କଟକ: ହେମାଟୋଲୋଜି ପରେ ଏସ୍ସିବି ବାୟୋକେମିଷ୍ଟ୍ରି ବିଭାଗକୁ ରାଜ୍ୟ ଗବେଷଣା କେନ୍ଦ୍ରର ମାନ୍ୟତା ଦେଇଛି ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟ। ପୁରୀ ଜୟ ଜଗନ୍ନାଥ ମେଡିକାଲ କଲେଜରେ ଆୟୋଜିତ ରାଜ୍ୟ ବାୟୋକେମିଷ୍ଟ୍ରି ଆସୋସିଏସନ୍ର ବାର୍ଷିକ ଉତ୍ସବରେ ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟ (ଓୟୁଏଚ୍ଏସ୍) କୁଳପତି ପ୍ରଫେସର ଡାକ୍ତର ମାନସରଞ୍ଜନ ସାହୁ ଏହି ଘୋଷଣା କରିଛନ୍ତି। ଫଳରେ ୧୯୬୩ରେ ଆରମ୍ଭ ହୋଇଥିବା ଏସ୍ସିବି ବାୟୋକେମିଷ୍ଟ୍ରି ବିଭାଗରେ ପିଏଚ୍ଡି ପାଠ୍ୟକ୍ରମ ପାଇଁ ବାଟ ଫିଟିଛି। ଏହାଦ୍ବାରା ରାଜ୍ୟ ମେଡିକାଲ୍ ଶିକ୍ଷା ବ୍ୟବସ୍ଥା ଅଧିକ ବ୍ୟବସ୍ଥିତ ହେବା ସହ ମେଡିକାଲ୍ ପାଠ୍ୟକ୍ରମରେ ଗବେଷଣାକୁ ଅଧିକ ଗୁରୁତ୍ୱ ମିଳିପାରିବ ବୋଲି ମତପ୍ରକାଶ ପାଇଛି। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଡିଏମ୍ଇଟି ପ୍ରଫେସର୍ ଡାକ୍ତର ବ୍ରଜକିଶୋର ଦାସ, ଏସ୍ସିବି ବାୟୋକେମିଷ୍ଟ୍ରି ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ପ୍ରତିମା ସାହୁଙ୍କ ସମେତ ବିଶେଷଜ୍ଞମାନେ ଉପସ୍ଥିତ ଥିଲେ।
ଘୋଷଣା କଲେ ଓୟୁଏଚ୍ଏସ୍ କୁଳପତି
ପିଏଚ୍ଡି ପାଠ୍ୟକ୍ରମ ପାଇଁ ଫିଟିଲା ବାଟ
ସୂଚନାଯୋଗ୍ୟ ଯେ, ଗତ ୧୪ତାରିଖ ଏସ୍ସିବିରେ ଓଡ଼ିଶା ହେମାଟୋଲୋଜି ବିଭାଗର ୧୪ତମ ବାର୍ଷିକ ସମ୍ମିଳନୀରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଓ ରାଜ୍ୟ ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର କୁଳପତି ଡାକ୍ତର ସାହୁ ଯୋଗଦେଇଥିଲେ। ଏହି ଅବସରରେ ରାଜ୍ୟର ମେଡିକାଲ ପାଠ୍ୟକ୍ରମରେ ପ୍ରଥମଥର ପାଇଁ ଏସ୍ସିବି ହେମାଟୋଲୋଜି ବିଭାଗରେ ପିଏଚ୍ଡି ପାଠ୍ୟକ୍ରମ ଖୋଲାଯିବା ଏବଂ ଏସ୍ସିବି ହେମାଟୋଲୋଜି ବିଭାଗକୁ ରାଜ୍ୟ ଗବେଷଣା କେନ୍ଦ୍ର ଭାବେ ଘୋଷଣା କରାଯାଇଥିଲା।
Follow Us