ଜମିଲାଣି ସାତକୋଶିଆରେ ବାଘ-ବାଘୁଣୀ ପ୍ରେମ : ସୁନ୍ଦରୀ ମୁହାଁ ମହାବଳ

Advertisment

୪ କିମି ବ୍ୟବଧାନରେ ଚଳପ୍ରଚଳ କରୁଛନ୍ତି ୩ ବାଘ, ନୂଆ ବର୍ଷରେ ମିଳିପାରେ ଶୁଭ ଖବର

୪ କିମି ବ୍ୟବଧାନରେ ଚଳପ୍ରଚଳ କରୁଛନ୍ତି ୩ ବାଘ, ନୂଆ ବର୍ଷରେ ମିଳିପାରେ ଶୁଭ ଖବର

ଜମିଲାଣି ସାତକୋଶିଆରେ ବାଘ-ବାଘୁଣୀ ପ୍ରେମ : ସୁନ୍ଦରୀ ମୁହାଁ ମହାବଳ

ଭୁବନେଶ୍ୱର : ଦୁଇମାସ ତଳେ ସାତକୋଶିଆ ଅଭୟାରଣ୍ୟରେ ଛଡ଼ା ହୋଇଥିବା ମହାବଳ ବାଘ ଓ ଦୁଇ ବାଘୁଣୀଙ୍କ ମଧ୍ୟରେ ଚାଲିଛି ତ୍ରିକୋଣୀୟ ପ୍ରେମ। ସାତକୋଶିଆରେ ଆଗରୁ ରହିଥିବା ବାଘୁଣୀ ପ୍ରେମରେ ପଡ଼ିଥିବା ମହାବଳ ଏବେ ଧୀରେ ଧୀରେ ତା’ଠାରୁ ଦୂରେଇ ଯାଉଛି। ଆଉ ବାଘୁଣୀ ନିକଟରେ ରହୁ ନାହିଁ। ଉଭୟ ପରସ୍ପରଠାରୁ ୨ରୁ ୩ କିମି ଦୂୂରରେ ବିଚରଣ କରୁଛନ୍ତି। ବାଘୁଣୀ ନିକଟତର ହେବାକୁ ଚାହୁଁଥିଲେ ମଧ୍ୟ ମହାବଳ ଆଉ ଧରାଛୁଆଁ ଦେଉନି।

ଏହାର ସୁଯୋଗ ନେଇ ମହାବଳର ନିକଟତର ହେବାକୁ ଉଦ୍ୟମ କରୁଛି ବାନ୍ଧବଗଡ଼ରୁ ଆସିଥିବା ବାଘୁଣୀ ‘ସୁନ୍ଦରୀ’। ସେ ଏବେ ମହାବଳଠାରୁ ମାତ୍ର ୪ରୁ ୫ କିମି ‌ଦୂରରେ ରହିଛି। ସୁନ୍ଦରୀ ଏବେ ଅଭୟାରଣ୍ୟର କୋର ଅଞ୍ଚଳରେ ବିଚରଣ କରୁଛି। ତିନୋଟି ଯାକ ବାଘ, ବାଘୁଣୀ ମାତ୍ର ୪ରୁ ୫ କିମି ବ୍ୟବଧାନରେ ବିଚରଣ କରୁଛନ୍ତି। ଯେକୌଣସି ସମୟରେ ସୁନ୍ଦରୀ ମହାବଳର ସମ୍ପର୍କରେ ଆସିବ ବୋଲି ପ୍ରଧାନ ବନ ସଂରକ୍ଷକ(ବନ୍ୟପ୍ରାଣୀ) ତଥା ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ସନ୍ଦୀପ ତ୍ରିପାଠୀ କହିଛନ୍ତି।

ସବୁଠାରୁ ବଡ଼ କଥା ହେଲା ନୂଆବର୍ଷରେ ଶୁଭ ଖବର ମିଳିବା ନେଇ ଆକଳନ କରିଛି ବନ ବିଭାଗ। ଶ୍ରୀ ତ୍ରିପାଠୀ କହିଛନ୍ତି ଯେ ଦୁଇ ମାସ ହେଲା ପୁରୁଣା ବାଘୁଣୀ ସମ୍ପର୍କରେ ମହାବାଳ ରହିଥିଲା। ଏବେ ତା’ଠାରୁ ଦୂୂରେଇ ରହୁଛି। ବାଘୁଣୀ ମହାବଳକୁ ଡାକୁଥିଲେ ମଧ୍ୟ ସେ ପାଖକୁ ଆସୁନାହିଁ। ମହାବଳର ବୟସ କମ୍‌ ହୋଇଥିବାରୁ ସେ ଦୂରେଇ ରହିବାକୁ ଚାହୁଁଛି। ଗତ ଦୁଇ ମାସ ମଧ୍ୟରେ ମହାବଳ ଓ ବାଘୁଣୀ ମଧ୍ୟରେ ଯେଉଁ ସମ୍ପର୍କ ସୃଷ୍ଟି ହୋଇଛି ତା’ର ଫଟୋ ଉତ୍ତୋଳନ କରାଯାଇପାରି ନାହିଁ।

ସେ ଆହୁରି କହିଛନ୍ତି ଯେ କାହ୍ନାରୁ ଆସିଥିବା ମହାବଳ ଓ ବାନ୍ଧବଗଡ଼ର ବାଘୁଣୀ ‘ସୁନ୍ଦରୀ’ ଏକାଠି ହେବା ପରେ ପରବର୍ତୀ ପର୍ଯ୍ୟାୟରେ ବାଘ ଆଣିବା କଥା ଚିନ୍ତା କରାଯିବ। ଏବେ ସୁନ୍ଦରୀ ଉପରେ ବନ ବିଭାଗର ୧୨ଟି ଟିମ୍‌ ନଜର ରଖୁଛି। ପ୍ରତିି ୩ରୁ ୪ ଦିନ ବ୍ୟବଧାନରେ ଶିକାର କରୁଛି। ଗତ ବୁଧବାର ଶିକାର କରିଥିବା ଦେଖିବାକୁ ମିଳିଛି। ଜାନୁଆରିରେ ଦ୍ବିତୀୟ ପର୍ଯ୍ୟାୟ ବାଘ ସ୍ଥାନାନ୍ତର ପ୍ରକ୍ରିୟା ହୋଇପାରେ ବୋଲି ସେ ସୂଚନା ଦେଇଛନ୍ତି।

ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ କହିଛନ୍ତି ଯେ ୫୫୦ ବର୍ଗ କିମି ବ୍ୟାପୀ ସାତକୋଶିଆ ଜଙ୍ଗଲ‌େର ବାଘ ବଂଶ ବୃଦ୍ଧି ଉପରେ ଗୁରୁତ୍ବ ଦେଉଛୁ। ବୟସାଧିକ କାରଣରୁ ଆସନ୍ତା ୩ରୁ ୫ ବର୍ଷ ମଧ୍ୟରେ ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟରେ ଥିବା ଦୁଇଟି ବାଘଙ୍କର ମୃତ୍ୟୁ ହୋଇଯିବ। ତାହାକୁ ଦୃଷ୍ଟିରେ ରଖି ମଧ୍ୟପ୍ରଦେଶରୁ ବାଘ ସ୍ଥାନାନ୍ତର କରାଯାଇଛି। ୨୦ ବର୍ଷ ତଳେ ଏହି ଅଭୟାରଣ୍ୟରେ ୧୦ରୁ ୧୨ ବାଘ ଥିଲେ। ସାତକୋଶିଆରେ ସୁନ୍ଦରୀ ଓ ମହାବଳ ପାଖାପାଖି ହେବାକୁ ଯାଉଥିବାରୁ ଆଉ କୌଣସି ଅସୁବିଧା ହେବ ନାହିଁ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe