ଗଣଶିକ୍ଷା ବିଭାଗର ସମୀକ୍ଷା କଲେ ମନ୍ତ୍ରୀ : କେଜିବିଭିରୁ ହଟିବେ ପୁରୁଷ କର୍ମଚାରୀ

ଏ ବର୍ଷ ବନ୍ଦ ହେବ ୧୦ରୁ କମ୍‌ ପିଲା ଥିବା ସ୍କୁଲ, ଯୁକ୍ତ୨କୁ ଉନ୍ନୀତ ହେବ ୩୦ ଆଦର୍ଶ ବିଦ୍ୟାଳୟ

ଗଣଶିକ୍ଷା ବିଭାଗର ସମୀକ୍ଷା କଲେ ମନ୍ତ୍ରୀ : କେଜିବିଭିରୁ ହଟିବେ ପୁରୁଷ କର୍ମଚାରୀ

ଭୁବନେଶ୍ବର : କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ(କେଜିବିଭି)ରୁ ହଟିବେ ପୁରୁଷ କର୍ମଚାରୀ। କେବଳ ରାତ୍ରି ଜଗୁଆଳଙ୍କୁ ଛାଡ଼ି ଅନ୍ୟ ସମସ୍ତ ପଦବିରେ ଥିବା ପୁରୁଷମାନଙ୍କୁ ହଟାଯିବ। ୨୦୧୯-୨୦ ଶିକ୍ଷାବର୍ଷ ଆରମ୍ଭରୁ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦେଶ ଦିଆଯାଇଛି। ଏଥିସହ ୮୨ଟି ଉନ୍ନୀତ କେଜିବିଭିଗୁଡ଼ିକର ନିର୍ମାଣ କାର୍ଯ୍ୟକୁ ତ୍ବାରାନ୍ବିତ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

ବଡ଼ ନିଷ୍ପତ୍ତିକ୍ରମେ ୧୦ରୁ କମ୍‌ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟଗୁଡ଼ିକୁ ଚଳିତ ଶିକ୍ଷାବର୍ଷରେ ବନ୍ଦ କରାଯିବ। ଶିକ୍ଷାବର୍ଷ ଆରମ୍ଭରୁ ବିଦ୍ୟାଳୟଗୁଡ଼ିକୁ ଚିହ୍ନଟ କରାଯିବା ସହ ସେଠାରେ ପଢ଼ୁଥିବା ପିଲାଙ୍କୁ ନିକଟସ୍ଥ ବିଦ୍ୟାଳୟକୁ ସ୍ଥାନାନ୍ତର କରାଯିବ। କୋରାପୁଟ ଜିଲ୍ଲାରେ ଆବାସିକ ବିଦ୍ୟାଳୟ ଓ ‌ହଷ୍ଟେଲ ଖୋଲିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆଜି ଅନୁଷ୍ଠିତ ଭିଡିଓ କନ୍‌ଫରେନ୍ସିଂ(ଭିସି) ବୈଠକରେ ନିଷ୍ପତ୍ତି ହୋଇଛି।

ସେହିପରି ରାଜ୍ୟର ୩୦ଟି ଆଦର୍ଶ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨ କଲେଜ)କୁ ଉନ୍ନିତ କରାଯିବ। ସେଠାରେ ଛାତ୍ରଛାତ୍ରୀଙ୍କୁ ଯୁକ୍ତ୨ ପାଠ୍ୟକ୍ରମରେ ଶିକ୍ଷା ପ୍ରଦାନ କରାଯିବ। ଶିକ୍ଷକ ଓ ଅଣଶିକ୍ଷକ ପଦବିଗୁଡ଼ିକ ପୂରଣ କରାଯାଇ ୨୦୧୯-୨୦ ଶିକ୍ଷାବର୍ଷରୁ ସେଠାରେ ପାଠପଢ଼ା ଆରମ୍ଭ ହେବ। ଏଥିସହ ୨୪ଟି ନୂଆ ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକ୍ଷମ କରିବା, ଆଦର୍ଶ ବିଦ୍ୟାଳୟର ଭିତ୍ତିଭୂମି ବିକାଶ ଲାଗି ପୂର୍ବରୁ ଥିବା ଏଜେନ୍ସିଙ୍କୁ ଜମି ହସ୍ତାନ୍ତର କରିବା, ବିଦ୍ୟାଳୟଗୁଡ଼ିକ ଲାଗି ଥିବା ଛାତ୍ରୀନିବାସକୁ କାର୍ଯ୍ୟକ୍ଷମ କରିବା ଉପରେ ବୈଠକରେ ଗୁରୁତ୍ବ ଦିଆଯାଇଥିଲା। ଏଥିସହ ପଡ଼ିରହିଥିବା କେସ୍‌ଗୁଡ଼ିକର ସମାଧାନ, ପେନ୍‌ସନ୍‌ ଅଦାଲତ କରିବା, ଇ-ଅଭିଯୋଗ, ଶିକ୍ଷକ ବଦଳି ପୋର୍ଟାଲ, ପାଠ୍ୟପୁସ୍ତକ ବଣ୍ଟନ, ସାଥ୍‌-ଇ ବ୍ୟବସ୍ଥାକୁ ମନିଟରିଂ, ମୋ ସ୍କୁଲ ୱେବ୍‌ପୋର୍ଟାଲ୍‌କୁ ସୁଦୃଢ଼ କରିବା ଉପରେ ବୈଠକରେ ଗୁରୁତ୍ବାରୋପ କରାଯାଇଥିଲା। ଶପଥ ଗ୍ରହଣ କରିବା ପରେ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କୁ ଆକ୍ସନ ମୁଡ୍‌ରେ ଦେଖିବାକୁ ମିଳିଥିଲା। ଭିଡିଓ କନଫରେନ୍ସିଂ(ଭିସି)ରେ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ) ଓ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)ଙ୍କ କାର୍ଯ୍ୟର ସମୀକ୍ଷା କରିଥିଲେ। ବିଭାଗ ଅଧୀନରେ ଚାଲିଥିବା କାର୍ଯ୍ୟଗୁଡ଼ିକର ଯାଞ୍ଚ କରିବ‌ା ସହ ପିଲାଙ୍କ ପାଠପଢ଼ା, ସେମାନଙ୍କୁ ଦିଆଯାଉଥିବା ସୁବିଧା ସୁଯୋଗ ଠିକ୍‌ ଭାବେ ପହଞ୍ଚୁଛି କି ନାହିଁ ତାହାର ତନାଘନା କରିଛନ୍ତି। ବିଭାଗ ଅଧୀନରେ ପଡ଼ିରହିଥିବା କେସ୍‌ଗୁଡ଼ିକର ତୁରନ୍ତ ସମାଧାନ ସହ ବାତ୍ୟା ‘ଫନି’ ପ୍ରଭାବିତ ବିଦ୍ୟାଳୟଗୁଡ଼ିକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରିବାକୁ ନିର୍ଦେଶ ଦେଇଛନ୍ତି। ଏହି ବୈଠକରେ ବିଭାଗୀୟ ଅଧିକାରୀମାନେ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe