ଭତ୍ତା ପାଇଁ ବିଡିଓଙ୍କ ଆଗରେ ଅଧିଆ ପଡ଼ିଲେ ସରପଞ୍ଚଙ୍କ ସ୍ବାମୀ

Advertisment
ଭତ୍ତା ପାଇଁ ବିଡିଓଙ୍କ ଆଗରେ ଅଧିଆ ପଡ଼ିଲେ ସରପଞ୍ଚଙ୍କ ସ୍ବାମୀ

ଭଦ୍ରକ: ଭଦ୍ରକ ବିଡିଓଙ୍କ କାର୍ଯ୍ୟାଳୟ ଆଗରେ ଆଜି କୋରାକୋରା ପଞ୍ଚାୟତ ସରପଞ୍ଚ ମୋନାଲିସା ପଣ୍ଡାଙ୍କ ସ୍ବାମୀ ଧବଳେଶ୍ବର ପଣ୍ଡା ଦଣ୍ଡବତ ଅବସ୍ଥାରେ ଅଧିଆ ପଡ଼ିବା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ବୃଦ୍ଧବୃଦ୍ଧା ଓ ଅସହାୟଙ୍କୁ ତାଙ୍କ ଘର ପାଖରେ ଭତ୍ତା ଦେବା ପାଇଁ ସରକାର ଘୋଷଣା କରିଥିବା ବେଳେ ଭଦ୍ରକ ବିଡିଓ ସୀତାକାନ୍ତ ରାଉତ ପଞ୍ଚାୟତ ଅଫିସକୁ ଯାଇ ସେଠାରୁ ଭତ୍ତା ନେବା ପାଇଁ ଚିଠି କରିଛନ୍ତି। ଏହାକୁ ଜୋରଦାର ବିରୋଧ କରିଛନ୍ତି କୋରାକୋରା ପଞ୍ଚାୟତବାସୀ। ପଞ୍ଚାୟତର ଶତାଧିକ ଲୋକ ଆଜି ବିଡିଓଙ୍କ କାର୍ଯ୍ୟାଳୟ ଆଗରେ ବହୁ ସମୟ ଧାରଣାରେ ବସି ଥିଲେ। କହିଥିଲେ, ବର୍ଷ ବର୍ଷ ଧରି ରାଜପୁର ତିହିଡି କୀର୍ତ୍ତନ ମଣ୍ଡପ ନିକଟରେ ଭତ୍ତା ଦିଆଯାଇଆସୁଛି। ଗମନାଗମନ ଦୃଷ୍ଟିରୁ ଏହା ସୁବିଧାଜନକ ତଥା ହିତାଧିକାରୀଙ୍କ ଘର ପାଖରେ ଥିବାରୁ ଏଠାରୁ ସହଜରେ ଲୋକେ ଆସି ଭତ୍ତା ନେଉଥିଲେ।

ମାତ୍ର ବିଡିଓଙ୍କ ଚିଠି ପରେ କୋରାକୋରା ପଞ୍ଚାୟତ ଅଫିସକୁ ଆସି ଭତ୍ତା ନେବାକୁ ହେଲେ ଲୋକଙ୍କୁ ୧୦ କିଲୋମିଟର ବାଟ ଅଧିକ ଆସିବାକୁ ପଡିବ। କେବଳ ଅଟୋ ଭଡ଼ା ବାବଦରେ ହିତାଧିକାରୀଙ୍କୁ ୨ ଶହରୁ ୩ ଶହ ଟଙ୍କା ଗଣିବାକୁ ପଡ଼ିବ। ଏତେ ବାଟ ଯାଇ ଭତ୍ତା ଟଙ୍କା ଆଣିବାକୁ ପଞ୍ଚାୟତର ବୃଦ୍ଧବୃଦ୍ଧା ଓ ମହିଳାମାନେ ଅମଙ୍ଗ ହୋଇଥିବା ବେଳେ ଏହାର ପ୍ରତିବାଦରେ ସେମାନେ ବ୍ଳକ୍‌ କାର୍ଯ୍ୟାଳୟ ପରିସରରେ ଧାରଣାରେ ବସିଥିଲେ। ବିଡିଓ ନିଜ ଅଫିସ୍ ପ୍ରକୋଷ୍ଠରୁ ନ ବାହାରିବାରୁ ଧାରଣାସ୍ଥଳରେ ଉପସ୍ଥିତ ଥିବା ସରପଞ୍ଚଙ୍କ ସ୍ବାମୀ ଧବଳେଶ୍ବର ପଣ୍ଡା ଶେଷରେ ଯୋଡ଼ ହସ୍ତରେ ଲମ୍ବ ହୋଇ ତଳେ ଶୋଇ ପଡ଼ିଥିଲେ। କହିଥିଲେ, ‘ବିଡିଓ ବାବୁ ଆମ ଗାଁ ଲୋକଙ୍କ ଗୁହାରି ଶୁଣ।’ ପୂର୍ବସ୍ଥାନରେ ଭତ୍ତା ଦେବାର ବ୍ୟବସ୍ଥା ନକଲେ କେହି ପଞ୍ଚାୟତ ଅଫିସ୍ ଯିବେନି ବୋଲି ପଞ୍ଚାୟତବାସୀ ରୋକଠୋକ କହିଥିଲେ।

publive-image

ଏହାକୁ ନେଇ ଚାପା ଉତ୍ତେଜନା ପ୍ରକାଶ ପାଇବାରୁ ବିଡିଓ ଦାବିପତ୍ର ଗ୍ରହଣ କରିବା ସହ କ୍ଷେତ୍ରୀୟ ଅନୁଧ୍ୟାନ ପରେ ଯାହା କିଛି ନିଷ୍ପତ୍ତି ନେବେ ବୋଲି କହିଛନ୍ତି। କୋରକୋରା ପଞ୍ଚାୟତର ତିହିଡି, ରାଜପୁର, ବରଡାଡିହ ଆଦି ୩ଟି ରାଜସ୍ବ ଗ୍ରାମର ବାସିନ୍ଦା କୋରାକୋରା ପଞ୍ଚାୟତ ଅଫିସ୍‌ଠାରୁ ୧୦ କିଲୋମିଟର ଦୂରରେ ଅବସ୍ଥିତ। ଉପରୋକ୍ତ ଗ୍ରାମର ହିତାଧିକାରୀ ପ୍ରତିମାସରେ ରାଜପୁର ତିହିଡି କୀର୍ତ୍ତନ ମଣ୍ଡପ ନିକଟରୁ ଭତ୍ତା ନେଉଥିଲେ। ମାତ୍ର ବିଡିଓ ପଞ୍ଚାୟତ ଅଫିସରୁ ଭତ୍ତା ନେବାକୁ ନିର୍ଦ୍ଦେଶ ଦେବା ପରେ ଏହାର ପୁନର୍ବିଚାର ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଏହି ପ୍ରସଙ୍ଗରେ ଭଦ୍ରକ ପଞ୍ଚାୟତ ସମିତିର ଅଧ୍ୟକ୍ଷା ଉର୍ମିଳା ନାୟକଙ୍କୁ ମଧ୍ୟ ସ୍ମାରକପତ୍ର ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe