ରଖେ ହରି, ମାରେ କିଏ: ମହାନଦୀ ସୁଅରେ ଛତିଶଗଡ଼ରୁ ଭାସିଆସିଲେ ମହିଳା

Advertisment

ଉଦ୍ଧାର କଲେ ମତ୍ସ୍ୟଜୀବୀ

ଉଦ୍ଧାର କଲେ ମତ୍ସ୍ୟଜୀବୀ

ରଖେ ହରି, ମାରେ କିଏ: ମହାନଦୀ ସୁଅରେ ଛତିଶଗଡ଼ରୁ ଭାସିଆସିଲେ ମହିଳା

ଝାରସୁଗୁଡ଼ା: କଥାରେ ଅଛି, ରଖେ ହରି ମାରେ କିଏ। ଏଭଳି ଏକ ଘଟଣା ଆଜି ସକାଳୁ ଦେଖିବାକୁ ମିଳିଛି ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ପଲସଦା ଗ୍ରାମରେ। ଛତିଶଗଡ଼ ସାଙ୍ଗରଗଡ଼ ଜିଲ୍ଲା ପୁରଥର ଜଣେ ମହିଳା ମହାନଦୀର ଅକାତକାତ ସୁଅରେ ଭାସି ଆସିଥିବା ବେଳେ ପ୍ରାୟ ୨୦ କିମି ଦୂର ପଲସଦା ନିକଟରୁ ମତ୍ସ୍ୟଜୀବୀମାନେ ତାଙ୍କୁ ଉଦ୍ଧାର କରିଥିଲେ। ମହିଳାଜଣଙ୍କ ହେଉଛନ୍ତି ପୁରଥର ସରୋଜିନୀ ରଣବୀର। ସବୁଠାରୁ ଚକିତ କରିଦେବା ଘଟଣା ହେଉଛି ମହାନଦୀର ପ୍ରଖର ସୁଅରେ ଡଙ୍ଗ‌ା ଚାଲିବା ବି କଷ୍ଟକର ହୋଇଥିବା ବେଳେ ସରୋଜିନୀଙ୍କ ଉଭୟ ଗୋଡ଼ରେ ବେଡ଼ି ପଡ଼ିଥିଲା। ଏହା ସତ୍ତ୍ବେ ସେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିଲେ। ପରେ ସରୋଜିନୀଙ୍କ ପରିବାର ଲୋକେ ସୂଚନା ପାଇ ପଲସଦା ଗ୍ରାମରେ ପହଞ୍ଚି ତାଙ୍କୁ ଘରକୁ ନେଇ ଫେରିଛନ୍ତି।

ସୂଚନାନୁସାରେ, ମାନସକି ଅନଗ୍ରସର ସରୋଜିନୀ ବିଳାସପୁରର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ସେ ଯୁଆଡ଼େ ଇଚ୍ଛା ସେଆଡ଼େ ଚାଲି ଯାଉଥିବାରୁ ତାଙ୍କ ଗୋଡ଼ରେ ଲୁହାର ବେଡ଼ି ପକାଇ ରଖାଯାଉଥିଲା। ଗତକାଲି ସନ୍ଧ୍ୟାରୁ ସେ ଘରୁ ବାହାରି ଚାଲି ଆସିଥିଲେ। ପ୍ରବଳ ବର୍ଷା ସତ୍ତ୍ବେ ପରିବା‌ର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ ହେଁ ତାଙ୍କର କୌଣସି ସନ୍ଧାନ ପାଇନଥିଲେ। ଆଜି ସକାଳୁ ମହାନଦୀକୁ ମାଛ ମାରିବାକୁ ଯାଇଥିବା ପଲସଦା ଗ୍ରାମର ମତ୍ସ୍ୟଜୀବୀମାନେ ମଝି ନଈରେ ଥିବା ଏକ ଟାପୁ ନିକଟରୁ ‘ବଚାଓ ବଚାଓ’ ବୋଲି ଚିତ୍କାର ଶୁଣିବାକୁ ପାଇଥିଲେ। ଜଣେ ମହିଳା ଭାସି ଯାଉଥିବା ଦେଖି ମତ୍ସ୍ୟଜୀବୀ ଦାନୀ ସେଠ, ସୁରଦାସ ମେହେର ପ୍ରମୁଖ ସରୋଜିନୀଙ୍କୁ ଉଦ୍ଧାର କରି ଡଙ୍ଗାକୁ ଆଣିଥିଲେ। ଏହାପରେ ଡଙ୍ଗାରେ ଥିବା କନ୍ଥା ତାଙ୍କ ଶରୀରରେ ଘୋଡ଼ାଇ ଦେବା ସହିତ ସାଙ୍ଗରେ ନେଇଥିବା ଶୁଖିଲା ଖାଦ୍ୟ ଦେଇଥିଲେ। ସରୋଜିନୀଙ୍କୁ ଗାଁକୁ ଅଣାଯିବା ସହ ପୁଲିସ୍‌କୁ ମଧ୍ୟ ସୂଚନା ଦିଆଯାଇଥିଲା। ପରେ ପୁଲିସ୍‌ ଓ ତାଙ୍କ ପରିବାରବର୍ଗ ପହଞ୍ଚି ସରୋଜିନୀଙ୍କୁ ଘରକୁ ନେଇ ଯାଇଥିଲେ। ଖବର ଲେଖାହେବା ଯାଏ ସରୋଜିନୀ ନିଜେ ପାଣିକୁ ଡେଇଁ ପଡ଼ିଥିଲେ ନା ପାଦ ଖସିଯିବାରୁ ସେ ନଈରେ ଭାସି ଆସିଥିଲେ ତାହା ସ୍ପଷ୍ଟ ହୋଇପାରିନି। ତେବେ ମହାନଦୀରେ ଏହା ପ୍ରଥମ ଘଟଣା ନୁହେଁ। ବରଂ ୨୦୨୦ ମସିହାରେ ସୋନି ଯାଦବ ନାମକ ଜଣେ ଯୁବତୀ ମଧ୍ୟ ଅନୁରୂପ ଭାବେ ଛତିଶଗଡ଼ରୁ ମହାନଦୀରେ ଭାସି ଆସିଥିଲେ। ପରେ ଲଖନପୁର ବ୍ଲକ୍‌ କୁସମେଲ ଗ୍ରାମ ନିକଟରୁ ତାଙ୍କୁ ଉଦ୍ଧାର କରାଯାଇଥିଲା। ତତ୍କାଳୀନ ବ୍ରଜରାଜନଗର ବିଧା‌ୟକ କିଶୋର ମହାନ୍ତି ଉଦ୍ଧାର ହୋଇଥିବା ସୋନିଙ୍କୁ ଝିଅ ଭାବେ ଗ୍ରହଣ କରିଥିଲେ ଓ ପରେ ତାଙ୍କର ବିବାହ କରାଇ ନିଜେ କନ୍ୟାଦାନ ବି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe