ଖଣ୍ଡପଡ଼ାରେ ସାବିତ୍ରୀ ବିଜେଡି ପ୍ରାର୍ଥୀ: ଇସ୍ତଫା ଦେଲେ ଅନୁଭବ ପଟ୍ଟନାୟକ

ଖଣ୍ଡପଡ଼ାରେ ସାବିତ୍ରୀ ବିଜେଡି ପ୍ରାର୍ଥୀ: ଇସ୍ତଫା ଦେଲେ ଅନୁଭବ ପଟ୍ଟନାୟକ

ନୟ‌ାଗଡ଼: ଖଣ୍ଡପଡ଼ା ବିଧାନସଭା କ୍ଷେତ୍ରର ବିଜେଡି ରାଜନୀତି ରୋଚକ ସ୍ଥିତିରେ ପହଞ୍ଚିଛି। ଆଜି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଆସନ ପାଇଁ ଭାପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ‌ା ସାବିତ୍ରୀ ପ୍ରଧାନଙ୍କ ନାମ ଘୋଷଣା କରିଛନ୍ତି। ମାତ୍ର, ଘୋଷଣାର କିଛି ଘଣ୍ଟା ମଧ୍ୟ‌ରେ ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ ଦଳରୁ ଇସ୍ତଫା ଦେଇଛନ୍ତି। ଅନୁଭବ ଏହି ଆସନ ପାଇଁ ଆଶାୟୀ ଥିଲେ। ଅନୁଭବଙ୍କ ସହିତ ଭାପୁର ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଗୟାଧର ପରିଡ଼ା, ଖଣ୍ଡପଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷ ଶିଶିର କୁମାର ସାହୁ ଓ ବରିଷ୍ଠ ଜିଲ୍ଲା ପରିଷଦ ସଦସ୍ୟ ରାମେଶ୍ବର ଶତପଥୀ ପ୍ରମୁଖ ଟିକେଟ ଦୌଡ଼ରେ ରହିଥିଲେ। ଆଜି ଦଳ ସଭାପତି ସାବିତ୍ରୀଙ୍କ ନାଁ ଘୋଷଣା କରି ସମସ୍ତ ଚର୍ଚ୍ଚାର ଅବସାନ ଘଟାଇଛନ୍ତି। ତେବେ, ଅନୁଭବ ସାମ୍‌ନାକୁ ଆସି ନିଜର ଅସନ୍ତୋଷ ଜାହିର୍‌ କରିଛନ୍ତି ଏବଂ ବିଜେଡିରୁ ଇସ୍ତଫା ଦେଇଛନ୍ତି।

ସେ କେଉଁ ଦଳରେ ଯୋଗ ଦେବେ, ବର୍ତ୍ତମାନ ସୁଦ୍ଧା ତାହା ସ୍ପଷ୍ଟ କରି ନାହାନ୍ତି। ତେବେ, ଦଳକୁ ସେ ଖୋଲାଖୋଲି ଭାବେ ସମାଲୋଚନା କରିବାକୁ ମଧ୍ୟ ପଛାଇ ନାହାନ୍ତି। ଦଳର ଶୀର୍ଷ ନେତୃତ୍ବ ସର୍ବଦା ତାଙ୍କୁ ଅସ୍ତ୍ର କରି ନିଜର ସ୍ବାର୍ଥ ସାଧନ କରି ଆସିଛନ୍ତି। ବର୍ଷବର୍ଷ ଧରି ଦଳୀୟ ସଙ୍ଗଠନ ପାଇଁ କାର୍ଯ୍ୟ କରିବା ସତ୍ତ୍ବେ ତାଙ୍କ ପ୍ରତି ଅନ୍ୟାୟ କରାଯାଇଛି ବୋଲି ଅନୁଭବ ଅଭିଯୋଗ କରିଛନ୍ତି। ସେ ସ୍ବାଧୀନ ଭାବେ ନିର୍ବାଚନ ଲଢ଼ିପାରନ୍ତି ବୋଲି ଚର୍ଚ୍ଚା ଚାଲିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଖଣ୍ଡପଡ଼ାରେ ବିଜେପିରୁ ଦୁଷ୍ମନ୍ତ ନାୟକ ଓ କଂଗ୍ରେସରୁ ବୈଜୟନ୍ତୀମାଳା ମହାନ୍ତି ପ୍ରାର୍ଥୀ ହୋଇଛନ୍ତି। ବିଜେପି ପ୍ରାର୍ଥୀ ଦୁଷ୍ମନ୍ତ ଗତ ସାଧାରଣ ନିର୍ବାଚନ‌ରେ ସ୍ବାଧୀନ ଭାବେ ପ୍ରାର୍ଥୀ ହୋଇ ୧୮ ହଜାର‌ ଭୋଟ୍ ପାଇଥିଲେ। ଏଣୁ ବିଜେଡି ମଧ୍ୟରେ ଥିବା କନ୍ଦଳରୁ ଫାଇଦା ନେବାପାଇଁ ସେ ନିଶ୍ଚିତ ଭାବେ ପ୍ରୟାସ କରିବେ ବୋଲି ଚର୍ଚ୍ଚା ଜୋର୍‌ ଧରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe