ଏଣିକି କ୍ୱାରାଣ୍ଟିନରେ "ସୁନ୍ଦରୀ", ବିନା ସାନିଟାଇଜରେ ଏନକ୍ଲୋଜର ପାଖ ମାଡ଼ିବେନି କର୍ମଚାରୀ

ଖାଦ୍ୟ, ମଣିଷ ମାଧ୍ୟମରେ ବାଘୁଣୀକୁ କରୋନା ସଂକ୍ରମଣ ଆଶଙ୍କା,ଏନକ୍ଲୋଜରକୁ ଜନ୍ତୁ ଛାଡ଼ିବା ପୂର୍ବରୁ ଆଗ ସଂଗରୋଧ: ଆରସିସିଏଫ

ଏଣିକି କ୍ୱାରାଣ୍ଟିନରେ "ସୁନ୍ଦରୀ", ବିନା ସାନିଟାଇଜରେ ଏନକ୍ଲୋଜର ପାଖ ମାଡ଼ିବେନି କର୍ମଚାରୀ

image source-satkosia.org

ଅନୁଗୁଳ: ବନ୍ୟଜନ୍ତୁଙ୍କର ବି ଅଛି କରୋନା ସଂକ୍ରମଣ ଭୟ। ବିଦେଶରେ ଏକ ମହାବଳ ବାଘ ସଂକ୍ରମଣ ଶିକାର ହେବା ପରେ ଏନଟିସିଏ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପକୁ କରିଛି ଆଲର୍ଟ। ଜଙ୍ଗଲୀ ଜନ୍ତୁଙ୍କ ସୁରକ୍ଷା ପାଇଁ ସାତକୋଶିଆ କର୍ତ୍ତୃପକ୍ଷ କସରତ ଆରମ୍ଭ କରି ଦେଇଥିବା ବେଳେ ଭୂତାଣୁ ସଂକ୍ରମଣର ବଡ଼ ଆଶଙ୍କାରେ ରହିଛି ବାଘୁଣୀ ସୁନ୍ଦରୀ। ତେଣୁ ବାଘୁଣୀ ସଂସ୍ପର୍ଶରେ ଆସୁଥିବା କାରକ ଗୁଡିକୁ ଚିହ୍ନଟ କରା ଯାଇଥିବା ବେଳେ ଶିକାର ମାଧ୍ୟମରେ ଯେମିତି ବାଘୁଣୀକୁ କୋଣସି ପ୍ରକାର ବିପଦ ନ ଆସେ ସେ ଦିଗକୁ କଡ଼ାକଡ଼ି କରାଯାଇଛି।
ଉଲ୍ଲେଖଯୋଗ୍ୟ, ଗତ ପ୍ରାୟ ଦୁଇ ବର୍ଷ ହେଲା ସାତକୋଶିଆ ରାଇଗୁଡ଼ାଠାରେ ଏନକ୍ଲୋଜର ଭିତରେ ବନ୍ଦୀ ଜୀବନ କାଟୁଥିବା ବାଘୁଣୀ ସୁନ୍ଦରୀ ପୁଣି ମଧ୍ୟପ୍ରଦେଶ ଜଙ୍ଗଲକୁ ଫେରି ଯିବାର ଯୋଜନା ହୋଇଛି। ବାଘୁଣୀକୁ ଫେରାଇ ନେବାର ପ୍ରକ୍ରିୟା ଚାଲୁ ରହିଥିବା ବେଳେ ବିଶ୍ୱ ମହାମାରୀ କରୋନା ଭୁତାଣୁ ସଂକ୍ରମଣ ଭୟ ବାଘୁଣୀ ସ୍ଥାନାନ୍ତର ପ୍ରକ୍ରିୟାକୁ ବିଳମ୍ବ କରିବ ବୋଲି କୁହ ଯାଉଛି। କିନ୍ତୁ, ବିଶ୍ୱ ମହାମାରୀ କରୋନା ଠାରୁ ସୁନ୍ଦରୀକୁ ସୁରକ୍ଷିତ ରଖିବା ସାତକୋଶିଆ କର୍ତୁପକ୍ଷ୍ୟ ଙ୍କ ପାଇଁ ଏବେ ବଡ଼ ଚାଲେଞ୍ଜ। ବିଶେଷଜ୍ଞ କହିବା ମୁତାବକ, ବନ୍ଦୀ ଜୀବନ କାଟୁଥିବା ବାଘୁଣୀ ଦୁଇ କାରକ ସହ ନିକଟ ସମ୍ପର୍କରେ ଆସୁଛି। ସେ ହେଲା ଏନକ୍ଲୋଜର ଦାୟିତ୍ୱରେ ଥିବା ବନ ଅଧିକାରୀ ଏବଂ ପ୍ରତି ଦୁଇ ସପ୍ତାହରେ ବାଘୁଣୀକୁ ଖାଇବାକୁ ଦିଆଯାଉଥିବା ଶିକାର। ତେଣୁ କୌଣସି ଜନ୍ତୁଙ୍କୁ ବାଘୁଣୀ ଶିକାର ଉଦ୍ଦେଶ୍ୟରେ ଏନକ୍ଲୋଜର ଭିତରକୁ ଛାଡ଼ିବା ପୂର୍ବରୁ ତାକୁ ଆଗ ସଂଗରୋଧରେ ରଖାଯିବ ବୋଲି ସାତକୋଶିଆ କ୍ଷେତ୍ର ନିର୍ଦେଶକ ତଥା ଅନୁଗୁଳ ଆରସିସିଏଫ ପ୍ରଦୀପରାଜ କରାଟେ କହିଛନ୍ତି।
ବାଘୁଣୀ ଖାଦ୍ୟ ପାଇଁ ଜନ୍ତୁ ଯେଉଁଠାରୁ ଅଣାଯାଉ ନା କାହିଁକି ତାକୁ ଭୂତାଣୁ ସଂକ୍ରମଣ ହୋଇଛି କି ନାହିଁ ତାହା କହି ହେବ ନାହିଁ। ତେଣୁ ଆଗରୁ ଜୀବନ୍ତ ଜନ୍ତୁ ଆଣି ଯେମିତି ସିଧାସଳଖ ଏନକ୍ଲୋଜର ଭିତରେ ଛଡ଼ା ଯାଉଥିଲା, ଏଣିକି ସେମିତି କରାଯିବ ନାହିଁ। ପ୍ରଥମେ ଜନ୍ତୁକୁ ଆଣି ୭ରୁ ୧୦ ଦିନ ଅଲଗା ରଖାଯିବ। ଜନ୍ତୁ ଠାରେ ଭୂତାଣୁର କୌଣସି ଲକ୍ଷଣ ଅଛି କି ନାହିଁ ତାହା ତନଖି କରାଯିବ। ତାପରେ ତାକୁ ବାଘୁଣୀର ଶିକାର ପାଇଁ ଏନକ୍ଲୋଜର ଭିତରକୁ ଛଡା ଯିବାକୁ ନିଷ୍ପତ୍ତି ହୋଇଛି ବୋଲି ସାତକୋଶିଆର ଡାକ୍ତର କିଶୋର ସାହୁ କହିଛନ୍ତି। ସେହିପରି ବିନା ସାନିଟାଇଜରରେ ଏନକ୍ଲୋଜର ପାଖ ନ ମାଡ଼ିବାକୁ କର୍ମଚାରୀମାନଙ୍କୁ ନିର୍ଦେଶ ଦିଆଯାଇଛି। କୌଣସିମତେ ବାଘୁଣୀ ଯେପରି କରୋନା ଭୁତାଣୁର ଶିକାର ନ ହୁଏ, ସେଥିପ୍ରତି ନଜର ଦିଆଯାଇଛି ବୋଲି ଡାକ୍ତର ସାହୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe