ପୁରୀ ଶ୍ରୀଜଗନ୍ନାଥ ବଲ୍ଲଭ ମଠରେ କୋଟି କୋଟିର କେଳେଙ୍କାରୀ

୧୬ କୋଟି ଖର୍ଚ୍ଚ ଉପରେ ଉଠିଲା ଆପତ୍ତି, ପୂର୍ବତନ ସଭାପତି ଓ ଇଓଙ୍କ ଠାରୁ ୨୫ ଲକ୍ଷ ଆଦାୟ

ପୁରୀ ଶ୍ରୀଜଗନ୍ନାଥ ବଲ୍ଲଭ ମଠରେ କୋଟି କୋଟିର କେଳେଙ୍କାରୀ

ଭୁବନେଶ୍ୱର : ପୁରୀ ଶ୍ରୀଜଗନ୍ନାଥ ବଲ୍ଲଭ ମଠରେ କୋଟି କୋଟି ଟଙ୍କାର କେଳେଙ୍କାରୀ ହୋଇଥିବା ସାମ୍ନାକୁ ଆସିଛି। ଦେବୋତ୍ତର ଆୟୁକ୍ତଙ୍କ ପକ୍ଷରୁ ହୋଇଥିବା ୯ ବର୍ଷର ଅଡିଟ୍‌ ରିପୋର୍ଟରୁ ଏହି ତଥ୍ୟ ପଦାକୁ ଆସିଛି। କେବଳ ତଥ୍ୟ ପଦାକୁ ଆସିନାହିଁ ବରଂ ଠାକୁରଙ୍କର ଆୟରୁ ୧୬ କୋଟି ୬୯ ଲକ୍ଷ ୫୫ ହଜାର ୩୭୦ ଟଙ୍କା କ୍ଷମତାର ଅପବ୍ୟବହାର ଓ ଓଡ଼ିଶା ହିନ୍ଦୁ ଦେବୋତ୍ତର ଆଇନ ଖିଲାପ କରି ହୋଇଥିବା ଖର୍ଚ୍ଚ ଉପରେ ଆପତ୍ତି ଉଠିଛି। ବଡ଼ କଥା ହେଉଛି ପୂର୍ବତନ ସଭାପତି ତଥା ପୂର୍ବତନ କାଉନସିଲର ଭକ୍ତଚରଣ ଦାସ, ପୂର୍ବତନ ନିର୍ବାହୀ ଅଧିକାରୀ(ଇଓ) ମୁକ୍ତିକାନ୍ତ ଦାସ, ନରେନ୍ଦ୍ର ମହାନ୍ତି ଓ ବି.କେ ମହାପାତ୍ର, ପାର୍କିଂ ଫି ସଂଗ୍ରହକାରୀ କୁବେର ପ୍ରଧାନ ଓ ଅଧିକାରୀ ମହାନ୍ତି, ପୂର୍ବତନ ଆକାଉଣ୍ଟାଣ୍ଟ ପ୍ରଭାସ ରଥଙ୍କଠାରୁ ପାଖାପାଖି ୨୫ ଲକ୍ଷ ଆଦାୟ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି। ଦେବୋତ୍ତର ଆୟୁକ୍ତ ବିରଜା ପ୍ରସାଦ ଦତ୍ତ ଏ ନେଇ ନୋଟିସ ଜାରି କରିଛନ୍ତି।

ସୂଚନା ମୁତାବକ, ଶ୍ରୀଜଗନ୍ନାଥ ବଲ୍ଲଭ ମଠ ପରିସରରେ ଏକ ପାର୍କିଂ ଜାଗା ରହିଛି। ଯେଉଁଠାରେ ପ୍ରତିଦିନ ଶତାଧିକ ଗାଡ଼ି ପାର୍କିଂ ହେଉଛି। ଏହି ବ୍ୟବସ୍ଥାକୁ ମଠ ପରିଚାଳନା କରୁଛି। ତା ସହିତ ମଠର ଭଡ଼ା ଲାଗିଥିବା ଘର ଓ ଅନ୍ୟାନ୍ୟ ଉତ୍ସରୁ ରୋଜଗାର ଥିଲା। ବର୍ଷ ବର୍ଷ ଧ‌ରି ଏଠାରେ ଅନିୟମିତତା ହେଉଥିବା ନେଇ ଅଭିଯୋଗ ହୋଇ ଆସିଥିଲା। ୨୦୦୯-୧୦ ରୁ ୨୦୧୭-୧୮ ବର୍ଷର ଅଡିଟ୍‌ ଆଦେଶ ହୋଇଥିଲା। ୯ ବର୍ଷର ଅଡିଟ୍‌ରେ ଏହି ଉଦ୍‌ବେଗଜନକ ତଥ୍ୟ ପଦାକୁ ଆସିଥିଲା। ବ୍ୟାଙ୍କ୍‌ ଅଫ୍ ଇଣ୍ଡିଆ ଓ ବିଜୟା ବ୍ୟାଙ୍କ୍‌ରେ ଜମା ଥିବା ୨ଟି ଟର୍ମ ଡିପୋଜିଟ୍‌ ପୂର୍ବତନ ସଭାପତି ଭକ୍ତଚରଣ ଦାସ ଓ ପୂର୍ବତନ ଇଓ ମୁକ୍ତିକାନ୍ତ ଦାସ ଉଠାଇ ଖର୍ଚ୍ଚ କରିଥିବାରୁ ଆର୍ଥିକ କ୍ଷତି ହୋଇଥିଲା। ଏଣୁ ସେମାନଙ୍କଠାରୁ ୭ ଲକ୍ଷ ୭୩ ହଜାର ୯୮୬ ଟଙ୍କା ଆଦାୟ କରିବାକୁ ପ୍ରସ୍ତାବ ଦିଆଯାଇଛି।

ନିଲାମ ନେଇଥିବା ଜଣେ ବ୍ୟକ୍ତିଙ୍କୁ ଏକ ପୋଷ୍ଟ ଡେଟେଡ୍‌ ଚେକ୍‌ ଜମା କରିବା ପାଇଁ ଏହି ପୂର୍ବତନ ସଭାପତି ସ୍ବୀକୃତି ଦେଇଥିଲେ। ଆବଶ୍ୟକ ମୁତାବକ ଅର୍ଥ ଅଭାବ ଥିବାରୁ ଚେକ୍‌ ବାଉନ୍ସ କରିଥିଲା। ଫଳରେ ଅନୁଷ୍ଠାନର କ୍ଷତି ହୋଇଥିଲା। ଏଣୁ କେବଳ ପୂର୍ବତନ ସଭାପତିଙ୍କଠାରୁ ୮ଲକ୍ଷ ୭୫ ହଜାର ୩୩୭ ଟଙ୍କା ଆଦାୟ ପାଇଁ ପ୍ରସ୍ତାବ ଦିଆଯାଇଛି। ସେହିଭଳି ଦରିଆ ମହାବୀର ନିଲାମ ଦରଠାରୁ ଭକ୍ତଚରଣ ଦାସ କ୍ଷମତାର ଅପବ୍ୟବହାର କରି ୫ ପ୍ରତିଶତ କମାଇ ଦେଇଥିଲେ। ଯେଉଁଥିରେ ଅନୁଷ୍ଠାନ ଆର୍ଥିକ କ୍ଷତି ସହିଥିଲା। ଏଣୁ ଏଥିପାଇଁ କେବଳ ଭକ୍ତଙ୍କଠାରୁ ୧ ଲକ୍ଷ ୨ ହଜାର ୬୨ ଟଙ୍କା ଆଦାୟ ପ୍ରସ୍ତାବ ରହିଛି।

ସେହିଭଳି ନିଲାମ ଅର୍ଥ ପୂର୍ଣ୍ଣ ଜମା ହେବା ପାଇଁ ନିଲାମ ନେଇଥିବା ବ୍ୟକ୍ତି ସହ ଚୁକ୍ତି ହୋଇଥାଏ। କିନ୍ତୁ ଚୁକ୍ତି ଖିଲାପ କରି ପୂର୍ଣ୍ଣ ଅର୍ଥ ଆଦାୟ ହୁଏ ନାହିଁ। ବର୍ଷ ବର୍ଷ ଧରି ଏଭଳି ଚାଲିଥିବାରୁ ଅନୁଷ୍ଠାନ କ୍ଷତି ସହିଛି। ସେଥିପାଇଁ ପୂର୍ବତନ ଇଓ ନରେନ୍ଦ୍ର ମହାନ୍ତିଙ୍କଠାରୁ ୧ ଲକ୍ଷ ୩୧ ହଜାର ଟଙ୍କା ଆଦାୟ ପ୍ରସ୍ତାବ ରହିଛି। ସେହିଭଳି ୨୦୦୮ରୁ ୨୦୧୧ ପର୍ଯ୍ୟନ୍ତ ନଡ଼ିଆ ବାବଦକୁ ଆଦାୟ ହେବାକୁ ଥିବା ଅର୍ଥ ଆଦାୟ ‌ହୋଇନାହିଁ। ଫଳରେ ଅନୁଷ୍ଠାନର କ୍ଷତି ହୋଇଛି। ଏଣୁ ତାଙ୍କଠାରୁ ୯୧ ହଜାର ଟଙ୍କା ଆଦାୟ ପ୍ରସ୍ତାବ ରହିଛି। ସେହିଭଳି କାଜୁ ନିଲାମ ବାବଦକୁ ୨୦୦୯ଠାରୁ ଟଙ୍କାଟିଏ ଆଦାୟ ହୋଇ ନାହିଁ। ଏଥିପାଇଁ ପଦକ୍ଷେପ ନେଇ ନଥିବାରୁ ଭକ୍ତଚରଣ ଦାସ ଓ ମୁକ୍ତିକାନ୍ତ ଦାସଙ୍କଠାରୁ ୫୧ ହଜାର ଆଦାୟ ପ୍ରସ୍ତାବ ରହିଛି।

ସେହିଭଳି ମୁକ୍ତିକାନ୍ତ ଦାସ ଓ ଆକାଉଣ୍ଟାଣ୍ଟ ପ୍ରଭାସ କୁମାର ରଥ ୬୪ ହଜାର ପାର୍କିଂ ଦେୟ ବ୍ୟାଙ୍କ୍‌ରେ ଜମା କରିନାହାନ୍ତି। ଏହାକୁ ତୋଷାରପାତ କରିଥିବାରୁ ଉଭୟଙ୍କ ଠାରୁ ଏହି ପରିମାଣ ଆଦାୟ ପ୍ରସ୍ତାବ ରହିଛି। ଆର୍ଥିକ ତୋଷାରପାତ ପାଇଁ ପାର୍କିଂ ଫି କଲେକ୍ଟର ଅଧିକାରୀ ମହାନ୍ତି ଓ କୁବେର ପ୍ରଧାନଙ୍କଠାରୁ ୩୩ ହଜାର ଆଦାୟ ପ୍ରସ୍ତାବ ରହିଛି।

ପାର୍କିଂ ଆକାଉଣ୍ଟରେ ଜମା ହେବାକୁ ଥିବା ୨ ଲକ୍ଷ ୭୭ ହଜାର ୯୯୧ ଟଙ୍କା ଜମା ହୋଇନଥିବା ବେଳେ ଋଣ ଅଗ୍ରୀମ ବାବଦକୁ ଅତିରିକ୍ତ ୩୬ ହଜାର ୫ଶହ ପ୍ରଦାନ କରାଯାଇଛି। ଏଣୁ ଥିବାରୁ ପୂର୍ବତନ ସଭାପତି ଭକ୍ତଚରଣ ଦାସ, ଆକାଉଣ୍ଟାଣ୍ଟ ପ୍ରଭାସ ରଥ, ପୂର୍ବତନ ଇଓ ବି.କେ ମହାପାତ୍ରଙ୍କ ଠାରୁ ୩ ଲକ୍ଷ ୧୪ ହଜାର ୪୯୧ ଆଦାୟ ପ୍ରସ୍ତାବ ରହିଛି। ଏଭଳି ମୋଟ ୭ ଜଣଙ୍କ ଠାରୁ ୨୫ ଲକ୍ଷ ୫୨ ହଜାର ୧୬୫ଟଙ୍କା ଆଦାୟ ପାଇଁ ପ୍ରସ୍ତାବ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe