ଓଡ଼ିଶା ପ୍ରାଶାସନିକ ଟ୍ରିବୁନାଲ ଉଚ୍ଛେଦ ପ୍ରସଂଗ : ହାଇକୋର୍ଟରେ ପ୍ରତିଜବାବ ଦାଖଲ

ଓଡ଼ିଶା ପ୍ରାଶାସନିକ ଟ୍ରିବୁନାଲ ଉଚ୍ଛେଦ ପ୍ରସଂଗ : ହାଇକୋର୍ଟରେ ପ୍ରତିଜବାବ ଦାଖଲ

କଟକ : ଓଡିଶା ପ୍ରାଶାସନିକ ଟ୍ରିବୁନାଲ(ସ୍ୟାଟ୍‌) ଉଚ୍ଛେଦ ବିଜ୍ଞପ୍ତିକୁ ବିରୋଧ କରି ହାଇକୋର୍ଟରେ ଦାୟର ମାମଲାରେ ଆବେଦନକାରୀଙ୍କ ପକ୍ଷରୁ ପ୍ରତିଜବାବ ଦାଖଲ କରାଯାଇଛି। ପୂର୍ବରୁ ଏହି ମାମଲାରେ କେନ୍ଦ୍ର ଓ ରାଜ୍ୟ ସରକାର ଜବାବ ଦାଖଲ କରି ସାରିଥିବାବେଳେ ଆଜି ଆବେଦନକାରୀଙ୍କ ପକ୍ଷରୁ ପ୍ରତିଜବାବ ଦାଖଲ କରାଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍.ଜାଭେରୀ ଓ ଜଷ୍ଟିସ କେ.ଆର.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୨୮କୁ ଧାର୍ଯ୍ୟ କରିଛନ୍ତି।

କେନ୍ଦ୍ର ପର୍ସୋନେଲ୍, ପବ୍ଲିକ୍ ଗ୍ରିଭାନ୍‌ସେସ୍ ଆଣ୍ଡ୍ ପେନସନ୍ ମନ୍ତ୍ରାଳୟ ପକ୍ଷରୁ ସ୍ୟାଟ୍ ଉଚ୍ଛେଦ ନେଇ ପ୍ରକାଶିତ ଗେଜେଟ ନୋଟିଫିକେସନକୁ ଚାଲେଞ୍ଜ କରି କଟକ ଓଏଟି ବାର୍ ଆସୋସିଏସନ୍ ସଂପାଦକ ପ୍ରକାଶ କୁମାର ରାଉତ ଗତ ଅଗଷ୍ଟ ୬ରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ୟାଟ୍ ଉଚ୍ଛେଦ ପ୍ରସଂଗରେ ପ୍ରକାଶିତ ବିଜ୍ଞପ୍ତିକୁ ରଦ୍ଦ କରିବା ପାଇଁ ଆବେଦନରେ ପ୍ରାର୍ଥନା କରାଯିବା ସହ ଏହି ମାମଲାରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ପକ୍ଷଭୁକ୍ତ କରାଯାଇଥିଲା। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଧୂଳିରାମ ପଟ୍ଟନାୟକ ମାମଲା ପରିଚାଳନା କରିଥିଲେ।

ମାମଲାର ବିବରଣୀରୁ ପ୍ରକାଶ ଯେ, କେନ୍ଦ୍ର ପର୍ସୋନେଲ୍, ପବ୍ଲିକ୍ ଗ୍ରିଭାନ୍‌ସେସ୍ ଆଣ୍ଡ୍ ପେନସନ୍ ମନ୍ତ୍ରାକଳୟ ପକ୍ଷରୁ ସ୍ୟାଟ୍ ଉଚ୍ଛେଦ ନେଇ ଗେଜେଟ ନୋଟିଫିକେସନ୍ ପ୍ରକାଶ କରାଯାଇଥିଲା। ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିଲା ଯେ ୧୯୮୬, ଜୁଲାଇ ୪ରେ ଓଡ଼ିଶା ପ୍ରାଶାସନିକ ଟ୍ରିବୁନାଲ ପ୍ରତିଷ୍ଠା ନେଇ ପ୍ରକାଶିତ ବିଜ୍ଞପ୍ତିକୁ ରଦ୍ଦ କରାଯାଇଛି। ଓଡ଼ିଶା ସରକାର ସ୍ୟାଟ୍ ଉଚ୍ଛେଦ ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିବା ବେଳେ ଏପରି ପ୍ରସ୍ତାବକୁ ହାଇକୋର୍ଟଙ୍କ ଅନୁମୋଦନ ମିଳିଥିଲା। ଆଡମିନିଷ୍ଟ୍ରେଟିଭ୍ ଟ୍ରିବୁନାଲ ଆକ୍ଟ, ୧୯୮୫ର ଧାରା ୪(୨) ଓ ଜେନେରାଲ କ୍ଲଜେସ୍ ଆକ୍ଟର ଧାରା ୨୧ରେ ପ୍ରଦତ୍ତ କ୍ଷମତା ପ୍ରୟୋଗ କରି କେନ୍ଦ୍ର ସରକାର ସ୍ୟାଟକୁ ଉଚ୍ଛେଦ କରିଛନ୍ତି ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଥିଲା। ୨୦୧୫, ସେପ୍ଟେମ୍ବର ୯ରେ ସ୍ୟାଟ୍ ଉଚ୍ଛେଦ ପାଇଁ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ଗ୍ରହଣ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe