ପରଲୋକରେ ସରସ୍ବତୀ ପ୍ରଧାନ: ପଶ୍ଚିମ ଓଡ଼ିଶାର ପ୍ରଥମ ମହିଳା ମନ୍ତ୍ରୀ

ବିଜୁ ପଟ୍ଟନାୟକଙ୍କ ପ୍ରଥମ ପାଳି ସରକାରରେ ଥିଲେ ଶିକ୍ଷା ଉପମନ୍ତ୍ରୀ

ପରଲୋକରେ ସରସ୍ବତୀ ପ୍ରଧାନ: ପଶ୍ଚିମ ଓଡ଼ିଶାର ପ୍ରଥମ ମହିଳା ମନ୍ତ୍ରୀ

ଭୁବନେଶ୍ବର: ପଶ୍ଚିମ ଓଡ଼ିଶାର ପ୍ରଥମ ମହିଳା ମନ୍ତ୍ରୀ ସରସ୍ବତୀ ପ୍ରଧାନ(୯୮)ଙ୍କ ଆଜି ଦେହାନ୍ତ ହୋଇଯାଇଛି। କିଛି ଦିନ ପୂର୍ବରୁ ସେ ପଡ଼ିଯିବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବରସ୍ଥିତ ଏକ ନର୍ସିଂହୋମରେ ଭର୍ତ୍ତି କରାଯାଇଥିଲା। ଏଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ଦେହାନ୍ତ ହୋଇଛି। ସ୍ବର୍ଗତ ପ୍ରଧାନ ନିଜ ୪ ସନ୍ତାନ ରବି, ଚନ୍ଦ୍ରଲେଖା, ରଶ୍ମିରେଖା ଓ ଶାନ୍ତନୁଙ୍କ ସହିତ ବୋହୂ, ନାତି, ନାତୁଣୀଙ୍କୁ ଛାଡ଼ି ଯାଇଛନ୍ତି। ଓଡ଼ିଶାରେ ଯେତେବେଳେ କ୍ବଚିତ ମହିଳା ରାଜନୀତିକୁ ଆସୁଥିଲେ, ଉଚ୍ଚ ଶିକ୍ଷିତା ସରସ୍ବତୀ କଂଗ୍ରେସ ପ୍ରାର୍ଥୀ ଭାବେ ଅବିଭକ୍ତ ସମ୍ବଲପୁର ତଥା ବର୍ତ୍ତମାନର ବରଗଡ଼ ଜିଲ୍ଲା ଭଟଲି ନିର୍ବାଚନ ମଣ୍ଡଳୀରୁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ। ୧୯୬୧ରୁ ୧୯୬୭ ମସିହା ପର୍ଯ୍ୟନ୍ତ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟନାୟକ, ବିରେନ୍‌ ମିତ୍ର ଏବଂ ସଦାଶିବ ତ୍ରିପାଠୀଙ୍କ କାର୍ଯ୍ୟକାଳରେ ଶିକ୍ଷା ବିଭାଗର ଉପମନ୍ତ୍ରୀ ଦାୟିତ୍ବରେ ଥିଲେ। ବରଗଡ଼ ଜିଲ୍ଲା ଗୋଡ଼ଭଗା ନିକଟସ୍ଥ କେନ୍ଦୁପାଲି ଗାଁ’ର କୃଷି ଅଧିକାରୀ ମଦନ ମୋହନ ପ୍ରଧାନଙ୍କ ଦ୍ବିତୀୟ ଝିଅ ସରସ୍ବତୀ ୧୯୨୫ ମେ ୩୦ରେ ଜନ୍ମ ହୋଇଥିଲେ। କଟକ ରେଭେନ୍‌ସା କଲେଜରୁ ଉଚ୍ଚ ଶିକ୍ଷା ଲାଭ କରିଥିଲେ। ରେଭେନ୍‌ସା କଲେଜରେ ସ୍ନାତକ ପଢ଼ିବାବେଳେ କ୍ଲାସରେ ମାତ୍ର ୩ ଜଣ ଝିଅ ପଢ଼ୁଥିଲେ। ଏହା ପରେ ସେ ବିଏଡ୍‌ ସମାପ୍ତ କରି ବରଗଡ଼ ବାଳିକା ଏମ୍‌ଇ ସ୍କୁଲ, କମଗାଁ ହାଇସ୍କୁଲ ଓ ଜର୍ଜ ହାଇସ୍କୁଲରେ ଶିକ୍ଷୟିତ୍ରୀ ଭାବରେ କାର୍ଯ୍ୟ କରିଥିଲେ।

ବରଗଡ଼ ଜିଲ୍ଲା ଆଇନଜୀବୀ ଦୁର୍ଯ୍ୟୋଧନ ପ୍ରଧାନଙ୍କୁ ବିବାହ କରିଥିଲେ। କମଗାଁ ହାଇସ୍କୁଲରେ ଶିକ୍ଷକତା ବେଳେ ତତ୍‌କାଳୀନ କଂଗ୍ରେସ ନେତା ବିଜୁ ପଟ୍ଟନାୟକଙ୍କ ଆହ୍ବାନରେ ୧୯୬୧ ମସିହାରେ ଭଟଲି ନିର୍ବାଚନ ମଣ୍ଡଳୀରୁ ଲଢ଼ି ଲୋକପ୍ରିୟ କମ୍ୟୁନିଷ୍ଟ୍‌ ନେତା ନଟବର ବନଛୋରଙ୍କୁ ପରାଜିତ କରିଥିଲେ। ୧୯୬୭ ମସିହାରେ କଂଗ୍ରେସ ପ୍ରାର୍ଥୀ ଭାବେ ଭଟଲି ନିର୍ବାଚନ ମଣ୍ଡଳୀରୁ ପୁନର୍ବାର ନିର୍ବାଚିତ ହୋଇଥିଲେ। ବିଜୁ ପଟ୍ଟନାୟକଙ୍କ ଅନୁଗାମୀ ଭାବେ କଂଗ୍ରେସ ଛାଡ଼ି ଉତ୍କଳ କଂଗ୍ରେସରେ ଯୋଗ ଦେଇଥିଲେ। ୧୯୭୧ ମସିହାରେ ଉତ୍କଳ କଂଗ୍ରେସ ପ୍ରାର୍ଥୀ ଭାବେ ଲଢ଼ି ପରାଜିତ ହୋଇଥିଲେ। ପରବର୍ତ୍ତୀ ସମୟରେ ପୁନର୍ବାର କଂଗ୍ରେସରେ ସାମିଲ ହୋଇ ୧୯୭୨ରୁ ୧୯୭୮ ମଧ୍ୟରେ ରାଜ୍ୟସଭା ସାଂସଦ ଏବଂ ପରେ ସମାଜ କଲ୍ୟାଣ ବୋର୍ଡ ଅଧ୍ୟକ୍ଷା ହୋଇଥିଲେ। ପଶ୍ଚିମ ଓଡ଼ିଶାରେ କଂଗ୍ରେସ ଦଳକୁ ସୁଦୃଢ଼ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଥିଲେ। ରାଜନୀତିରେ ଅଧିକରୁ ଅଧିକ ମହିଳା ସାମିଲ ହେବାକୁ ପ୍ରୋତ୍ସାହିତ କରୁଥିଲେ। ସ୍ବାଧୀନତା ପରେ କ୍ଷମତା ରାଜନୀତିରେ ଯେଉଁ ସୀମିତ ସଂଖ୍ୟକ ମହିଳା ସକ୍ରିୟ ଥିଲେ ସେମାନଙ୍କ ମଧ୍ୟରୁ ଅନ୍ୟତମ ଥିଲେ ସରସ୍ବତୀ। ସରସ୍ବତୀ ନିଜ ଜୀବନର ଶେଷ ସମୟରେ ବଡ଼ ପୁଅ ରବି ପ୍ରଧାନଙ୍କ ସହିତ ଭୁବନେଶ୍ବର ବିଜେବି ନଗର କଲୋନିସ୍ଥିତ ବାସଭବନରେ ରହୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe