ପଞ୍ଚଭୂତରେ ଲୀନ ହେଲେ ସରୋଜ ପଟ୍ଟନାୟକ: ଶେଷ ସମ୍ମାନ ଟିକକ ଦେବାକୁ ଭୁଲିଗଲେ ସରକାର

Advertisment

ଉତ୍ତମ ମହାନ୍ତିଙ୍କଠୁ ପ୍ରଣବ ପଟ୍ଟନାୟକଙ୍କ ଯାଏ ସମସ୍ତଙ୍କ ଆଖି ଛଳଛଳ

ଉତ୍ତମ ମହାନ୍ତିଙ୍କଠୁ ପ୍ରଣବ ପଟ୍ଟନାୟକଙ୍କ ଯାଏ ସମସ୍ତଙ୍କ ଆଖି ଛଳଛଳ

ପଞ୍ଚଭୂତରେ ଲୀନ ହେଲେ ସରୋଜ ପଟ୍ଟନାୟକ: ଶେଷ ସମ୍ମାନ ଟିକକ ଦେବାକୁ ଭୁଲିଗଲେ ସରକାର

ବାରିପଦା : ଜୀବନ ରଙ୍ଗମଞ୍ଚରେ ଅଭିନୟ ସାରି ବାହୁଡ଼ି ଯାଇଛନ୍ତି ଓଡ଼ିଶାର ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ତଥା ସ୍ବର ସଂଯୋଜକ ଇଂ. ସରୋଜ ପଟ୍ଟନାୟକ। ତାଙ୍କର ମରଶରୀର ପଞ୍ଚଭୂତରେ ଲୀନ ହୋଇଥିବାବେଳେ ଶେଷ ସମ୍ମାନ ଦେବାକୁ ସରକାର ଭୁଲି ଯାଇଛନ୍ତି। ଯାହାକି, ମୟୂରଭଞ୍ଜବାସୀଙ୍କୁ ବ୍ୟଥିତ କରିଛି।

ଗତକାଲି ସନ୍ଧ୍ୟାରେ ୮୧ ବର୍ଷ ବୟସରେ ବାରିପଦାସ୍ଥିତ ବାସଭବନରେ ପ୍ରାଣ ହରାଇଥିଲେ ଏହି ବର୍ଷୀୟାନ କଳାକାର। ୭୦/୮୦ ଦଶକରେ ସରୋଜଙ୍କ ସ୍ବର ସଂଯୋଜନାରେ ପ୍ରସ୍ତୁତ ହୋଇଥିବା ଏକାଧିକ ସୁମଧୁର ଓଡ଼ିଆ ଚଳଚ୍ଚିତ୍ରର ଗୀତକୁ ଆଜି ବି ଲୋକେ ଗୁଣୁଗୁଣେଇ ଥାଆନ୍ତି।

publive-image

ଶଦ୍ଦ ଓ ପଦର ଅପୂର୍ବ ଯତିପାତ ସାଙ୍ଗକୁ ମନକୁ ଛୁଇଁଲା ଭଳି ସେ ଏଭଳି ସ୍ବର ତିଆରି କରୁଥିଲେ, ଯେଉଁଥିରୁ ସଙ୍ଗୀତର ମାଧୁର୍ଯ୍ୟ ଝରିପଡ଼ୁଥିଲା। କହିବାକୁ ଗଲେ ଓଡ଼ିଆ ସଙ୍ଗୀତ ଜଗତର ସେ ଥିଲେ ମଉଡ଼ମଣି। ମୟୂରଭଞ୍ଜ ମାଟିର ଏହି ପ୍ରତିଭାବାନ କଳାକାରଙ୍କ ଶେଷଦର୍ଶନ ପାଇଁ ଗତକାଲି ରାତିରୁ ଆଜି ମଧ୍ୟାହ୍ନ ପର୍ଯ୍ୟନ୍ତ ବାସଭବନକୁ ଛୁଟିଥିଲେ ବହୁ ବିଶିଷ୍ଟ ବ୍ୟକ୍ତି। ବାରିପଦା ବିଧାୟକ ପ୍ରକାଶ ସୋରେନ୍‌, ସଂଗ୍ରାମ କେଶରୀ ମହାନ୍ତି, ଅନୀଲ ପଟ୍ଟନାୟକ, ଶାନ୍ତନୁ ସିଂହ, ସମାଜସେବୀ ଜିତେନ୍ଦ୍ର ମହାନ୍ତି, ବୁଲୁ ପଟ୍ଟନାୟକଙ୍କ ସମେତ କଳା ଜଗତ ସହିତ ଜଡ଼ିତ ଅନେକ ବ୍ୟକ୍ତିବିଶେଷ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପ୍ରଖ୍ୟାତ ଅଭିନେତା ଉତ୍ତମ ମହାନ୍ତି, କଣ୍ଠଶିଳ୍ପୀ ଦେବାଶିଷ ମହାପାତ୍ର ଓ ପ୍ରଣବ ପଟ୍ଟନାୟକ ମଧ୍ୟ ଫୋନ୍ ଯୋଗେ ପରିବାରବର୍ଗଙ୍କୁ ଜଣାଇଥିଲେ ସମବେଦନା। ଆଜି ଅପରାହ୍ନରେ ବାରିପଦା ବାରୁଣୀଘାଟ ଶ୍ମଶାନରେ ପ୍ରିୟପରିଜନଙ୍କ ଉପସ୍ଥିତିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ବଡ଼ପୁଅ ରାଜେଶ ପଟ୍ଟନାୟକ ମୁଖାଗ୍ନି ଦେଇଥିବା ବେଳେ ପାଖରେ ଥିଲେ ସାନପୁଅ ଚିକୁ ପଟ୍ଟନାୟକ।

ତେବେ ଓଡ଼ିଆ ସଙ୍ଗୀତ ଜଗତର ଏହି ଅମ୍ଳାନ ତାରକାଙ୍କୁ ଶେଷ ସମ୍ମାନ ଟିକକ ଦେବାକୁ ଭୁଲିଗଲେ ସରକାର। ମୟୂରଭଞ୍ଜର ଭୂମିପୁତ୍ର ଆଖ୍ୟା ପାଇଥିବା ଏହି କଳାକାରଙ୍କୁ ଜିଲ୍ଲା ପ୍ରଶାସନ ବି ଭୁଲିଗଲା। ରାଷ୍ଟ୍ରୀୟ ମର୍ଯ୍ୟାଦା ତ ଦୂର କଥା, ଶେଷକୃତ୍ୟ ସମୟରେ ସରକାରଙ୍କ ପକ୍ଷରୁ କେହି ରାଜନେତା, ମନ୍ତ୍ରୀ କିମ୍ବା କୌଣସି ଅଧିକାରୀଙ୍କ ଦେଖାନଥିଲା। ୩ ଦିନ ତଳେ ଏହି ମୟୂରଭଞ୍ଜ ମାଟିର ଅନ୍ୟତମ ନାୟକ ମିହିର ଦାସଙ୍କୁ କଟକର ସତୀଚୌରା ଶ୍ମଶାନରେ ଗାର୍ଡ ଅଫ୍‌ ଅନର୍‌ ସହ ବିଦାୟ ଦିଆଯାଇଥିଲା। ଅଭିନୟ କ୍ଷେତ୍ରରେ ମିହିର ଯେମିତି ଦର୍ଶକଙ୍କ ଶ୍ରଦ୍ଧା ଓ ସମ୍ମାନ ପାଇଥିଲେ, ସଙ୍ଗୀତ କ୍ଷେତ୍ରରେ ସରୋଜ ବି ସେମିତି ଅଗଣିତ ଶ୍ରୋତାଙ୍କ ହୃଦୟରେ ରାଜ୍‌ କରିଥିଲେ। ହେଲେ ତାଙ୍କୁ ସରକାର ଓ ସଂସ୍କୃତି ବିଭାଗ ସମ୍ପୂର୍ଣ୍ଣ ଭୁଲିଯିବା‌ ମୟୂରଭଞ୍ଜବାସୀଙ୍କୁ ବ୍ୟଥିତ କରିଛି। ଏହାକୁ ‌ନେଇ ବାରିପଦା ବିଧାୟକ ପ୍ରକାଶ ସୋରେନ ମଧ୍ୟ କ୍ଷୋଭ ପ୍ରକାଶ କରିଛନ୍ତି। ରେଡିଓ, ଦୂରଦର୍ଶନ, ମଞ୍ଚ ନାଟକ ଓ ଚଳଚ୍ଚିତ୍ର, ସବୁଥିରେ ଆଶାତୀତ ସଫଳତା ପାଇଥିଲେ ସରୋଜ। ତାଙ୍କରି ନିର୍ଦ୍ଦେଶନା‌ ଓ ସ୍ବର ସଂଯୋଜନାରେ କିଂବଦନ୍ତି ଗାୟକ ଅକ୍ଷୟ ମହାନ୍ତି ଗାଇଥିଲେ ଅନେକ ହୃଦୟସ୍ପର୍ଶୀ ଗୀତ। ଦୁଇଥର ରାଜ୍ୟ ସରକାରଙ୍କ ପାଖରୁ ପୁରସ୍କୃତ ହେବା ସହ ଜୀବଦଶାରେ ଅନେକ ସମ୍ବର୍ଦ୍ଧନା ଓ ସମ୍ମାନ ପାଇଥିଲେ। ହେଲେ ଦେହାନ୍ତ ପରେ ତାଙ୍କ ସ୍ବୀକୃତିକୁ ସମ୍ମାନ ଦେବାରେ ସରକାର କାହିଁକି ଏମିତି କାର୍ପଣ୍ୟତା ପ୍ରକାଶ କଲେ, ତାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଅଗଣିତ କଳାପ୍ରେମୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe