Woman inmate runs away from SCB Medical Center after kicking jail guard
କଟକ: ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ୨୦୧୨ରେ ଆରମ୍ଭ ହୋଇଥିଲା ଲିଭର ପ୍ରତିରୋପଣ ଯୋଜନା। ୨୦୨୪ରେ ସବୁ ପ୍ରକାର ପଦକ୍ଷେପ ନିଆଯାଇ ଦୁଇଟି ପ୍ରତିରୋପଣ ହେଲା। ଉପକରଣ କିଣାରେ ୩ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେଲା। ହେଲେ ଏବେ ସବୁ ବନ୍ଦ। ଲିଭର ପ୍ରତିରୋପଣ ପାଇଁ ପଞ୍ଜୀକରଣ କରିଥିବା ୧୨ରୁ ଅଧିକ ରୋଗୀ ଆଖି ବୁଜିଲେଣି। ୨ବର୍ଷ ହେଲା ଏସ୍ସିବି ସର୍ଜିକାଲ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗରେ ବିଶେଷଜ୍ଞ ବି ନାହାନ୍ତି। ହାଇଦ୍ରାବାଦର ଏସିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ଗ୍ୟା ଷ୍ଟ୍ରୋଏଣ୍ଟେରୋଲୋଜି (ଏଆଇଜି) ସହିତ ଚୁକ୍ତି ଅନୁସାରେ ୨ଟି ଲିଭର ପ୍ରତିରୋପଣ ପରେ ୬ମାସ ହେଲା ଲିଭର ପ୍ରତିରୋପଣ ଏସ୍ସିବିରେ ସଂପୂର୍ଣ୍ଣ ବନ୍ଦ।
ହାତବାନ୍ଧି ବସିଛନ୍ତି ୩ ଡାକ୍ତର
୬ ମାସ ହେଲା ମଡ୍ୟୁଲାର ଓଟି ବନ୍ଦ, ପଡ଼ିରହିଛି ୨ଟି କ୍ୟୁସା ମେସିନ୍
ସର୍ଜିକାଲ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗ ବିଶେଷଜ୍ଞଶୂନ୍ୟ
କୋଟିଏ ଟଙ୍କା ବ୍ୟୟରେ ପ୍ରସ୍ତୁତ ମଡ୍ୟୁଲାର ଓଟିରେ ବି ତାଲା ପଡ଼ିଛି। ଲିଭର ପ୍ରତିରୋପଣ ପାଇଁ ପୂର୍ବରୁ ତାଲିମ ନେଇଥିବା ୪ଜଣ ବିଶେଷଜ୍ଞ ଡାକ୍ତରଙ୍କୁ ଏସ୍ସିବି ଅଣା ଯାଇଥିଲା। ହେଲେ ଏବେ ସେଥିରୁ ଜଣେ ଡାକ୍ତରଙ୍କୁ ଫୁଲବାଣୀକୁ ବଦଳି କରାଯାଇଥିବା ବେଳେ ଅନ୍ୟ ୩ ଜଣ ଡାକ୍ତର ହାତବାନ୍ଧି ବସିଛନ୍ତି। ଏପଟେ ଏମ୍କେସିଜି ବ୍ରହ୍ମପୁରରେ ସର୍ଜିକାଲ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗରେ ପ୍ରଫେସର, ଆସୋସିଏଟ୍ ପ୍ରଫେସର ରହିଥିବାବେଳେ ଏସ୍ସିବି ଭଳି ରାଜ୍ୟର ସବୁଠାରୁ ବଡ଼ ରେଫରାଲ୍ ହସ୍ପିଟାଲରେ ଗୋଟିଏ ବିଭାଗକୁ ବିଶେଷଜ୍ଞଶୂନ୍ୟ କରି ଅନ୍ୟ ବିଭାଗରୁ ଡାକ୍ତରଙ୍କୁ ଡେପୁଟେସନ୍ରେ ଆଣି କାମ ଚଳାଇବା ନେଇ ଅଭିଯୋଗ ହୋଇ ଆସୁଛି। ୨ କୋଟି ଟଙ୍କା ବ୍ୟୟରେ କିଣା ଯାଇଥିବା ୨ଟି କ୍ୟୁସା ମେସିନ୍ ବି ବ୍ୟବହାର ନହୋଇ ପଡ଼ିରହିଛି।
ଲିଭର ପ୍ରତିରୋପଣ ବନ୍ଦ ଯୋଗୁଁ ଏହି ଯୁନିଟ୍ ପାଇଁ ଥିବା ୪ଟି ଆଇସିୟୁ, ମଡ୍ୟୁଲାର ଓଟି ଓ ବିଭିନ୍ନ ଉପକରଣ ଟ୍ରମା କାଜୁଆଲିଟିର ଚତୁର୍ଥ ମହଲାରେ ପଡ଼ିରହିଛି। ଏସ୍ସିବି ସର୍ଜିକାଲ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗ ଜଣେ କନିଷ୍ଠ ଡାକ୍ତର ଓ ଅନ୍ୟ ବିଭାଗର ଡାକ୍ତରଙ୍କ ଭରସାରେ ଚାଲିଛି। ୨୦୨୪ ଏପ୍ରିଲରେ ପ୍ରଥମ ଓ ସେପ୍ଟେମ୍ବର ୯ରେ ଦ୍ବିତୀୟ ଲିଭର ପ୍ରତିରୋପଣ ଏସ୍ସିବିରେ କରାଯାଇଥିଲା। ଦ୍ବିତୀୟ ପ୍ରତିରୋପଣ ରୋଗୀ ଇତିମଧ୍ୟରେ ଆଖି ବୁଜିସାରିଲେଣି। ଏହା ପରଠାରୁ ଏଆଇଜି ଟିମ୍ ଏସ୍ସିବିକୁ ଆସୁନାହାନ୍ତି କି ରୋଗୀ ପଞ୍ଜୀକରଣ ମଧ୍ୟ ହେଉନି। ସ୍ବାସ୍ଥ୍ୟ ବିଭାଗ ଏ ଦିଗରେ ସ୍ବତନ୍ତ୍ର ଦୃଷ୍ଟି ନଦେଲେ କୋଟି କୋଟି ଟଙ୍କାର ଉପକରଣ ଖତ ହେବା ସହିତ ଲିଭର ପ୍ରତିରୋପଣ ବ୍ୟବସ୍ଥା ବି ବନ୍ଦ ହୋଇଯିବ।
Follow Us