ଡିଇଓ ଓ ଡିପିସିମାନଙ୍କୁ ନିର୍ଦ୍ଦେଶ : ୫ ଦିନ ଭିତରେ ବହି ବାଣ୍ଟ, ହଟ୍‌ସ୍ପଟ୍‌ ଅଞ୍ଚଳ, କଣ୍ଟେନମେଣ୍ଟ ଜୋନ୍‌ରେ ଏବେ ବଣ୍ଟା ହେବନି

Advertisment
ଆରମ୍ଭ ହେଲା ଛାତ୍ରଛାତ୍ରୀଙ୍କୁ ବହି ବଣ୍ଟନ ପକ୍ରିୟା : ଲକଡାଉନରେ ବିନା ପାସରେ କିପରି ବହି ବାଣ୍ଟିବେ ଶିକ୍ଷକଶିକ୍ଷୟିତ୍ରୀ

ଭୁବନେଶ୍ୱର : ଲକ୍‌ଡାଉନ ଲାଗୁ ପାଇଁ ସ୍କୁଲ, କଲେଜ ଛୁଟି। ପିଲାଙ୍କ ପାଠପଢା ବନ୍ଦ। ତେଣୁ ସରକାରୀ ସ୍କୁଲରେ ପଢ଼ୁଥିବା ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମାଗଣା ପାଠ୍ୟପୁସ୍ତକ ବଣ୍ଟନ ସମ୍ଭବପର ହେଉନାହିଁ। ଏହି ଲକ୍‌ଡାଉନ ସମୟରେ ପିଲାଙ୍କ ଘରେ କିଭଳି ବହି ପହଞ୍ଚିବ ସେ ଦିଗରେ ପଦକ୍ଷେପ ନେବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ନିର୍ଦ୍ଦେଶ ଦେଇଥିଲେ। ତାହାକୁ ଆଧାର କରି କିଛି ବିଦ୍ୟାଳୟ ବହି ବଣ୍ଟନ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି। ତେବେ ଏହା କିଭଳି ଅଧିକ କ୍ରିୟାଶୀଳ ହେବ ସେଥିପାଇଁ ଓସେପା ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ) ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକ(ଡିପିସି) ମାନଙ୍କୁ ନିର୍ଦେଶ ଦିଆଯାଇଛି। ଆସନ୍ତା ୫ ଦିନ ମଧ୍ୟରେ ପିଲାଙ୍କ ନିକଟରେ ବହି ପହଞ୍ଚିବ ବୋଲି ଅଶାବ୍ୟକ୍ତ କରାଯାଇଛି।

ଓସେପାର ପ୍ରକଳ୍ପ ସଂଯୋଜକ ଭୂପେନ୍ଦ୍ର ସିଂ ପୁନିଆ ଚିଠି ଲେଖି କହିଛନ୍ତି ଯେ ବହି କିଭଳି ବଣ୍ଟାଯିବ ସେନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନିଅ। କରୋନା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା ହୋଇଥିବା ହଟସ୍ପଟ ଅଞ୍ଚଳ ଓ କଣ୍ଟେନମେଣ୍ଟ ଜୋନରେ ବହି ବଣ୍ଟାଯିବ ନାହିଁ। ସ୍ଥିତିକୁ ଦେଖି ସ୍କୁଲରୁ ଅଭିଭାବକଙ୍କୁ ନ ହେଲେ ପିଲାଙ୍କ ଘରେ ବହି ପହଞ୍ଚାଇବା ଦିଗରେ ପଦକ୍ଷେପ ନିଅ। ୫ ଦିନ ଅର୍ଥାତ ୨୫ ତାରିଖ ସୁଦ୍ଧା ସବୁ ବିଦ୍ୟାଳୟ ପିଲାଙ୍କ ପାଖରେ ବହି ପହଞ୍ଚାଇବାକୁ ଚେଷ୍ଟା କର। ଯଦି ସମ୍ଭବ ହେଉଛି ଅଭିଭାବକଙ୍କୁ ସ୍କୁଲକୁ ଡାକି ବହି ଦେବାକୁ କୁହାଯାଇଛି। ନଚେତ ଘରକୁ ଘର ଯାଇ ଶିକ୍ଷକ ଶିକ୍ଷୟିତ୍ରୀ ପିଲାଙ୍କ ନିକଟରେ ବହି ପହଞ୍ଚାଇବାକୁ ପରାମର୍ଶ ଦିଆଯାଇଛି। ବହି ବାଣ୍ଟିବା ବେଳେ ସାମାଜିକ ଦୂରତା ଅବଲମ୍ବନ କରିବାକୁ କୁହାଯାଇଛି।

ଶ୍ରୀ ପୁନିଆ କହିଛନ୍ତି ଯେ ପ୍ରଥମରୁ ୮ମ ଶ୍ରେଣୀ ପିଲାଙ୍କୁ ବଣ୍ଟନ ହେବାକୁ ଥିବା ମାଗଣା ପାଠ୍ୟପୁସ୍ତକ ଇତି ମଧ୍ୟରେ ବ୍ଲକ ସ୍ତରରେ ପହଞ୍ଚି ସରିଛି। କିଛି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ବହି ବାଣ୍ଟୁଛନ୍ତି। ଯେଉଁମାନେ ବଣ୍ଟନ କରିନାହାନ୍ତି ସେମାନେ ଖୁବଶୀଘ୍ର ଏଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି। ୫ ଦିନରେ ବାଣ୍ଟିବା ଲାଗି ବାଧ୍ୟତାମୂଳକ କରାଯାଇନି। ଆଶା କରୁଛୁ ଯେ ଏହି ସମୟ ମଧ୍ୟରେ ଶିକ୍ଷକ ଶିକ୍ଷୟିତ୍ରୀ ବଣ୍ଟନ ସାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe