ଜିଲ୍ଲା ସ୍ତରରେ ଆକ୍ସନ୍‌ ପ୍ଲାନ୍‌: ଜଙ୍ଗଲ ନିଆଁ ଜଗିବେ ସରପଞ୍ଚ, ପଞ୍ଚାୟତ ହେବ ଜଙ୍ଗଲ ନିଆଁ ମୁକ୍ତ ଅଞ୍ଚଳ

Advertisment
ବନାଗ୍ନି ରୋକିବ ଓଡ୍ରାଫ୍‌

World Atlas

ଭୁବନେଶ୍ୱର : ୨୦୨୧ ଗ୍ରୀଷ୍ମରେ ତାଣ୍ଡବ ରଚିଥିଲା ବନାଗ୍ନି। ଓଡ଼ିଶା ଜୈବ ବିବିଧତା ଶିମିଳିପାଳରେ ନିଆଁ ଅଣାୟତ୍ତ ହୋଇଥିଲା। କେବଳ ଶିମିଳିପାଳ ନୁହେଁ, ଭୁବନେଶ୍ବର ଉପକଣ୍ଠ ଚନ୍ଦକା-ଡମପଡ଼ାଠାରୁ ଆରମ୍ଭ କରି ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, ବରଗଡ଼, କୋରାପୁଟ, କଳାହାଣ୍ଡି, ବଲାଙ୍ଗୀର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଗଞ୍ଜାମ, ଗଜପତି, ବୌଦ୍ଧ, କନ୍ଧମାଳ, ସମ୍ବଲପୁର, ଦେବଗଡ଼, ନୟାଗଡ଼, ଅନୁଗୁଳ, କେନ୍ଦୁଝର, ଢେଙ୍କାନାଳ, ମୟୂରଭଞ୍ଜ ଜିଲ୍ଲାରେ ବନାଗ୍ନି ଯୋଗୁଁ ଏକର ଏକର ଜଙ୍ଗଲ ଜଳି ଯାଇଥିଲା। ଦେଢ଼ ମାସ ମଧ୍ୟରେ ଓଡ଼ିଶାର ଅଧାରୁ ଅଧିକ ଜଙ୍ଗଲର ୪୫ ହଜାର ସ୍ଥାନରେ ଜଙ୍ଗଲ ନିଆଁ ଚିହ୍ନଟ ହୋଇଥିଲା। ଯେଉଁଥିପାଇଁ ଚଳିତ ଗ୍ରୀଷ୍ମ ଋତୁ ପୂର୍ବରୁ ରାଜ୍ୟ ସରକାର ଆଗୁଆ ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛନ୍ତି। ଜିଲ୍ଲାପାଳଙ୍କୁ ଅଧିକ କ୍ଷମତା ଦେବା ସହ ପଞ୍ଚାୟତକୁ ଫରେଷ୍ଟ ଫାୟର ଫ୍ରି(ଜଙ୍ଗଲ ନିଆଁ ମୁକ୍ତ) କରିବାକୁ ସରପଞ୍ଚମାନଙ୍କୁ ଦାୟିତ୍ବ ଦିଆଯିବାକୁ ନିଷ୍ପତ୍ତି ହୋଇଛି। ଏଥିସହ ଜଙ୍ଗଲ ନିଆଁ ରୋକିବା ଲାଗି ଥିବା ଏସ୍‌ଓପିକୁ ସଂଶୋଧିତ କରାଯାଇଛି।

publive-image

ଗତ ଜାନୁଆରିରେ ମୁଖ୍ୟ ସଚିବ ସୁ‌ରେଶ ଚନ୍ଦ୍ର ମହାପାତ୍ର ଜଙ୍ଗଲରେ ନିଆଁ ରୋକିବା ଉପରେ ଗୁରୁତ୍ବାରୋପ କରିଥିଲେ। ଡିଏଫ୍‌ଓ ଓ କ୍ଷେତ୍ର ଅଧିକାରୀମାନେ ନିଆଁ ନ ବ୍ୟାପିବା ପାଇଁ ଅଧିକ ଫାୟାର-ବ୍ରେକ୍ ଲାଇନ୍ ରଖିବେ ଓ ସେଗୁଡ଼ିକ ନିୟମିତ ଭାବେ ସଫା ରଖିବାକୁ କୁହାଯାଇଥିଲା। ଏହି କାମରେ ସ୍ଥାନୀୟ ଲୋକଙ୍କ ସକ୍ରିୟ ଅଂଶଗ୍ରହଣକୁ ନିଶ୍ଚିତ କରିବା ପାଇଁ ସେ କହିଥିଲେ। ଶ୍ରୀ ମହାପାତ୍ରଙ୍କ ନିର୍ଦେଶ ଆଧାରରେ ଜଙ୍ଗଲ ବିଭାଗ ପକ୍ଷରୁ ପୂର୍ବରୁ ଥିବା ଏସ୍‌ଓପିକୁ ସମ୍ପୂର୍ଣ୍ଣ ଭାବେ ବଦଳା ଯାଇଛି। ଜିଲ୍ଲାପାଳମାନେ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ନେଇ ଡିଷ୍ଟ୍ରିକ୍ଟ(ଜିଲ୍ଲା) ଆକ୍ସନ ପ୍ଲାନ ପ୍ରସ୍ତୁତ କରିବେ। ୨୦୨୧‌ରେ ଯେଉଁ ଜିଲ୍ଲାରେ ଅଧିକ ବନାଗ୍ନି ଦେଖିବାକୁ ମିଳିଥିଲା ସେଠାରେ ସ୍ବତନ୍ତ୍ର ଯୋଜନା ତଥା ରଣନୀତି ପ୍ରସ୍ତୁତ କରାଯିବାର ଆବଶ୍ୟକତା ରହିଥିବା ନେଇ ଜିଲ୍ଲାପାଳଙ୍କୁ କୁହାଯାଇଛି। ପଞ୍ଚାୟତସ୍ତରରେ ସରପଞ୍ଚମାନଙ୍କୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦିଆଯାଇଛି। ପଞ୍ଚାୟତରେ ଥିବା ଜଙ୍ଗଲକୁ କିଭଳି ନିଆଁରୁ ରକ୍ଷା କରାଯାଇପାରିବ ସେଥିପାଇଁ ଏବର୍ଷଠାରୁ ଫରେଷ୍ଟ ଫାୟର ଫ୍ରି ଯୋଜନା କାର୍ଯ୍ୟକାରୀ କରାଯିବ। ଜଙ୍ଗଲ ନିଆଁ ରୋକିବାକୁ ରାଜ୍ୟ କାମ୍ପା ପାଣ୍ଠିରେ ୨୩୦ରୁ ଅଧିକ ଫାୟାର ପ୍ରୋଟେକ୍ସନ ସ୍କ୍ବାଡ୍‌ ଗଠନ ହେବ। ଯେଉଁଥିରେ ୨୩୦୦ରୁ ଅଧିକ ସ୍ଥାନୀୟ ଯୁବକଙ୍କୁ ସାମିଲ କରାଯିବ। ପ୍ରତି ସ୍କ୍ବାଡ୍‌ରେ ୧୦ ଜଣ ଲେଖାଏ ରହିବେ। ୩୭ଟି ଡିଭିଜନ୍‌ରେ ଏମାନଙ୍କୁ ନିୟୋଜିତ କରାଯିବ।

publive-image

୨୫ ହଜାରରୁ ଅଧିକ ଫାୟାର-ବ୍ରେକ୍‌ ଲାଇନ୍‌ ଗଠନ କରିବାକୁ ଏଥର ଲକ୍ଷ୍ୟ ରଖାଯାଇଛି। କେନ୍ଦ୍ରୀୟ ଯୋଜନାରେ ବି ସ୍କ୍ବାଡ୍‌ ଗଠନ ହେବା ସହ ୬ ହଜାରରୁ ଅଧିକ ଫାୟାର-ବ୍ରେକ୍‌ ଲାଇନ୍‌ ତିଆରି କରିବାକୁ ସ୍ଥିର ହୋଇଛି। ଚଳିତ ବର୍ଷ ବନ କର୍ମଚାରୀଙ୍କୁ ଅତ୍ୟାଧୁନିକ ଯନ୍ତ୍ରପାତି ଯୋଗାଇ ଦିଆଯିବ। ଯୋଗାଯୋଗର ମାଧ୍ୟମକୁ ବ୍ୟାପକ କରିବା ଲାଗି ଭିଏଚ୍‌ଏଫ୍‌ ‌ଷ୍ଟେସନ ସଂଖ୍ୟା ବୃଦ୍ଧି, ଅଧିକ ସଂଖ୍ୟକ ୱାକି-ଟକିସ୍‌ ଯୋଗାଇ ଦେବାକୁ ନିଷ୍ପତ୍ତି ନିଆଯାଇଥିବା ବନ ବିଭାଗର ଜଣେ ଅଧିକାରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe