indianadmissionsguru.com
କଟକ : ଏସ୍ସିବି ଜରାରୋଗ ବିଭାଗ ଏବେ ଜରାଗ୍ରସ୍ତ। ପୂର୍ବଭାରତର ପ୍ରଥମ ରିଜିଓନାଲ ଜେରିଆଟ୍ରିକ୍ ସେଣ୍ଟର ଏସ୍ସିବିରେ ଖୋଲିବା ପାଇଁ ମଞ୍ଜୁରୀ ମିଳିବା ସହିତ ୩କୋଟି ଟଙ୍କା ଆସିଥିଲା। ବର୍ଷାଧିକ କାଳ ହେବ ଏହି ଟଙ୍କା ପଡ଼ିରହିଛି। ପ୍ରକଳ୍ପ ଆଗେଇ ପାରୁ ନ ଥିବାବେଳେ ଏହାର ନୋଡାଲ ଅଫିସର ଦାୟିତ୍ବରେ ଥିବା ପ୍ରଫେସର ଡାକ୍ତର ଡି.ଏନ୍. ମହାରଣା ମଧ୍ୟ ଇତିମଧ୍ୟରେ ଅବସର ଗ୍ରହଣ କରିସାରିଛନ୍ତି। ଏଭଳି ସ୍ଥିତିରେ ଏହି ପ୍ରକଳ୍ପ ଆଗକୁ ଆଗେଇବା ନେଇ ଆଶଙ୍କା ଦେଖାଦେଇଛି।
ପୂର୍ବଭାରତର ଏସ୍ସିବି ମେଡିକାଲ କଲେଜରେ ହିଁ କେବଳ ଜରାରୋଗ (ଜେରିଆଟ୍ରିକ୍) ବିଭାଗ ରହିଛି। ଏହି ବିଭାଗକୁ ପୂର୍ବଭାରତର ପ୍ରଥମ ରିଜିଓନାଲ ଜେରିଆଟ୍ରିକ୍ ସେଣ୍ଟର୍ ଭାବେ ଗଢ଼ି ତୋଳିବା ପାଇଁ କେନ୍ଦ୍ର ସରକାର ଯୋଜନା କରିଥିଲେ। ୩ କୋଟିରୁ ଅଧିକ ଟଙ୍କା ବ୍ୟୟରେ ସ୍ବତନ୍ତ୍ର କେନ୍ଦ୍ର ଖୋଲାଯିବ। ଯେଉଁଠି ୱାର୍ଡ, ବେଡ୍ ଓ ଆଇସିୟୁ ବ୍ୟବସ୍ଥା ସବୁ ରହିବ। ଏହି ଯୋଜନା ପାଇଁ ଟଙ୍କା ମଧ୍ୟ ବର୍ଷେରୁ ଅଧିକ ସମୟ ହେଲା ଏସ୍ସିବିରେ ଆସି ପଡ଼ିଛି। କିନ୍ତୁ ଏହି ପୂର୍ବଭାରତର ପ୍ରକଳ୍ପ ଆଗେଇ ପାରୁନି। ଏସ୍ସିବିରେ ଲିଭର ପ୍ରତିରୋପଣ ୟୁନିଟ୍ ତଥା ବିଭିନ୍ନ ପୂର୍ବଭାରତର ପ୍ରଥମ ପ୍ରକଳ୍ପ ଭଳି ଏହି ପ୍ରକଳ୍ପ ଏବେ ମଉଳିଯିବାକୁ ବସିଛି। ପୂର୍ବରୁ ଜରାରୋଗ ବିଭାଗରେ ୨୦ ବେଡ୍ବିଶିଷ୍ଟ ୱାର୍ଡ ରହିଥିଲା। ତାକୁ ଧୀରେଧୀରେ ବନ୍ଦ କରିଦିଆଗଲା। ଏହି ବିଭାଗରେ ଥିବା ପ୍ରଫେସରଙ୍କୁ ଆଜି ଭିମସାର, କାଲି ବାଲେଶ୍ବର ଭଳି ବିଭିନ୍ନ ସ୍ଥାନକୁ ବାରମ୍ବାର ବଦଳି କରାଯିବା ଫଳରେ ଏହି ବିଭାଗ ଠିକ୍ ଭାବରେ ଚିକିତ୍ସା ଦେଇପାରିଲାନି। କିନ୍ତୁ ସପ୍ତାହର ୩ଦିନ ଅର୍ଥାତ୍ ଗୁରୁବାର, ଶୁକ୍ରବାର ଓ ଶନିବାର ଏହାର ଓପିଡି ହେଉଛି। ହେଲେ, ଏହାର ବିଭାଗୀୟ ମୁଖ୍ୟ ଥିବା ପ୍ରଫେସର ମହାରଣା ଡିସେମ୍ବର ୩୧ରେ ଅବସର ଗ୍ରହଣ କରିବା ପରଠାରୁ ଏହି ବିଭାଗ ଏବେ ନାମକୁ ମାତ୍ର ଚାଲିଛି। କେତେବେଳେ ପିଜି ଡାକ୍ତର ତ ଆଉ କେତେବେଳେ ଅନ୍ୟ କେଉଁ ଡାକ୍ତରଙ୍କୁ ନେଇ ଚାଲିଛି ବିଭାଗ। ଯେହେତୁ ପୂର୍ବଭାରତର ଏହି ପ୍ରଥମ ରିଜିଓନାଲ ଜେରିଆଟ୍ରିକ୍ ସେଣ୍ଟରର ନୋଡାଲ ଅଫିସର ଭାବେ ପ୍ରଫେସର ଡାକ୍ତର ମହାରଣାଙ୍କୁ ସରକାର ନିଯୁକ୍ତ କରିଛନ୍ତି ତେଣୁ ଏବେ ବି ତାଙ୍କ ପାଖକୁ ଚିଠି ଓ ଫୋନ୍ ମଧ୍ୟ ଆସୁଛି। କିନ୍ତୁ ସେ ଉତ୍ତର ଦେଇ ପାରୁନାହାନ୍ତି।
ସରକାର ତୁରନ୍ତ ପୂର୍ବଭାରତର ପ୍ରଥମ ରିଜିଓନାଲ ଜେରିଆଟ୍ରିକ୍ ସେଣ୍ଟରକୁ କାର୍ଯ୍ୟକ୍ଷମ କରିବା ସହ ନୂତନ ତାଲିମପ୍ରାପ୍ତ ଡାକ୍ତରଙ୍କୁ ନିଯୁକ୍ତି ଦେବା ପର୍ଯ୍ୟନ୍ତ ପ୍ରଫେସର ଡାକ୍ତର ମହାରଣାଙ୍କୁ ପୁନଃଅବସ୍ଥାପିତ କରିବା; ଡାକ୍ତର, କର୍ମଚାରୀ ନାହାନ୍ତି କହି ଗୋଟିଏ ଗୋଟିଏ ବିଭାଗକୁ ଏମିତି ବନ୍ଦ କରା ନଯାଉ ବୋଲି ବରିଷ୍ଠ ନାଗରିକ ମହାସଭାର ସଂପାଦକ ବିଷ୍ଣୁ ମୋହନ ଦାସସାମନ୍ତ ଦାବି କରିଛନ୍ତି।
Follow Us