ସାରସ୍ବତ ସଂଗଠକ ପୁରୁଷୋତ୍ତମ ପଟ୍ଟନାୟକଙ୍କ ପରଲୋକ

Advertisment
ସାରସ୍ବତ ସଂଗଠକ ପୁରୁଷୋତ୍ତମ ପଟ୍ଟନାୟକଙ୍କ ପରଲୋକ

କଟକ : ବିଶିଷ୍ଟ ସାରସ୍ବତ ସଂଗଠକ ପୁରୁଷୋତ୍ତମ ପଟ୍ଟନାୟକ (୭୮)ଙ୍କର ମଙ୍ଗଳବାର ବିଳମ୍ବିତ ରାତିରେ କଟକର ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି। ସେ କରୋନାରେ ଆକ୍ରାନ୍ତ ଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଥିଲା। ବୁଧବାର ସକାଳେ ସତୀଚୌରା ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି। ଶାଳକ ବଦ୍ରିକାନାଥ ଦାସ ମୁଖାଗ୍ନି ଦେଇଥିଲେ। ଚାନ୍ଦିନୀଚୌକ ଅଞ୍ଚଳର ବାସିନ୍ଦା ଶ୍ରୀ ପଟ୍ଟନାୟକଙ୍କ ପତ୍ନୀ ମୀନାକ୍ଷୀ ପଟ୍ଟନାୟକ, ଝିଅ ପ୍ରଜ୍ଞାପାରମିତା, ତନୁଶ୍ରୀ ଅନିନ୍ଦିତା, ପ୍ରୀତି ନିବେଦିତା, ଜ୍ବାଇଁ ଆଶିଷ, ଦେବାଶିଷ ଓ ସୌମ୍ୟକାନ୍ତ ଅଛନ୍ତି।

ଶ୍ରୀ ପଟ୍ଟନାୟକ ୧୯୪୩ ମସିହା ମାର୍ଚ ୨୪ରେ ଭୁବନେଶ୍ବର ନିକଟ ଯାଆଁଳାଠାରେ ଜନ୍ମଗ୍ରହଣ କରିଥିଲେ। ‘କଳିଙ୍ଗ ଭାରତୀ’ର ପ୍ରତିଷ୍ଠାତା କବି ବିଚ୍ଛଦ ଚରଣ ପଟ୍ଟନାୟକ ଓ ନେତ୍ରମଣି ଦେବୀଙ୍କର ସେ ଏକମାତ୍ର ପୁତ୍ର ତଥା ଜଣାଶୁଣା ଫଟୋ ସାମ୍ବାଦିକ ହୃଦୟନାଥ ଦାସଙ୍କ ଜ୍ବାଇଁ। ୧୯୬୫ରୁ ସେ ‘କଳିଙ୍ଗ ଭାରତୀ’ର ସଂପାଦକ ଭାବେ ଭଞ୍ଜ ଜୟନ୍ତୀ ଆୟୋଜନ କରିବା ସହ ଭଞ୍ଜ ସାହିତ୍ୟର ପ୍ରଚାରପ୍ରସାର ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲେ। ଆର୍‌ଏମ୍‌ଏସ୍ ଅଧିକାରୀ ଭାବେ ଅବସର ଗ୍ରହଣ କରିଥିବା ଶ୍ରୀ ପଟ୍ଟନାୟକ ଚାନ୍ଦିନୀଚୌକ ଜଗନ୍ନାଥ ମନ୍ଦିର ରଥଯାତ୍ରା ପରିଚାଳନା କମିଟି, ବନ୍ଧବାସେଳୀ କ୍ଲବ୍, ଉତ୍କଳ ସାହିତ୍ୟ ସମାଜ, ଭକ୍ତ ସା‌ଲବେଗ ମଞ୍ଚ ଭଳି ବହୁ ଅନୁଷ୍ଠାନ ସହିତ ସଂପୃକ୍ତ ଥିଲେ। ପୁରୁଷୋତ୍ତମ ପଟ୍ଟନାୟକଙ୍କ ବିୟୋଗରେ ଜଷ୍ଟିସ୍ ପ୍ରଦୀପ କୁମାର ମହାନ୍ତି, ମହାନଗର ପୂଜା କମିଟି ସାଧାରଣ ସଂପାଦକ ପ୍ରଭାତ ତ୍ରିପାଠୀ, ପ୍ରଫେସର ରଜତ କର, ପ୍ରଭାତ ନନ୍ଦ, ମହାନଗର ଶାନ୍ତି କମିଟି ସାଧାରଣ ସଂପାଦକ ଭିକାରି ଦାସ, କେନ୍ଦ୍ର ସାହିତ୍ୟ ଏକାଡେମୀ ଓଡ଼ିଆ ଉପେଦେଷ୍ଟା ମଣ୍ଡଳୀ ଆବାହକ ପ୍ରଫେସର ଡକ୍ଟର ବିଜୟାନନ୍ଦ ସିଂହ, ସାହିତ୍ୟିକ ଡକ୍ଟର ଗୋବିନ୍ଦ ଭୂୟାଁ, ଉତ୍କଳ ସାହିତ୍ୟ ସମାଜ ସଭାପତି ତରୁଣ କୁମାର ସାହୁ ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe