ପରିବାର କଲ୍ୟାଣ ନିର୍ଦ୍ଦେଶାଳୟରେ ୫୦ ଲକ୍ଷ ଦୁର୍ନୀତି : ତଦନ୍ତ ତ୍ୱରାନ୍ଵିତ କରିବାକୁ କ୍ରାଇମ୍‌ବ୍ରାଞ୍ଚ୍‌କୁ ଚିଠି ଲେଖିଲେ ସଚିବ

ଆଶ୍ରୟସ୍ଥଳୀ ଉପରେ କ୍ରାଇମ୍‌ବ୍ରାଞ୍ଚର ନଜର

ଭୁବନେଶ୍ୱର : ପରିବାର କଲ୍ୟାଣ ନିର୍ଦ୍ଦେଶାଳୟରେ ୫୦ ଲକ୍ଷ ଟଙ୍କାର ଦୁର୍ନୀତି ଅଭିଯୋଗ ଉଠିଛି। ଏଥି ପାଇଁ ନିର୍ଦ୍ଦେଶାଳୟର ଜଣେ ଉପନିର୍ଦ୍ଦେଶକଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଛି। କ୍ରାଇମ୍‌ବ୍ରାଞ୍ଚ୍‌ ଏହାର ତଦନ୍ତ ଦାୟିତ୍ୱ ନେଇଥିଲେ ବି ତଦନ୍ତ ତ୍ୱରାନ୍ଵିତ ହେଉ ନ ଥିବାରୁ ଉଦ୍‌ବେଗ ପ୍ରକାଶ କରିଛନ୍ତି ସ୍ୱାସ୍ଥ୍ୟ ବିଭାଗ ସଚିବ। ଏ ନେଇ ସେ କ୍ରାଇମ୍‌ବ୍ରାଞ୍ଚ୍‌ ଏଡିଜିଙ୍କୁ ଚିଠି ଲେଖି ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ଵିତ କରିବା ପାଇଁ ଅନୁରୋଧ କରିଛନ୍ତି।

ସ୍ୱାସ୍ଥ୍ୟ ସଚିବ ପ୍ରମୋଦ ମେହେର୍ଦ୍ଦା ତାଙ୍କ ଚିଠିରେ ଦର୍ଶାଇଛନ୍ତି, କ୍ରାଇମ୍‌ବ୍ରାଞ୍ଚ୍‌ର ଅତିରିକ୍ତ ଏସ୍‌ପି ଏହାର ତଦନ୍ତ କରି ଏକ ରିପୋର୍ଟ ଦେଇଥିଲେ, ଯାହାକୁ କି ମୁଖ୍ୟ ଶାସନ ସଚିବଙ୍କ ଅବଗତି ନିମନ୍ତେ ପଠାଯାଇଛି। ପରେ କ୍ରାଇମ୍‌ବ୍ରାଞ୍ଚ୍‌ ଏସ୍‌ପି(ସିଆଇଡି) ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବଙ୍କୁ ଚିଠି ଲେଖି ଜଣାଇଛନ୍ତି ଯେ ଚେକ୍‌ ବହିରେ ସଂପୃକ୍ତ ଉପନିର୍ଦ୍ଦେଶକ ରବୀନ୍ଦ୍ର କୁମାର ମିଶ୍ରଙ୍କ ଦସ୍ତଖତ ଏତେ ସଂକ୍ଷିପ୍ତ ଯେ ତାହାକୁ ତାଙ୍କର ଅନ୍ୟ ଦସ୍ତଖତ ସହ ମିଳାଇବା ସମ୍ଭବପର ନୁହେଁ। ତେଣୁ ସେହି ଦସ୍ତଖତକୁ ଅଧିକ ଯାଞ୍ଚ୍‌ କରିବା ପାଇଁ କୋଲକାତାର ସିଏଫ୍‌ଏସ୍‌ଏଲ୍‌କୁ ପଠାଯାଇଛି। କିନ୍ତୁ ସିଏଫ୍‌ଏସ୍‌ଏଲ୍‌ର ମତାମତ ଏ ପର୍ଯ୍ୟନ୍ତ ଆସି ନାହିଁ। ଫଳରେ ଶ୍ରୀ ଓ ଅନ୍ୟମାନଙ୍କ ଅପରାଧିକ ସଂପୃକ୍ତି ପ୍ରମାଣିତ ହୋଇପାରୁନି।

ଏହା ଏକ ବଡ଼ ଧରଣର ଠକେଇ ହୋଇଥିବାରୁ ବ୍ୟକ୍ତିଗତ ଭାବେ ଏହାର ତଦାରଖ କରି ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ଵିତ କରିବା ପାଇଁ କ୍ରାଇମ୍‌ବ୍ରାଞ୍ଚ୍‌ ଏଡିଜିଙ୍କୁ ଶ୍ରୀ ମେହେର୍ଦ୍ଦା କହିଛନ୍ତି। ତଦନ୍ତ ରିପୋର୍ଟ ଆସିଲା ପରେ ଉପନିର୍ଦ୍ଦେଶକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe