ଏସ୍‌ସିବି ଆଇସୋଲେସନ ୱାର୍ଡରେ ୧୯ ଘଣ୍ଟା ପଡ଼ି ରହିଲା ଶବ

ପରିବାର ଲୋକଙ୍କୁ ମିଳିବନି ମୃତଦେହ, ସତ୍କାର ପାଇଁ ଗଲା ଭୁବନେଶ୍ବର

ଏସ୍‌ସିବି ଆଇସୋଲେସନ ୱାର୍ଡରେ ୧୯ ଘଣ୍ଟା ପଡ଼ି ରହିଲା ଶବ

image source--scbmch.nic.in

କଟକ: ଏସ୍‌ସିବି ଆଇସୋଲେସନ୍‌ ୱାର୍ଡରେ ୧୯ ଘଣ୍ଟା ଧରି ପଡ଼ିରହିଲା ମୃତଦେହ। ଏତେ ସମୟ ପଡ଼ି ରହିବା ପରେ ଭୁବନେଶ୍ବର ଗଲା ସତ୍କାର ପାଇଁ। ଏଭଳି ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଯଦି ଆଇସୋଲେସନ୍‌ ୱାର୍ଡରେ କାହାର ମୃତ୍ୟୁ ଘଟେ ତେବେ ମୃତଦେହକୁ ପରିବାରବର୍ଗଙ୍କୁ ଦିଆଯିବନି। ସରକାରଙ୍କ ପକ୍ଷରୁ ଏହି ନିର୍ଦ୍ଦେଶ ରହିଛି। ଆହୁରି ମଧ୍ୟ ନିର୍ଦ୍ଦେଶ ରହିଛି ସିଏମ୍‌ସି, ସ୍ବାସ୍ଥ୍ୟ ବିଭାଗ ଶବ ସତ୍କାର କରିବେ। ସୋମବାର ରାତି ୯ଟାରେ କେନ୍ଦ୍ରାପଡା ଜିଲ୍ଲାର ଜଣେ ୫୮ ବର୍ଷର ବ୍ୟକ୍ତିଙ୍କ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଘଟିଛି। ଏହି ବ୍ୟକ୍ତିଙ୍କର ଏସ୍‌ସିବି ଆଇସୋଲେସନ୍‌ ୱାର୍ଡରେ ମୃତ୍ୟୁ ଘଟିଲା। କିନ୍ତୁ ଆଜି ଅପରାହ୍ମ ୫ଟାରେ ସତ୍କାର ପାଇଁ ମୃତଦେହକୁ ଭୁବନେଶ୍ବର ନିଆଗଲା। କଟକର ଖାନନଗର ଶ୍ମଶାନରେ ଗ୍ୟାସ ଚୁଲା ଅଚଳ ଯୋଗୁଁ ଏଭଳି ପଦକ୍ଷେପ ନିଆଗଲା।

ଗୋଟିଏ ପଟେ ପରିବାରବର୍ଗ ଶବ ଛୁଇଁ ପାରିବେନି ବୋଲି ସରକାର ନିୟମ କରି ଦେବା ପରେ ଶବ ସତ୍କାର ପାଇଁ ଏଭଳି ବିଳମ୍ବ ଘଟଣା ଅସନ୍ତୋଷର କାରଣ ହୋଇଛି। କେଉଁ କାରଣରୁ ଗତରାତିରୁ ମୃତ୍ୟୁ ଘଟିଥିବା ବ୍ୟକ୍ତିଙ୍କ ଶବ ୱାର୍ଡରେ ୧୯ ଘଣ୍ଟା ପଡ଼ିରହିଲା, ତାର ଉତ୍ତର ଏସ୍‌ସିବି କର୍ତ୍ତୃପକ୍ଷ ଦେଉ ନାହାନ୍ତି। ପୂର୍ବରୁ ବି ଏସ୍‌ସିବି ଆଇସୋଲେସନ୍‌ ୱାର୍ଡରେ ସ୍ବାବ୍‌ ରିପୋର୍ଟକୁ ଅପେକ୍ଷା କରି ଦିନ ଦିନ ଧରି ଶବ ପଡ଼ି ରହି ପଚିବା ଭଳି ଅଭିଯୋଗ ହେଉଛି। ଏସ୍‌ସିବି ଆଇସୋଲେସନ୍‌ ୱାର୍ଡରେ କରୋନା ସନ୍ଦେହରେ ଅନେକ ବ୍ୟକ୍ତିଙ୍କୁ ଭର୍ତ୍ତି କରାଯାଉଛି। କିନ୍ତୁ ସେମାନଙ୍କ କରୋନା ରିପୋର୍ଟକୁ ଅପେକ୍ଷା କରି ତାଙ୍କର ଅନ୍ୟ ଚିକିତ୍ସା ଠିକ୍‌ ଭାବରେ ହୋଇ ପାରୁ ନଥିବାରୁ ଅନେକଙ୍କ ଜୀବନ ଯାଉଥିବା ଅଭିଯୋଗ ହେଉଛି। ପ୍ରଶାସନ ଏବଂ ଏସସିବି କର୍ତ୍ତୃପକ୍ଷ ତୁରନ୍ତ ଏ ଦିଗରେ ବାସ୍ତବ ପଦକ୍ଷେପ ନ ନେଲେ ସ୍ଥିତି ଅଣାୟତ ହେବା ଆଶଙ୍କା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe