ଏସ୍‌ସିବିରେ ରାଜ୍ୟର ବୃହତ୍‌ ମା’ କ୍ଷୀର ବ୍ୟାଙ୍କ: ୨ବର୍ଷରେ ୭୬୯୨ ଶିଶୁଙ୍କୁ ଦିଆଗଲାଣି ମାଗଣା କ୍ଷୀର

କଟକ ବଡ଼ଡାକ୍ତରଖାନାରେ ଖୋଲିଥିବା ମା’ କ୍ଷୀର ବ୍ୟାଙ୍କରେ ଦୁଇ ବର୍ଷରେ ସଂଗ୍ରହ ହେଲାଣି ୧୨୧୪ ଲିଟର ୮୯୧ ମିଲିଲିଟର କ୍ଷୀର। ପ୍ରସୂତି ଓ ସ୍ତ୍ରୀ ରୋଗ ବିଭାଗରେ ଚିକିତ୍ସିତ ହେଉଥିବା ମା’ମାନେ ଏହି କ୍ଷୀର ସ୍ବଇଚ୍ଛାରେ ଦାନ କରୁଛନ୍ତି।

fghhfshfsxvb

କଟକ: କଟକ ବଡ଼ଡାକ୍ତରଖାନାରେ ଖୋଲିଥିବା ମା’ କ୍ଷୀର ବ୍ୟାଙ୍କରେ ଦୁଇ ବର୍ଷରେ ସଂଗ୍ରହ ହେଲାଣି ୧୨୧୪ ଲିଟର ୮୯୧ ମିଲିଲିଟର କ୍ଷୀର। ପ୍ରସୂତି ଓ ସ୍ତ୍ରୀ ରୋଗ ବିଭାଗରେ ଚିକିତ୍ସିତ ହେଉଥିବା ମା’ମାନେ ଏହି କ୍ଷୀର ସ୍ବଇଚ୍ଛାରେ ଦାନ କରୁଛନ୍ତି। ରକ୍ତଦାନ ଶୈଳୀରେ କ୍ଷୀରଦାନ କାର୍ଯ୍ୟକ୍ରମ ବଡ଼ଡାକ୍ତରଖାନାରେ ଆରମ୍ଭ ହୋଇଛି। ମୋଟ ୧୫ ହଜାର ୯୨୦ ଜଣ ମା’ ନିଜର ବଳକା କ୍ଷୀର ଦାନ କରିଥିବା ବେଳେ ଯେଉଁ ପ୍ରସୂତି ମହିଳାଙ୍କ ମା’ କ୍ଷୀରରେ ସମସ୍ୟା ହେଉଛି, ସେମାନଙ୍କ ଶିଶୁଙ୍କୁ ଏହି କେନ୍ଦ୍ରରୁ କ୍ଷୀର ସମ୍ପୂର୍ଣ୍ଣ ମାଗଣାରେ ଦିଆଯାଉଛି। ବର୍ତ୍ତମାନ ସୁଦ୍ଧା ମୋଟ ୭ ହଜାର ୬୯୨ ଶିଶୁଙ୍କୁ ମାଗଣାରେ ମା’ କ୍ଷୀର ଦିଆଗଲାଣି।

ଦେଶରେ ପ୍ରଥମ ମା’ କ୍ଷୀର ବ୍ୟାଙ୍କ ୧୯୮୯ରେ ମୁମ୍ବାଇର ସିଓନ ହସ୍ପିଟାଲରେ ପ୍ରତିଷ୍ଠା ହୋଇଥିଲା। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ କଟକ ବଡ଼ଡାକ୍ତରଖାନାର ପ୍ରସୂତି ଓ ସ୍ତ୍ରୀ ରୋଗ ବିଭାଗ କୋଠାରେ ଶିଶୁ ରୋଗ ବିଭାଗ ପକ୍ଷରୁ ‘ବ୍ୟାପକ ସ୍ତନ୍ୟପାନ ପରିଚାଳନା କେନ୍ଦ୍ର’ ୨୦୨୩ ଅଗଷ୍ଟରୁ କାର୍ଯ୍ୟକ୍ଷମ ହୋଇଥିଲା। ପ୍ରସୂତି ଓ ସ୍ତ୍ରୀ ରୋଗ ବିଭାଗରେ ପ୍ରତିଦିନ ହାରାହାରି ୩ ଲିଟର ମା’ କ୍ଷୀର ସଂଗ୍ରହ କରାଯାଉଛି। ହାରାହାରି ୧୫ ଜଣ ମା’ କ୍ଷୀର ଦାନ କରୁଛନ୍ତି। ଦାନ ଦେଉଥିବା କ୍ଷୀରରୁ ଦେଢ଼ ଲିଟର କ୍ଷୀର ଶିଶୁରୋଗ ନିଉବର୍ଣ୍ଣ ଆଇସିୟୁରେ ଗୁରୁତର ଅସୁସ୍ଥ ଶିଶୁଙ୍କୁ ପ୍ରଦାନ କରାଯାଉଛି।

୨ବର୍ଷରେ ୭୬୯୨ ଶିଶୁଙ୍କୁ ଦିଆଗଲାଣି ମାଗଣା କ୍ଷୀର
୩୦୦ ଲିଟର ମହଜୁଦ କ୍ଷମତା, ୬ ମାସ ସଂରକ୍ଷିତ ରହିପାରିବ

ବଳକା ଦେଢ଼ ଲିଟର କ୍ଷୀର ବ୍ୟାଙ୍କରେ ଗଚ୍ଛିତ ରହୁଛି। ମା’ ନିକଟରୁ କ୍ଷୀର ସଂଗ୍ରହ କରିବା ପରେ ଏହାକୁ ପାଶ୍ଚରାଇଜ୍‌ କରାଯାଉଛି। ଜୀବାଣୁ ମୁକ୍ତ କରାଯାଇ ସ୍ବତନ୍ତ୍ର ଫ୍ରିଜରରେ କ୍ଷୀରକୁ ରଖାଯାଉଛି। ଦୈନିକ ହାରାହାରି ୨୧ ଲିଟର କ୍ଷୀର ମହଜୁଦ ହୋଇ ରହୁଛି। ୩୦୦ ଲିଟର ପର୍ଯ୍ୟନ୍ତ ଏହି ଫ୍ରିଜର୍‌ରେ କ୍ଷୀର ରଖାଯିବାର କ୍ଷମତା ରହିଛି। ପ୍ରତି କ୍ଷୀରରେ ତାରିଖ ଓ ବ୍ୟାଚ ନମ୍ବର ରହୁଛି। ୬ ମାସରୁ ଅଧିକ ଦିନ ରହିଲେ ଏହାକୁ ନଷ୍ଟ କରାଯିବାର ବ୍ୟବସ୍ଥା ମଧ୍ୟ ରହିଛି। 

ରାଜ୍ୟରେ ମା’ କ୍ଷୀର ବ୍ୟାଙ୍କ ଏବେ କେବଳ କଟକ ବଡ଼ଡାକ୍ତରଖାନା ଓ ଭୁବନେଶ୍ବର କ୍ୟାପିଟାଲ୍ ହସ୍‌ପିଟାଲରେ ଖୋଲାଯାଇଛି। ଏଠାରେ ସଂଗ୍ରହ ହେଉଥିବା କ୍ଷୀରକୁ ବିକ୍ରି କରାଯାଇପାରିବ ନାହିଁ। ବଡ଼ଡାକ୍ତରଖାନାରେ ଚିକିତ୍ସିତ ଗୁରୁତର ଶିଶୁ ହିଁ କେବଳ ମାଗଣାରେ ଏହି ମା’ କ୍ଷୀର ପାଇପାରିବ। ଡବା କ୍ଷୀର ସାଧାରଣତଃ ଗାଈ ଓ ମଇଁଷି କ୍ଷୀରରୁ ପ୍ରସ୍ତୁତ ହେଉଥିବାରୁ ଏହା ସ୍ବାସ୍ଥ୍ୟ ଅନୁକୂଳ ନୁହେଁ। ସେଥିପାଇଁ ବଡ଼ଡାକ୍ତରଖାନାରେ ଶିଶୁ ରୋଗ ବିଭାଗ ପକ୍ଷରୁ ଏଭଳି ମା’ କ୍ଷୀର ଯୋଗାଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe