କଟକ ବଡ଼ଡାକ୍ତରଖାନା ରଚିଲା ନୂଆ ଇତିହାସ: ଏକ୍‌ମୋ ସହାୟତାରେ ବାହାର କରାଗଲା ଟ୍ୟୁମର୍‌

Advertisment

ସରକାରୀ ବ୍ୟବସ୍ଥାରେ ଦେଶରେ ପ୍ରଥମ

ସରକାରୀ ବ୍ୟବସ୍ଥାରେ ଦେଶରେ ପ୍ରଥମ

କଟକ ବଡ଼ଡାକ୍ତରଖାନା ରଚିଲା ନୂଆ ଇତିହାସ: ଏକ୍‌ମୋ ସହାୟତାରେ ବାହାର କରାଗଲା ଟ୍ୟୁମର୍‌

odishabytes.com

କଟକ : ରାଜ୍ୟ ଚିକିତ୍ସା ବିଜ୍ଞାନରେ ପୁଣି ଏକ ନୂଆ ଅଧ୍ୟାୟ ଯୋଡ଼ିଛି କଟକ ବଡ଼ ଡାକ୍ତରଖାନା। ସରକାରୀ ବ୍ୟବସ୍ଥାରେ ଦେଶରେ ପ୍ରଥମ ଥର ପାଇଁ ଏକ୍‌ମୋ ସପୋର୍ଟରେ ରଖାଯାଇ କାର୍ଡିଓଥୋରାସିସ୍‌ ବିଭାଗରେ ଶ୍ବାସନଳୀରରେ ହୋଇଥିବା ଟ୍ୟୁମର୍‌କୁ ସଫଳତାର ସହିତ ବାହାର କରାଯାଇପାରିଛି। ବ୍ରଙ୍କୋସ୍କୋପିକ୍‌ ମାଧ୍ୟମରେ ଏହି ଟ୍ୟୁମର୍‌କୁ ବାହାର କରାଯାଇଛି। ଦୀର୍ଘ ୮ଘଣ୍ଟା ଧରି ଉକ୍ତ ରୋଗୀଙ୍କର ସଫଳତାର ସହିତ ଚିକିତ୍ସା କରାଯାଇ ୫୦ ଗ୍ରାମର ଟ୍ୟୁମର୍‌କୁ ବାହାର କରାଯାଇଛି। ରୋଗୀଙ୍କୁ ଏକ୍‌ମୋରୁ ବାହାର କରାଯାଇ ଏବେ ଆଇସିୟୁରେ ରଖା ଯାଇଛି।

ସୂଚନା ଅନୁସାରେ, ନିଶ୍ବାସ ପ୍ରଶ୍ବାସ ନେବାରେ ଅସୁବିଧାହେବାରୁ କଟକ ବଡ଼ ଡାକ୍ତରଖାନା ପଲ୍ୟୁମୁନାରି ମେଡିସିନ୍‌ ବିଭାଗରେ ପୁରୀ ପେଣ୍ଠକଟାର ସୁଲତା ଜେନା(୩୫) ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ଏମିତି ସ୍ଥିତି ରହିଥିଲା ଯେ, ଉକ୍ତ ମହିଳା ୧୫ଦିନ ହେଲା ଶୋଇ ପାରୁନଥିଲେ। ତାଙ୍କର ବିଭିନ୍ନ ପରୀକ୍ଷା ପରେ ଶ୍ବାସନଳୀକୁ ଦୁଇ ଭାଗରେ ବିଭିକ୍ତ କରୁଥିବା ସ୍ଥାନରେ ହିଁ ଟ୍ୟୁମର ଥିବା ଜଣାପଡିଥିଲା। କିନ୍ତୁ ଯେଉଁ ସ୍ଥାନରେ ଟ୍ୟୁମର ରହିଥିଲା ତାକୁ ନିଶ୍ଚେତକ ଦେଇ ସାଧାରଣଭାବେ ଅସ୍ତ୍ରୋପଚାର କରାଯାଇପାରିବ ନାହିଁ ବୋଲି ଜଣାପଡିବା ପରେ ଉକ୍ତ ମହିଳାଙ୍କ ଚିକିତ୍ସା ପାଇଁ କାର୍ଡିଓଥୋରାସିସ୍, ପଲ୍ୟୁମୁନାରୀ ମେଡିସିନ୍‌ ଓ ନିଶ୍ଚେତକ ବିଭାଗକୁ ନେଇ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା। କାର୍ଡିଓଥୋରାସିସ୍‌ ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ମନୋଜ କୁମାର ପଟ୍ଟନାୟକଙ୍କ ନେତୃତ୍ବରେ ଏକ୍‌ମୋ ସପୋର୍ଟ ବ୍ୟବସ୍ଥାରେ ରଖାଯାଇ ଶ୍ବାସନଳୀରେ ଥିବା ଟ୍ୟୁମରକୁ ବାହାର କରାଯିବା ପାଇଁ ଯୋଜନା କରାଯାଇଥିଲା।

ବିଶେଷଜ୍ଞ ଟିମ୍‌ଙ୍କ ନିଷ୍ପତ୍ତି ଅନୁସାରେ ୨୩ତାରିଖରେ ପଲ୍ୟୁମୁନାରୀ ବିଭାଗରୁ କାର୍ଡିଓଥୋରାସିସ୍‌ ବିଭାଗକୁ ଉକ୍ତ ରୋଗୀଙ୍କୁ ରେଫର କରାଯାଇଥିଲା। କାର୍ଡିଓଥୋରାସିସ୍ ବିଭାଗରେ ଥିବା ଏକ୍‌ମୋ ସପୋର୍ଟରେ ରଖାଯାଇ ବ୍ରଙ୍କୋସ୍କୋପିକ୍‌ ମାଧ୍ୟମରେ ଦୀର୍ଘ ୮ଘଣ୍ଟାର ସଫଳ ଚିକିତ୍ସା ପରେ ଶ୍ବାସନଳୀର ସଂଯୋଗସ୍ଥଳୀରେ ଥିବା ଟ୍ୟୁମରକୁ ବାହାର କରାଯାଇଥିଲା। ଏଭଳି ଅସ୍ତ୍ରୋପଚାର ପ୍ରଥମ ବୋଲି ଚିକିତ୍ସା କରିଥିବା ବିଶେଷଜ୍ଞ ଟିମ୍‌ ମୁଖ୍ୟ ତଥା ସିଟିଭିଏସ୍‌ ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ମନୋଜ କୁମାର ପଟ୍ଟନାୟକ କହିଛନ୍ତି। ଏହି ଟିମ୍‌ରେ ନିଶ୍ଚେତକ ବିଭାଗ ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ଅରୁଣ ସାହୁ, ପଲ୍ୟୁମୁନାରୀ ମେଡିସିନ୍‌ ବିଭାଗ ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ଜିତେନ୍ଦ୍ର କୁମାର ପାତ୍ର ପ୍ରମୁଖ ସାମିଲ ହୋଇଥିଲେ। ଏସ୍‌ସିବିକୁ ଏକ୍‌ମୋ ଆସିବା ପରେ ଏହାର ବ୍ୟବହାର କରାଯାଇ ପ୍ରଥମ ଥର ପାଇଁ ଏଭଳି ସଫଳ ଚିକିତ୍ସା କରାଯାଇ ପାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe