ଚିକିତ୍ସା ବିଜ୍ଞାନରେ ପୁଣି ନୂଆ ଅଧ୍ୟାୟ ଯୋଡ଼ିଲା ଏସ୍‌ସିବି: ସରକାରୀ ବ୍ୟବସ୍ଥାରେ ରାଜ୍ୟରେ ପ୍ରଥମ ‘ପୋଏମ୍‌’ ସର୍ଜରି

Advertisment

୩ଜଣଙ୍କର ମାଗଣାରେ କରାଗଲା ଅସ୍ତ୍ରୋପଚାର

୩ଜଣଙ୍କର ମାଗଣାରେ କରାଗଲା ଅସ୍ତ୍ରୋପଚାର

ଚିକିତ୍ସା ବିଜ୍ଞାନରେ ପୁଣି ନୂଆ ଅଧ୍ୟାୟ ଯୋଡ଼ିଲା ଏସ୍‌ସିବି: ସରକାରୀ ବ୍ୟବସ୍ଥାରେ ରାଜ୍ୟରେ ପ୍ରଥମ ‘ପୋଏମ୍‌’ ସର୍ଜରି

କଟକ : ଚିକିତ୍ସା ବିଜ୍ଞାନରେ ପୁଣି ଏକ ନୂଆ ଅଧ୍ୟାୟ ଯୋଡିଲା କଟକ ବଡ଼ଡାକ୍ତରଖାନା। ଏସ୍‌ସିବି ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ବିଭାଗରେ ସରକାରୀ ବ୍ୟବସ୍ଥାରେ ପ୍ରଥମଥର ପାଇଁ ରାଜ୍ୟରେ ମାଗଣାରେ କରାଯାଇଛି ‘ପୋଏମ୍‌’ ସର୍ଜରି। ଯେଉଁଥିରେ, ‌କଟାକଟି କରା ନଯାଇ ‘ଥାର୍ଡ ସ୍ପେସ୍‌ ଏଣ୍ଡେସ୍କୋପି’ ମାଧ୍ୟମରେ ‘ଆକାଲାସିଆ କାଡିଆ’ ଭଳି ଏକ ଦୂରାରୋଗ୍ୟ ବ୍ୟାଧିର ସଫଳ ଅସ୍ତ୍ରୋପଚାର କରାଯାଇଛି। ଆଜି ପ୍ରଥମଦିନ ଜଗତସିଂହପୁର, ଯାଜପୁର, ଅନୁଗୁଳ ଜିଲ୍ଲାର ୩ଜଣ ରୋଗୀଙ୍କ ସଫଳ ଅସ୍ତ୍ରୋପଚାର କରାଯାଇଛି ଓ ସମସ୍ତ ରୋଗୀ ସୁସ୍ଥ ଅଛନ୍ତି। ଏସ୍‌ସିବି ଶଲ୍ୟ ବିଭାଗ ଏସିକନ୍ ହଲରେ ଏଣ୍ଡୋସ୍କୋପି ବିଭାଗର ପ୍ଲାଟିନମ୍ ଜୁବଲି ଲାଇଭ୍‌ ୱାକସପ୍ ଅନୁଷ୍ଠିତ ହୋଇଯାଇଛି। ଏହି ଦିନିକିଆ କର୍ମଶାଳାରେ ଦିଲ୍ଲୀସ୍ଥିତ ମେଦାନ୍ତ ହସପିଟାଲ୍‌ ଏଣ୍ଡୋସ୍କୋପି ବିଭାଗ ନିର୍ଦ୍ଦେଶକ ଡାକ୍ତର ରାଜେଶ ପୁରୀ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଥମଦିନର ଅସ୍ତ୍ରୋପଚାରର ନେତୃତ୍ବ ନେଇ କରାଇଛନ୍ତି।

ରାଜ୍ୟ ଚିକିତ୍ସା ବିଜ୍ଞାନରେ ସବୁବେଳେ ନୂଆ ଅଧ୍ୟାୟ ସୃଷ୍ଟି କରେ କଟକର ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ ବା କଟକ ବଡ଼ଡାକ୍ତରଖାନା। ଏଥର ‘ଆକାଲାସିଆ କାଡିଆ’ ଭଳି ରୋଗ ଚିକିତ୍ସାରେ ଏହି ସଫଳତା ମିଳିଛି। ଏହି ରୋଗ ହେଲେ ରୋଗୀ ଖାଦ୍ୟ ଖାଇବାରେ ଅସୁବିଧା ସୃଷ୍ଟି ହୁଏ। ଖାଇବା ସମୟରେ ଖାଦ୍ୟ ଛାତିରେ ଅଟକି ଯାଏ। ଅର୍ଥାତ୍‌ ଖାଦ୍ୟ ଛାତିର ତଳଭାଗକୁ ଯାଇପାରେ ନାହିଁ ଓ ଜମାଟ ବାନ୍ଧିବା ଭଳି ଅନୁଭବ ହୁଏ। ଯେଉଁଥିରେ ରୋଗୀର ଖାଦ୍ୟନଳୀରେ ମାଂସପେଶୀ ବଢ଼ି ଖାଇବାରେ ଅସୁବିଧା ସୃଷ୍ଟି କରେ। ଏଭଳି କ୍ଷେତ୍ରରେ ରୋଗୀକୁ ଆଉ ପେଟ ଚିରି ଅସ୍ତ୍ରୋପଚାର କରିବାର ଆବଶ୍ୟକତା ପଡିବ ନାହିଁ। ଅତ୍ୟାଧୁନିକ ଚିକିତ୍ସା ବିଜ୍ଞାନର ‘ଥାର୍ଡ ସ୍ପେସ୍‌ ଏଣ୍ଡେସ୍କୋପି’ ମାଧ୍ୟମରେ ବିନା କଟାକଟିରେ ଅତି ସହଜ ଉପାୟରେ ଏହି ଅସ୍ତ୍ରୋପଚାର କରାଯିବ। ଆଗରୁ ପେଟ ଚିରି ଏହି ଅସ୍ତ୍ରୋପଚାର କରାଯାଉଥିବା ବେଳେ ଏହି ନୂତନ ପଦ୍ଧତିରେ କେବଳ ‘ପୋଏମ୍‌’ ବା ‘ପର୍‌ ଓରାଲ ଏଣ୍ଡୋସ୍ପୋପିକ୍‌ ମାୟୋଟୋମି’ ଅର୍ଥାତ୍‌, ଏଣ୍ଡେସ୍କୋପି ମାଧ୍ୟମରେ ସାଂସପେଶୀ କଟାଯିବ, ତା ପୁଣି ପାଟିଦ୍ବାରା। ଏକ ଛୋଟିଆ କଣା କରି ଏହି ଅସ୍ତ୍ରୋପଚାର କରାଯିବ। ସବୁଠାରୁ ବଡ଼ କଥା ବେସରକାରୀ ହସ୍ପିଟାଲରେ ଏଭଳି ‘ଥାର୍ଡ ସ୍ପେସ୍‌ ଏଣ୍ଡେସ୍କୋପିକ୍’ ଅସ୍ତ୍ରୋପଚାର ପାଇଁ ୨ରୁ ୩ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ କଟକ ବଡ଼ଡାକ୍ତରଖାନାରେ କିନ୍ତୁ ସଂପୂର୍ଣ୍ଣ ମ‌ାଗଣାରେ ଏହି ସୁବିଧା ପାଇପାରିବେ ରାଜ୍ୟବାସୀ। ଆଗକୁ ଏଭଳି ଅସ୍ତ୍ରୋପଚାର ଏସ୍‌ସିବିରେ ନିୟମିତ ଭାବେ କରାଯିବ ଓ ଏଥିପାଇଁ ଯନ୍ତ୍ରାଂଶ ରାଜ୍ୟ ସରକାର ଯୋଗାଇଦେବେ।

ଆଜି ଏଭଳି ଅସ୍ତ୍ରୋପଚାର କରାଯିବା ଉଦ୍ଦେଶ୍ୟରେ ଅନୁଷ୍ଠିତ ଦିନିକିଆ କର୍ମଶାଳାରେ ଏସ୍‌ସିବି ଅଧ୍ୟକ୍ଷ ପ୍ରଫେସର ଡାକ୍ତର ଦତ୍ତେଶ୍ବର ହୋତା, ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ଚିତ୍ତରଞ୍ଜନ ପଣ୍ଡା, ପ୍ରଫେସର ଡାକ୍ତରଏସ.ପି. ସିଂହ, ଶଲ୍ୟଚିକିତ୍ସା ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ବନବିହାରୀ ମିଶ୍ର, ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ବିଭାଗ ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ପ୍ରଶାନ୍ତ ପରିଡା ପ୍ରମୁଖ ଯୋଗ ଦେଇଥିଲେ। ଅତିଥି ଭାବେ ଆସିଥିବା ମେଦାନ୍ତ ହସପିଟାଲ୍‌ ଏଣ୍ଡୋସ୍କୋପି ବିଭାଗ ନିର୍ଦ୍ଦେଶକ ଡାକ୍ତର ରାଜେଶ ପୁରୀ ଏହି ଆଡଭାନ୍ସ ଚିକିତ୍ସା ପଦ୍ଧତି ସଂପର୍କରେ ଏସ୍‌ସିବିର ବିଶେଷଜ୍ଞମାନଙ୍କୁ ପରାମର୍ଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe