ପ୍ରବାସୀ ଓଡ଼ିଆ ଆସିବା ପୂର୍ବରୁ ସରକାର ସତର୍କ : ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା, ସରପଞ୍ଚଙ୍କ କଥା ନ ଶୁଣିଲେ ଦଣ୍ଡ

Advertisment

ପଞ୍ଚାୟତରେ ରେଜିଷ୍ଟ୍ରେସନ୍ କରିବାକୁ ବାଧ୍ୟ

ପଞ୍ଚାୟତରେ ରେଜିଷ୍ଟ୍ରେସନ୍ କରିବାକୁ ବାଧ୍ୟ

ପ୍ରବାସୀ ଓଡ଼ିଆ ଆସିବା ପୂର୍ବରୁ ସରକାର ସତର୍କ : ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା, ସରପଞ୍ଚଙ୍କ କଥା ନ ଶୁଣିଲେ ଦଣ୍ଡ

୧୪ ଦିନ ପାଇଁ କ୍ବାରାଣ୍ଟିନ୍‌ରେ ରହିବେ
୨୦୦୦ ଟଙ୍କାର ପ୍ରୋତ୍ସାହନ ରାଶି ମିଳିବ
ଖାଇବା, ପିଇବା ଓ ଚିକିତ୍ସା ସବୁ ମାଗଣା

ଭୁବନେଶ୍ବର : ଆସନ୍ତା ମେ’ ୩ ପରେ ଲକ୍ଷ ଲକ୍ଷ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ସମେତ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ବ୍ୟକ୍ତିମାନେ ଫେରିବେ। କରୋନା ପରିପ୍ରେକ୍ଷୀରେ ଏମାନେ ବିପଦ ସୃଷ୍ଟି କରିବା ସମ୍ଭାବନାକୁ ଏଡ଼ାଇ ଦେଇ ହେବନାହିଁ। ଏଣୁ ଘନେଇ ଆସୁଥିବା ଏଭଳି ଏକ ସଙ୍କଟକୁ ଲକ୍ଷ୍ୟ ରଖି ରାଜ୍ୟ ସରକାର ଆଗୁଆ ଏକ ବଡ଼ ପଦକ୍ଷେପ ଘୋଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଏକ ଭିଡ଼ିଓ ବାର୍ତ୍ତା ଜାରି କରି ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିଛନ୍ତି। ଏଥିପାଇଁ ସରକାର କୋଭିଡ-୧୯ ଆଧାରରେ ଆବଶ୍ୟକ ଆଇନଗତ ପଦକ୍ଷେପ ମଧ୍ୟ ନେଉଛନ୍ତି। ପରୋକ୍ଷରେ ସରକାର ଅନ୍ୟ ରାଜ୍ୟରୁ ଆସୁଥିବା ବ୍ୟକ୍ତିବିଶେଷ କିଭଳି ନିଶ୍ଚିତ ୧୪ଦିନ କ୍ବାରାଣ୍ଟିନ୍‌ରେ ରହିବେ, ସେ ନେଇ ସରପଞ୍ଚଙ୍କୁ ଉତ୍ତରଦାୟୀ କରିଛନ୍ତି। ଏହା ବି କୁହାଯାଇଛି ଯେ ଫେରିଥିବା ପ୍ରତି ବ୍ୟକ୍ତିଙ୍କୁ କ୍ବାରାଣ୍ଟିନ ସମୟସୀମା ପରେ ୨ହଜାର ଟଙ୍କା ପ୍ରୋତ୍ସାହନ ରାଶି ଭାବେ ପ୍ରଦାନ କରାଯିବ।

ଓଡ଼ିଶାରେ କରୋନାର ବେଗ ମନ୍ଥର ସତ୍ତ୍ବେ ସରକାର କୌଣସି ରିସ୍କ ନେବାକୁ ଚାହୁଁନାହାନ୍ତି। କାଳେ ଅନ୍ୟ ରାଜ୍ୟରୁ ସଂକ୍ରମଣ ଆସି ତୃଣମୂଳସ୍ତରକୁ ବ୍ୟାପିବ ସେଥିଲାଗି ଆଜି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାରେ ଅନ୍ୟ ରାଜ୍ୟର ପ୍ରାୟ ଏକ ଲକ୍ଷରୁ ଅଧିକ ଲୋକ ଅଛନ୍ତି। ରାଜ୍ୟ ସରକାର ସେମାନଙ୍କର ଯତ୍ନ ନେଉଛନ୍ତି। ସେହିପରି ଅନ୍ୟ ରାଜ୍ୟରେ ମଧ୍ୟ ଓଡ଼ିଶାର ଲକ୍ଷ ଲକ୍ଷ ଲୋକ ଅଟକିଛନ୍ତି। ତୀର୍ଥ ପାଇଁ ଯାଇଥିବା ବ୍ୟକ୍ତିବିଶେଷଙ୍କ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ, ବୃତ୍ତିଗତ ପେଶାଧାରୀ, ଶ୍ରମିକ ଓ ରୋଗୀ ଅନ୍ୟ ରାଜ୍ୟରେ ଅଟକି ରହିଛନ୍ତି। ସେମାନଙ୍କ ଅବସ୍ଥା ତାଙ୍କୁ ବ୍ୟକ୍ତିଗତ ଭାବେ ଦୁଃଖ ଦେଇଛି। ଓଡ଼ିଶା ସରକାର ଓ ସଂପୃକ୍ତ ରାଜ୍ୟ ସରକାରଙ୍କ ଉଦ୍ୟମ ସତ୍ତ୍ବେ ଏପର୍ଯ୍ୟନ୍ତ ସେମାନଙ୍କ ଜୀବନ ସ୍ବାଭାବିକ ହୋଇପାରିନାହିଁ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ଯେତେବେଳେ କଟକଣା ଉଠିଯିବ, ସେତେବେଳେ କେନ୍ଦ୍ର ସରକାର ଓ ଅନ୍ୟ ରାଜ୍ୟ ସରକାରଙ୍କ ସହିତ ପ୍ରବାସୀ ଶ୍ରମିକଙ୍କ ସଂପର୍କରେ ସେ ଆଲୋଚନା କରିବେ। ଆମ ଲୋକ ଯେମିତି ସୁବିଧାରେ ଫେରିବେ, ସେ ବ୍ୟବସ୍ଥା ସରକାର କରିବେ। ଏଥିପାଇଁ ବୈଷୟିକ କୌଶଳର ସୁଯୋଗ ସରକାର ନେବେ। ହେଲେ ଏକଥା ସତ ଯେ ଏହି ସମସ୍ୟାଟି ବହୁତ ବଡ଼। ତେଣୁ ବିକେନ୍ଦ୍ରୀକରଣ ବ୍ୟବସ୍ଥାରେ ଏହାର ମୁକାବିଲା କରାଯିବ। ମାନବିକତା ଦୃଷ୍ଟିରୁ ନିଷ୍ପତ୍ତି ନେବାକୁ ହେବ। ଏଥିପାଇଁ ପାଇଁ ଗୋଷ୍ଠୀ ସହଯୋଗ, ବିଶେଷକରି ଗ୍ରାମପଞ୍ଚାୟତ ଓ ପୌରାଞ୍ଚଳ ପ୍ରତିନିଧିଙ୍କ ସହଯୋଗ ଦରକାର।

ନବୀନ କହିଛନ୍ତି ଯେ ପ୍ରତି ପଞ୍ଚାୟତରେ ପଞ୍ଜୀକରଣ ବ୍ୟବସ୍ଥା ରହିବ। ଅନ୍ୟ ରାଜ୍ୟରୁ ଗାଁକୁ ଫେରୁଥିବା ଲୋକ ସେଠାରେ ପଞ୍ଜୀକରଣ କରିବାକୁ ବାଧ୍ୟ। ସେମାନଙ୍କ ପରିବାର ଓ ବନ୍ଧୁମାନେ ବି ସେଠାରେ ପଞ୍ଜୀକରଣ କରିବେ। ସେମାନଙ୍କୁ ସେମାନଙ୍କ ପଞ୍ଚାୟତରେ ୧୪ ଦିନ ପାଇଁ କ୍ବାରାଣ୍ଟିନ୍‌ରେ ରଖାଯିବ। ସେମାନଙ୍କର ଖାଇବା, ପିଇବା ଓ ଚିକିତ୍ସା ସବୁ ମାଗଣାରେ ଯୋଗାଇ ଦିଆଯିବ। ଏହି ସମୟସୀମା ପରେ ସରକାର ଘୋଷଣା ଅନୁସାରେ ପ୍ରୋତ୍ସାହନରାଶି ପ୍ରଦାନ କରିବେ। ଅନ୍ୟ ରାଜ୍ୟରୁ ଫେରୁଥିବା ଲୋକଙ୍କ ପଞ୍ଜୀକରଣ ଓ କ୍ବାରାଣ୍ଟିନ୍‌ ସେମାନଙ୍କର ତଥା ତାଙ୍କ ପରିବାର, ସମାଜ ଓ ବିଶେଷକରି ରାଜ୍ୟର ମଙ୍ଗଳ ପାଇଁ ବହୁତ ଗୁରୁତ୍ବପୂର୍ଣ୍ଣ। ଏହି କାର୍ଯ୍ୟକୁ ମାନବୀୟ ଦୃଷ୍ଟିରୁ ଗ୍ରହଣ କରି ଠିକ୍ ଭାବେ କାର୍ଯ୍ୟକାରୀ କରିବାର ଆବଶ୍ୟକତା ରହିଛି।

ଅସାଧାରଣ ପରିସ୍ଥିତି, ଅସାଧାରଣ ସମାଧାନ ଆବଶ୍ୟକ କରେ। ପଞ୍ଚାୟତ ଓ ପୌର ପ୍ରତିନିଧିଙ୍କ ସଶକ୍ତୀକରଣ ଦ୍ବାରା ପରିସ୍ଥିତିକୁ ଠିକ୍ ଭାବେ ମୁକାବିଲା କରାଯାଇପାରିବ। ‘‘ମୋ ପାଇଁ ପ୍ରତି ଜୀବନ ମୂଲ୍ୟବାନ ଓ ସମ୍ମାନଜନକ ଭାବରେ ପ୍ରତି ଜୀବନର ସୁରକ୍ଷା ଗୁରୁତ୍ବପୂର୍ଣ୍ଣ। ପଞ୍ଚାୟତିରାଜ ଅନୁଷ୍ଠାନ, ତୃଣମୂଳସ୍ତରରେ ଲୋକମାନଙ୍କର ଅନୁଷ୍ଠାନ। ତେଣୁ ମୋର ବିଶ୍ବାସ, କୋଭିଡ଼୍‌-୧୯ ଲଢ଼େଇରେ ପଞ୍ଚାୟତ ହିଁ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବ’’ ବୋଲି ନବୀନ କହିଛନ୍ତି।

ଉଲ୍ଲେଖଥାଉକି, ମୁଖ୍ୟମନ୍ତ୍ରୀ ପ୍ରାରମ୍ଭରେ କହିଥିଲେ ଯେ ଗତ ୯ ତାରିଖ ଦିନ ସେ ରାଜ୍ୟ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଥିଲେ। ଏହି ୧୦ ଦିନ ଭିତରେ କରୋନା ପଜିଟିଭ୍ ସଂଖ୍ୟା ବିଶ୍ବରେ ୧୫ଲକ୍ଷରୁ ବଢ଼ି ୨୩ଲକ୍ଷରେ ପହଞ୍ଚିଛି। ଏହି ସମୟ ମଧ୍ୟରେ ଦେଶରେ କରୋନା ପଜିଟିଭ୍ ତିନିଗୁଣ ହୋଇ ୧୫ ହଜାରରେ ପହଞ୍ଚିଲାଣି। ମୃତ୍ୟୁ ସଂଖ୍ୟା ଦୁଇଗୁଣରୁ ଅଧିକ େହାଇ ଦୁଇଶହରୁ ବଢ଼ି ୫୦୦ରୁ ଅଧିକ େହଲାଣି। ଗତ ୯ ତାରିଖରେ ଓଡ଼ିଶାରେ ପଜିଟିଭ୍ ସଂଖ୍ୟା ୪୨ ଓ ମୃତ୍ୟୁ ସଂଖ୍ୟା ୧ ଥିଲା। ଆଜି ଏହି ସଂଖ୍ୟା ୬୧ରେ ପହଞ୍ଚିଛି। ଆମର ପରୀକ୍ଷା ତିନିଗୁଣ କରାଯାଇଛି। ଏହା କେବଳ ଓଡ଼ିଶାବାସୀଙ୍କ ତ୍ୟାଗ ଓ ସମ୍ପୂର୍ଣ୍ଣ ସହଯୋଗ ଲାଗି ସମ୍ଭବ ହୋଇଛି ବୋଲି ନବୀନ କହିଥିଲେ। ଏଥିରେ ପ୍ରତି ଲୋକଙ୍କର ତ୍ୟାଗ, ପ୍ରତି ପରିବାରର ତ୍ୟାଗ ଓ ନିଷ୍ଠାର ସହିତ କାମ କରୁଥିବା ଲୋକଙ୍କର ତ୍ୟାଗ ରହିଛି। ଏହି ଲଢ଼େଇ ଲମ୍ବା ଲଢ଼େଇ ହୋଇଥିବାରୁ ସାବଧାନ ରହିବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଓଡ଼ିଶାରେ କରୋନା ନିୟନ୍ତ୍ରଣ କ୍ଷେତ୍ରରେ ବାଧ୍ୟତାମୂଳକ ପଞ୍ଜୀକରଣ ଓ କ୍ବାରାଣ୍ଟିନ୍ ଏକ ବଡ଼ ଭୂମିକା ନେଇଛି ବୋଲି ସେ କହିଛନ୍ତି।

ସରପଞ୍ଚଙ୍କ କଥା ନ ଶୁଣିଲେ ଦଣ୍ଡ
ଭୁବନେଶ୍ବର : ଅନ୍ୟ ରାଜ୍ୟରୁ ଫେରୁଥିବା ବ୍ୟକ୍ତି ପଞ୍ଚାୟତରେ ପଞ୍ଜୀକରଣ କରିବା ସହିତ ୧୪ ଦିନ କ୍ବାରାଣ୍ଟିନରେ ରହିବେ। ଏହି କ୍ବାରାଣ୍ଟିନରେ ରହିବା ସମୟରେ ଏହି ବ୍ୟକ୍ତିମାନେ ପଞ୍ଚାୟତରେ ସରପଞ୍ଚ ଓ ସହରାଞ୍ଚଳରେ ପୌର ଅଧିକାରୀଙ୍କ ନିର୍ଦେଶ ମାନିବାକୁ ବାଧ୍ୟ। ସେମାନେ ସାମାଜିକ ଦୂରତ୍ବ ରକ୍ଷା କରିବେ ଓ ମାସ୍କ ପିନ୍ଧିବେ। ନା ପାନ ଖାଇବେ ନା ଗୁଟ୍‌ଖା। ବାହାରେ ଛେପ ପକାଇ ପାରିବେ ନାହିଁ। ଏସବୁର ଉଲ୍ଲଂଘନ କଲେ ସରପଞ୍ଚ/ପୌର ଅଧିକାରୀମାନେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇପାରିବେ। ବିପର୍ଯ୍ୟୟ ପରିଚାଳନା ଆଇନ ଧାରା ୫୧ ଓ ଭାରତୀୟ ପିଙ୍ଗଳ କୋଡ୍‌ର ଧାରା ୧୮୮ରେ ସେମାନଙ୍କୁ ଦଣ୍ଡିତ କରାଯାଇପାରିବ।

ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ଆଧାରରେ ଜିଲ୍ଲାପାଳ ଓ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ କ୍ଷମତା ସରପଞ୍ଚ ଓ ପୌର ଅଧିକାରୀମାନଙ୍କ ଉପରେ ନ୍ୟସ୍ତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe