ସ୍ୟାଟ୍‌ଙ୍କ ରାୟ ହାଇକୋର୍ଟରେ ଖାରଜ

Advertisment

୨୦୦୬ ବ୍ୟାଚ୍‌ର ୩୭୮ ଓଏଏସ୍‌ ଅଧିକାରୀ ଆଶ୍ବସ୍ତ

୨୦୦୬ ବ୍ୟାଚ୍‌ର ୩୭୮ ଓଏଏସ୍‌ ଅଧିକାରୀ ଆଶ୍ବସ୍ତ

ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ଆଶ୍ବସ୍ତି: ନିର୍ବାଚନୀ ମୋକଦ୍ଦମାକୁ ଖାରଜ କଲେ ହାଇକୋର୍ଟ

Image Courtesy of The New Indian Express

କଟକ : ଓଡିଶା ପ୍ରଶାସନିକ ସେବା-୨୦୦୬ ପରୀକ୍ଷା ପ୍ରସଂଗରେ ଓଡ଼ିଶା ପ୍ରଶାସନିକ ଟ୍ରିବୁନାଲ(ସ୍ୟାଟ୍) ୨୦୧୪ ଏପ୍ରିଲ ୨୩ରେ ପ୍ରଦାନ କରିଥିବା ରାୟକୁ ହାଇକୋର୍ଟ ରଦ୍ଦ କରିଛନ୍ତି।

ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ପ୍ରସଂଗକୁ ନେଇ ଦାୟର ମାମଲାର ଶୁଣାଣି କରି ସ୍ୟାଟ୍ ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ପ୍ରକାଶିତ ୩୭୮ ପ୍ରାର୍ଥୀଙ୍କ ଚୂଡାନ୍ତ ତାଲିକାକୁ ରଦ୍ଦ କରିଥିଲେ। ସ୍ୟାଟ୍‌ଙ୍କ ରାୟକୁ ଚାଲେଞ୍ଜ କରି ରାଜ୍ୟ ସରକାର ଓ ଚୂଡ଼ାନ୍ତ ତାଲିକାରେ ସ୍ଥାନ ପାଇ ନିଯୁକ୍ତି ପାଇଥିବା କେତେକ ପ୍ରାର୍ଥୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟ ମାମଲାର ପ୍ରାରମ୍ଭିକ ଶୁଣାଣି କରି ସ୍ୟାଟ୍‌ଙ୍କ ରାୟ ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ। ଏହାପରେ ମାମଲାର ପୂର୍ଣ୍ଣାଙ୍ଗ ଶୁଣାଣି ହୋଇଥିଲା। ୨୦୨୧ ସେପ୍ଟେମ୍ବର ୨୭ରେ ହାଇକୋର୍ଟ ମାମଲାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ। ଆଜି ରାୟ ପ୍ରକାଶ ପାଇଛି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ରାୟ ପ୍ରକାଶ କରି ସ୍ୟାଟ୍‌ଙ୍କ ୨୦୧୪ ଏପ୍ରିଲ ୨୩ର ନିର୍ଦ୍ଦେଶକୁ ଖାରଜ କରିଛନ୍ତି। କ୍ୟାଡର ପୁନର୍ଗଠନ ପରେ ନିଯୁକ୍ତି ଦିଆଯାଇଥିବା ପଦ ପାଇଁ ଯୋଗ୍ୟତା ଓ ଚୟନ ପ୍ରକ୍ରିୟା କିନ୍ତୁ ସମାନ ଥିବା ଘଟଣାକୁ ସ୍ୟାଟ୍ ବିଚାରକୁ ନେଇ ନଥିଲେ ବୋଲି ହାଇକୋର୍ଟ କହିଛନ୍ତି। ଏଥିସହିତ ସ୍ୟାଟ୍‌ରେ ମାମଲା ରୁଜୁ କରିଥିବା ପ୍ରାର୍ଥୀମାନେ ନିଯୁକ୍ତି ପରୀକ୍ଷାରେ ଅସଫଳ ହୋଇଥିଲେ ଓ ସ୍ୟାଟ୍‌ଙ୍କ ରାୟରୁ ସେମାନଙ୍କୁ କିଛି ସୁବିଧା ମିଳି ନଥିଲା। ସ୍ୟାଟ୍ ଚୂଡ଼ାନ୍ତ ଚୟନ ତାଲିକାକୁ ରଦ୍ଦ କରିଥିଲେ କିନ୍ତୁ ମାମଲା ରୁଜୁ କରିଥିବା ପ୍ରାର୍ଥୀଙ୍କୁ କୌଣସି ପ୍ରକାର ରିଲିଫ୍ ପ୍ରଦାନ କରାଯାଇ ନଥିଲା। ଚୟନ ତାଲିକାରେ ହସ୍ତକ୍ଷେପ କରିବା ପାଇଁ କୌଣସି ଆଇନଗତ ଆଧାର ନଥିଲା ବୋଲି ହାଇକୋର୍ଟ କହିବା ସହିତ ସ୍ୟାଟଙ୍କ ରାୟକୁ ଖାରଜ କରିଛନ୍ତି। ହାଇକୋର୍ଟଙ୍କ ରାୟ ପରେ ୨୦୦୬ ଓଏଏସ୍ ପରୀକ୍ଷାର ଚୂଡାନ୍ତ ଚୟନ ତାଲିକାରେ ସ୍ଥାନ ପାଇ ନିଯୁକ୍ତି ପାଇଥିବା ୩୭୮ ପ୍ରାର୍ଥୀ ଆଶ୍ବସ୍ତ ହୋଇଛନ୍ତି। ସେମାନଙ୍କ ନିଯୁକ୍ତିର ବୈଧତାକୁ ନେଇ ଦୀର୍ଘ ବର୍ଷ ହେବ ଲାଗି ରହିଥିବା ଅନିଶ୍ଚିତତା ଦୂର ହୋଇଛି।

ସୂଚନାଯୋଗ୍ୟ ଯେ ୨୦୦୬ ଅଗଷ୍ଟ ୧୧ରେ ଓପିଏସସି ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ୍ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ପ୍ରଥମେ ୨୮୯ଟି ପଦବି ଖାଲିଥିବା ସ୍ପଷ୍ଟ କରାଯାଇଥିଲା। ୨୦୦୬ ସେ‌େପ୍ଟମ୍ବର ୬ରେ ସଂଶୋଧିତ ବିଜ୍ଞପ୍ତି ପ୍ରକାଶ କରାଯାଇ ଖାଲି ପଦବି ସଂଖ୍ୟା ୪୦୧କୁ ବୃଦ୍ଧି କରାଯାଇଥିଲା। ୨୦୦୬ ନଭେମ୍ବର ୧୬ରେ ପୁଣି ସଂଶୋଧିତ ବିଜ୍ଞପ୍ତି ପ୍ରକାଶ କରାଯାଇ ପଦବି ସଂଖ୍ୟା ୩୮୦କୁ ହ୍ରାସ କରାଯାଇଥିଲା। ୨୦୦୭ ମେ ୧୧ରେ ଅନୁଷ୍ଠିତ ପ୍ରିଲମିନାରି ପରୀକ୍ଷାରେ ୩୨ ହଜାର ୯୩୬ ପ୍ରାର୍ଥୀ ଅଂଶ ଗ୍ରହଣ କରିଥିଲେ।

ମୁଖ୍ୟ ପରୀକ୍ଷା ପାଇଁ ୩ ହଜାର ୭୨୯ ପ୍ରାର୍ଥୀ ଯୋଗ୍ୟତା ହାସଲ କରିଥିଲେ। ୨ ହଜାର ୯୩୧ ପ୍ରାର୍ଥୀ ମୁଖ୍ୟ ପରୀକ୍ଷା ଦେଇଥିବା ବେଳେ ୭୫୦ ଜଣ ପର୍ସନାଲିଟି ଟେଷ୍ଟ ପାଇଁ ଯୋଗ୍ୟତା ହାସଲ କରିଥିଲେ। ୭୪୪ ଜଣ କିନ୍ତୁ ପର୍ସନାଲିଟି ଟେଷ୍ଟ ଦେଇଥିଲେ। ୨୦୦୯ରେ ସରକାର ଓଏଏସ୍ ଓ ଅନ୍ୟ ପଦବି ଗୁଡିକର କ୍ୟାଡର ପୁନର୍ଗଠନ କରିଥିଲେ। କ୍ଲାସ-୨ ପଦବି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ପରବର୍ତ୍ତୀ ସମୟରେ ସରକାର କ୍ୟାଡର ପୁନର୍ଗଠନ କରି କ୍ଲାସ-୨ ପଦବି ଉଚ୍ଛେଦ କରିଥିଲେ। ପ୍ରାର୍ଥୀମାନଙ୍କୁ ଜୁନିୟର  କ୍ଲାସ-୧ ପଦବିରେ ନିଯୁକ୍ତି ଦେବା ପାଇଁ ସରକାର ନିଷ୍ପତ୍ତି ଗ୍ରହଣ କରିଥିଲେ। ଏହି ବିବାଦ ସ୍ୟାଟ୍‌ରେ ପହଞ୍ଚି ଥିବାବେଳେ ସାକ୍ଷାତକାର ପ୍ରକ୍ରିୟା ଉପରେ ଅନ୍ତରୀଣ ଅଙ୍କୁଶ ଜାରି କରାଯାଇଥିଲା। ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ସାକ୍ଷାତକାର ଅନୁଷ୍ଠିତ ହୋଇଥିଲା। ୨୦୧୦, ମେ ୨୨ରେ ନିଯୁକ୍ତି ପ୍ରକ୍ରିୟାର ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଓପିଏସସି ପ୍ରକାଶ କରିଥିଲା। ଓପିଏସସି ୨୦୧୦, ଜୁନ୍ ୧୧ରେ ୩୭୮ ପ୍ରାର୍ଥୀଙ୍କ ନାଁ ଅନୁମୋଦନ କରି ସାଧାରଣ ପ୍ରଶାସନ ବିଭାଗ ନିକଟକୁ ପଠାଇଥିଲା। କ୍ୟାଡର ପୁନର୍ଗଠନ ପରେ ବିଭିନ୍ନ ପଦବିରେ ପ୍ରାର୍ଥୀଙ୍କ ନିଯୁକ୍ତିକୁ ନେଇ ପ୍ରଶ୍ନ ଉଠିଥିଲା। ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ଅଭିଯୋଗ କରି ସୁରଭି ମହାନ୍ତି ଓ କେତେକ ପ୍ରାର୍ଥୀ ସ୍ୟାଟଙ୍କ ଦ୍ବାରସ୍ଥ ହୋଇଥିଲେ। ସ୍ୟାଟ ମାମଲାର ବିଚାର କରି ୩୭୮ ପ୍ରାର୍ଥୀଙ୍କ ଚୟନକୁ ରଦ୍ଦ କରିଥିଲେ। ଏହାପରେ ସୁରଭି ମହାନ୍ତି ମାମଲାରେ ସ୍ୟାଟ୍ ପ୍ରଦାନ କରିଥିବା ରାୟକୁ ହାଇକୋର୍ଟରେ ସରକାରଙ୍କ ପକ୍ଷରୁ ଚାଲେଞ୍ଜ କରାଯାଇଥିଲା।

ହାଇକୋର୍ଟରେ ଓପିଏସସି ପକ୍ଷରୁ ବରିଷ୍ଠ ଆଇନଜୀବୀ ପ୍ରଦୀପ୍ତ ମହାନ୍ତି ଓ ସୁରଭି ମହାନ୍ତି ନିଜେ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe