ଭଗବତୀଙ୍କ ପୀଠରେ କିନ୍ନର ସଂଘର ସାବିତ୍ରୀ ବ୍ରତ

ଭଗବତୀଙ୍କ ପୀଠରେ କିନ୍ନର ସଂଘର ସାବିତ୍ରୀ ବ୍ରତ

କୋଣାର୍କ : କୋଣାର୍କ କିନ୍ନର ସଂଘ ପକ୍ଷରୁ କୋଣାର୍କର ଅଧିଷ୍ଠାତ୍ରୀ ଦେବୀ ମା’ଭଗବତୀଙ୍କ ପୀଠରେ ସାବିତ୍ରୀ ବ୍ରତ ପାଳନ କରାଯାଇଛି। ଏହି ଅବସରରେ କିନ୍ନରମାନେ ନିଜ ଗୁରୁଙ୍କ ଆୟୁଷ ବୃଦ୍ଧି ଓ ଆରୋଗ୍ୟ କାମନା କରି ମା’ଙ୍କ ନିକଟରେ ପୂଜାର୍ଚ୍ଚନା କରି ବ୍ରତ ଧାରଣ କରିଥିଲେ। ହିନ୍ଦୁ ଧର୍ମର ସଧବାମାନେ ନିଜ ସ୍ୱାମୀଙ୍କ ଦୀର୍ଘଜୀବନ ଓ ପରିବାରର ମଙ୍ଗଳ କାମନା ପାଇଁ ସାବିତ୍ରୀ ବ୍ରତ ପାଳିଥାନ୍ତି।

ସେହିପରି କିନ୍ନରମାନେ ଯେତେବେଳେ ଅବହେଳିତ ହୋଇ ନିଜ ପରିବାରରୁ ବାହାରି ନିଜର ସ୍ୱତନ୍ତ୍ର ପରିବେଶକୁ ଆପଣେଇଥାନ୍ତି ସେତେବେଳେ ତାଙ୍କୁ ଆପଣାଇ ଥିବା ବ୍ୟକ୍ତିଙ୍କୁ ହିଁ ସେମାନେ ଗୁରୁ ବୋଲି ମାନିନିଅନ୍ତି। ନିଜ ଗୁରୁଙ୍କ ଦୀର୍ଘ ଜୀବନ ସହ ମଙ୍ଗଳ କାମନା କରି କିନ୍ନରମାନେ ସାବିତ୍ରୀ ବ୍ରତକୁ ଧୁମ୍‌ଧାମ୍‌ରେ ପାଳିଥାନ୍ତି।

ସଧବା ସ୍ତ୍ରୀ ପରି କିନ୍ନରମାନେ ଫଳମୂଳ ସହିତ ସିନ୍ଦୁର, ଚୁଡ଼ି ଓ ବ୍ରତ ନେଇ ମା’ଙ୍କ ପାଖରେ ସମର୍ପଣ କରିବାପରେ ନୂତନ ବସ୍ତ୍ର ପରିଧାନ କରି ଉପବାସ ବ୍ରତ ପାଳନ କରନ୍ତି। ସାବିତ୍ରୀ ବ୍ରତ ଅବସରରେ କୋଣାର୍କ କିନ୍ନର ସଂଘର ମୁଖ୍ୟ ଦୀପା କିନ୍ନରଙ୍କ ନେତୃତ୍ୱରେ ପାୟଲ, ଶ୍ରଦ୍ଧା, ଶାନ୍ତି, ସୁକାନ୍ତି, ମୁସ୍କାନ, ସନ୍ଧ୍ୟା, ପ୍ରଶାନ୍ତି, ଗାୟତ୍ରୀ, ରଶ୍ମି, ଜୁଲି, ରୁବି ଓ ଶିବାନୀ ପ୍ରମୁଖ ମା’ଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe