ବର୍ଷାରେ ଧରାଶାୟୀ ବିଦ୍ୟାଳୟ କୋଠା, ବର୍ତ୍ତିଗଲେ ପିଲା

ବିଦ୍ୟାଳୟ ସମୟ ଆଗରୁ ଅଘଟଣ, ଶିକ୍ଷକ ଆନ୍ଦୋଳନ ଆଶୀର୍ବାଦ

ବର୍ଷାରେ ଧରାଶାୟୀ ବିଦ୍ୟାଳୟ କୋଠା, ବର୍ତ୍ତିଗଲେ ପିଲା

ବାଲିଗୁଡା: ଲଘୁଚାପଜନିତ ଲଗାଣ ବର୍ଷା କାରଣରୁ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଅଧୀନ ସିନ୍ଦ୍ରିଗାଁ ପଞ୍ଚାୟତର କିଲୁପଡ଼ା ପ୍ରାଥମିକ ବିଦ୍ୟାଳୟର ଛାତ ସହ କୋଠା ସଂପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଛି। ବୁଧବାର ସକାଳ ପ୍ରାୟ ସାଢ଼େ ୮ଟା ବେଳେ ଛାତଟି ପିଲର୍ ସହ ଭୁଶୁଡ଼ି ତ‌ଳେ ପଡ଼ିଯାଇଥିଲା। ତେବ‌େ ବିଦ୍ୟାଳୟ ଖୋଲିବା ସମୟ ହୋଇ ନଥିବାରୁ ଏକ ବଡ଼ଧରଣର ଅଘଟଣକୁ ଏଡ଼ାଇ ଦିଆଯାଇପାରିଛି। ଏପଟେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକଶିକ୍ଷୟିତ୍ରୀଙ୍କ ଆନ୍ଦୋଳନ ଚାଲିଥିବାରୁ ଛାତ୍ରଛାତ୍ରୀ ଏତେବଡ଼ ବପତ୍ତିରୁ ବର୍ତ୍ତିଯାଇଛନ୍ତି।

୩୦ ବର୍ଷରୁ ଅଧିକ ଏହି ପୁରୁଣା ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୨୮ ଜଣ ଛାତ୍ରଛାତ୍ରୀ ପଢ଼ୁଥିବା ବେଳେ ୨ ଜଣ ଶିକ୍ଷକଶିକ୍ଷୟିତ୍ରୀ ଅଛନ୍ତି। ତେବ‌େ ବିଦ୍ୟାଳୟ କୋଠା ପୁରୁଣା ହୋଇଯାଇଥିବା ସାଙ୍ଗକୁ ମରାମତି ଏବଂ ରକ୍ଷଣାବେକ୍ଷଣ ଅଭାବରୁ ଛାତରୁ ପାଣି ଗଳୁଥିଲା। ଏହାସହ ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଥିଲା। କାନ୍ଥରୁ ପ୍ଲାଷ୍ଟର୍ ବି ଝରୁଥିଲା।

ଏନେଇ ପ୍ରଧାନଶିକ୍ଷକ ପ୍ରଶାନ୍ତ ବେହେରା ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବାରମ୍ବାର ବ୍ଲକ୍ ଶିକ୍ଷାଧିକାରୀ ଏବଂ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବେ ଅବଗତ କରିଥିଲେ। କିନ୍ତୁ କୋଠା ପୁନରୁଦ୍ଧାର ଦିଗରେ କୌଣସି ପଦକ୍ଷେପ ନିଆଯାଇ ନଥିଲା। ଆଉ ଦୟନୀୟ ଓ ବିପଜ୍ଜନକ ଅବସ୍ଥାରେ ପିଲାମାନେ ପାଠ ପଢ଼ୁଥିଲେ।
ଆଜି ସକାଳେ ଲଗାଣ ବର୍ଷା କାରଣରୁ ବିଦ୍ୟାଳୟର ଛାତ ଓ ପିଲର୍ ସଂପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଯାଇଥିଲା। ଯଦି ପାଠପଢ଼ା ଚାଲିଥିବା ସମୟରେ ଏଭଳି ଅଘଟଣ ଘଟିଥା’ନ୍ତା ତା’ହେଲେ କିଏ ଦାୟୀ ହୋଇଥାନ୍ତା ବୋଲି ଅଭିଭାବକ କହିଛନ୍ତି। ବାଲିଗୁଡ଼ା ବିଇଓ ମହେଶ୍ବର ମାଝୀ କହିଛନ୍ତି, ବିଦ୍ୟାଳୟ କୋଠା ଭୁଶୁଡ଼ିବା ବିଷୟରେ ସୂଚନା ମିଳିଛି। ତେବ‌େ କୋଠାର ମରାମତି ନଚେତ୍ ନୂଆ କୋଠା ନିର୍ମାଣ ପାଇଁ ବିଡିଓଙ୍କୁ ଅବଗତ କରାଯାଇଥିଲା। କିନ୍ତୁ କେହି ଏହାକୁ ଗୁରୁତ୍ବ ଦେଲେ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe