ଜୁନ୍‌ ୮ରୁ ନାମ ଲେଖା, ୨୦ରୁ କମ୍‌ ପିଲା ଥିବା ସ୍କୁଲ ବନ୍ଦ ହେବନି

Advertisment
ବଦଳିଯିବ କି ଶିକ୍ଷାବର୍ଷ? ୨୦୨୦-୨୧ ଶିକ୍ଷାବର୍ଷ ଗଡ଼ିଗଲାଣି ୪ ମାସ

Image Source: TimesNow

ଭୁବନେଶ୍ବର : ରାଜ୍ୟର ସମସ୍ତ ସରକାରୀ/ଅନୁଦାନପ୍ରାପ୍ତ/ଅଣ ଅନୁଦାନପ୍ରାପ୍ତ ସ୍କୁଲ, ମାଦ୍ରାସା ଓ ସଂସ୍କୃତ ଟୋଲ୍‌ଗୁଡ଼ିକରେ ଆସନ୍ତା ୮ତାରିଖରୁ ନାମ ଲେଖା ହେବ। ଜୁଲାଇ ୧୫ ତାରିଖ ମଧ୍ୟରେ ସମସ୍ତ ସ୍କୁଲରେ ନାମଲେଖା ପ୍ରକ୍ରିୟା ଶେଷ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି।

ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯେ ରାଜ୍ୟର ସମସ୍ତ ସ୍କୁଲରେ ନାମଲେଖା ବେଳେ କୋଭିଡ-୧୯ କଟକଣା କଡ଼ାକଡ଼ି ପାଳନ ହେବ। ଅଭିଭାବକ, ଛାତ୍ରଛାତ୍ରୀଙ୍କ ସହ ସ୍କୁଲର ଶିକ୍ଷକ ସାମାଜିକ ଦୂରତା ରକ୍ଷା କରିବେ। ସେହିପରି ଚଳିତବର୍ଷ ୨୦ରୁ କମ୍‌ ଛାତ୍ରଛାତ୍ରୀ ଥିବା ସ୍କୁଲ ବନ୍ଦ କରିବା ନେଇ ଯେଉଁ ନିଷ୍ପତ୍ତି ହୋଇଥିଲା, ତାହାକୁ କାର୍ଯ୍ୟକାରୀ କରାଯିବନି। ଛାତ୍ରଛାତ୍ରୀ ଯେପରି ନିକଟସ୍ଥ ସ୍କୁଲରେ ପଢ଼ିବେ ଏବଂ ଯାତାୟାତରେ କୌଣସି ସମସ୍ୟା ହେବନି, ତାହାକୁ ନଜରରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।

publive-image

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ଯେ ଏବେ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ। କିନ୍ତୁ ରାଜ୍ୟ ସରକାର ଜୁଲାଇ ୩୧ ପରେ ଯେବେ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନେବେ, ସେ‌ତେବେଳେ ସ୍କୁଲ ଖୋଲିବ। ନାମଲେଖା ସମୟରେ ସାମାଜିକ ଦୂରତା ରକ୍ଷା କରିବା ପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ପ୍ରକଳ୍ପ ସଂଯୋଜକ ଓ ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସ୍କୁଲ ଭିତରକୁ ଏକସଙ୍ଗେ ୫ଜଣ ଅଭିଭାବକଙ୍କୁ ଛଡ଼ାଯିବ। ପ୍ରତିଦିନ ସକାଳ ୭ଟାରୁ ପୂର୍ବାହ୍ନ ସାଢ଼େ ୯ଟା ମଧ୍ୟରେ ସ୍କୁଲରେ ନାମ ଲେଖା ହେବ। ଅପରପକ୍ଷେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନାମ ଲେଖା ପ୍ରକ୍ରିୟା ଆରମ୍ଭ ହେବା ବିଜ୍ଞପ୍ତିକୁ ଓଡ଼ିଶା ଅଭିଭାବକ ମହାସଂଘ ବିରୋଧ କରିଛି। ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ କହିଛନ୍ତି ଯେ ରାଜ୍ୟ ସରକାର ଜୁଲାଇ ୩୧ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି ଘୋଷଣା କରିଥିବା ବେଳେ ଗଣଶିକ୍ଷା ବିଭାଗ କିପରି ସ୍କୁଲ ଖୋଲି ନାମ ଲେଖା ଆରମ୍ଭ କରିବାକୁ ନିର୍ଦ୍ଦେଶନାମା ଦେଉଛି। ଏବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ’ ହୁ’ ହୋଇ ବଢ଼ୁଥିବାରୁ ଅଭିଭାବକ ଓ ଛାତ୍ରଛାତ୍ରୀ କିପରି ସ୍କୁଲକୁ ଆସିବେ। ଏବେ ନାମ ଲେଖାଇବାକୁ ଅନୁମତି ଦିଆଯାଇଥିବାରୁ ଘରୋଇ ସ୍କୁଲ କର୍ତ୍ତୃପକ୍ଷ ନାମଲେଖା ପରେ ମାସିକ ଫି’ ଆଦାୟ କରିବେ। ବିଦ୍ୟାଳୟ ଗଣଶିକ୍ଷା ବିଭାଗ ଏହି ନିଷ୍ପତ୍ତି ପ୍ରତ୍ୟାହାର କରିନେବାକୁ ମହାସଂଘ ପକ୍ଷରୁ ମୁଖ୍ୟ ଶାସନ ସଚିବ, ସ୍ବତନ୍ତ୍ର ରିଲିଫ କମିସନର୍‌ ଓ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବଙ୍କୁ ଦାବିପତ୍ର ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe