରୁ ଆସିଥିବା ବ୍ୟବସାୟୀ। ଘରୋଇ ଷ୍ଟଲ୍ଗୁଡ଼ିକୁ ଭଲସ୍ଥାନରେ ଷ୍ଟଲ୍ ଦିଆଯାଇଥିବାବେଳେ ଏସ୍ଏଚ୍ଜି ଓ ରାଜ୍ୟ ବାହାରୁ ଆସିଥିବା ବ୍ୟବସାୟୀକୁ ବିଭିନ୍ନ କୋଣରେ ଦିଆଯାଇଛି।
ଆହୁରି ପଢନ୍ତୁ- Rajya Sabha Polls, Dilip Ray : ରାଜ୍ୟସଭାର ଚତୁର୍ଥ ଆସନ: ଦିଲୀପ ରାୟ ପ୍ରାର୍ଥୀ ହେବା ପରେ ରାଉରକେଲାରେ ରାଜନୀତି ସରଗରମ
ଜିଲ୍ଲା ବାହାରୁ ଆସିଥିବା ଏସ୍ଏଚ୍ଜି ଓ ଅନ୍ୟ ବ୍ୟବସାୟୀ ଦିନକୁ ୨ରୁ ୩ ହଜାର ଟଙ୍କା ବିକ୍ରି କରିବା କଷ୍ଟକର ହୋଇପଡୁଛି। କିଛି ଷ୍ଟଲ୍ର ବ୍ୟବସାୟୀ କହିଛନ୍ତି ଭୁବନନେଶ୍ବର ତୋଷଳି ମେଳାରେ ଯେତିକି ବେପାର କରିଥିଲୁ, ତା’ର ଏକତୃ୍ତୀୟାଂଶ ଏଠାରେ ହେଉନି। ଏଥିପ୍ରତି ଆୟୋଜକ ସଂସ୍ଥା ପକ୍ଷରୁ ଧ୍ୟାନ ଦିଆଯାଉନି। ଗାଡି ଠିକ୍ ସମୟରେ ମେଳା ପଡିଆରେ ପହଞ୍ଚୁ ନଥିବାରୁ ଷ୍ଟଲ୍ର ବ୍ୟବସାୟୀଙ୍କୁ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେବାକୁ ପଡୁଛି। ଏମିତି ମେଳାରେ ସୁରକ୍ଷା ବ୍ୟବସ୍ଥା ଯେମତି ରହିବା କଥା, ତା’ ନାହିଁ। କେବଳ ମେଳା ପରିସରସ୍ଥ କାର୍ଯ୍ୟାଳୟରେ ସିସି କ୍ୟାମେରା ବ୍ୟବସ୍ଥା ରହିଛି। ଅନ୍ୟ କେଉଁଠି ଲଗାଯାଇ ନଥିବାରୁ ଏଭଳି ସମସ୍ୟା ଉପୁଜିଛି ବୋଲି ବ୍ୟବସାୟୀମାନେ ଅଭିଯୋଗ କରିଛନ୍ତି। ସାମଗ୍ରୀ ବିକ୍ରି ନାହିଁ, ଏପଟେ ଷ୍ଟଲରୁ ସାମଗ୍ରୀ ଚୋରିକୁ ନେଇ ବ୍ୟବସାୟୀମାନେ ପ୍ରଶ୍ନ କରିଛନ୍ତି। ଏ ସଂକ୍ରାନ୍ତରେ ଓର୍ମାସର ଅଧିକାରୀ କେଶବ ଝାଙ୍କୁ ପଚାରିବାରୁ ସେ କହିଛନ୍ତି, ଏମିତି ହେବା କଥା ନୁହେଁ। ଯେଉଁ ସଂସ୍ଥା ସାମିଲ ହୋଇଛି, ସେମାନଙ୍କୁ ଏମିତି ନ କରିବାକୁ କୁହାଯିବ। ମେଳା ପରିଚାଳନା ଦାୟିତ୍ବରେ ଥିବା କର୍ମଚାରୀଙ୍କୁ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ କୁହାଯିବ।
ଆହୁରି ପଢନ୍ତୁ- Amit Shah: ଭୁବନେଶ୍ୱରରେ ପହଞ୍ଚିଲେ ଅମିତ ଶାହ, ଦିନିକିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ
Follow Us