School closed: ଦୁଇଦିନ ସ୍କୁଲ୍‌, ଅଙ୍ଗନବାଡ଼ି ବନ୍ଦ: ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା, ୩୦ ପର୍ଯ୍ୟନ୍ତ ମୁଖ୍ୟାଳୟ ଛାଡ଼ିବେନି କର୍ମଚାରୀ

ସମ୍ଭାବ୍ୟ ବାତ୍ୟା‌ ‘ମୋନ୍ଥା’କୁ ନଜରରେ ରଖି ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ସମସ୍ତଙ୍କୁ ନିଜ ମୁଖ୍ୟାଳୟରେ ରହିବାକୁ ନିର୍ଦ୍ଦେଶ ଜାରି କରାଯାଇଛି।

school students

ବ୍ରହ୍ମପୁର/ଛତ୍ରପୁର: ସମ୍ଭାବ୍ୟ ବାତ୍ୟା‌ ‘ମୋନ୍ଥା’କୁ ନଜରରେ ରଖି ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ସମସ୍ତଙ୍କୁ ନିଜ ମୁଖ୍ୟାଳୟରେ ରହିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ଯେଉଁମାନେ ଛୁଟିରେ ଯାଇଛନ୍ତି ସେମାନେ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଜାରି ହୋଇଛି। ଆଜି ସଂଧ୍ୟାରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଭିସି ମାଧ୍ୟମରେ ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ଗଞ୍ଜାମ ଜିଲ୍ଲାପାଳ ଖଲ୍ଲିକୋଟ ବ୍ଲକ୍‌ ଅଫିସ୍‌ରେ ଏହି ବୈଠକରେ ଯୋଡ଼ି ହୋଇଥିଲେ। ଏହାପରେ ଗଞ୍ଜାମ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଛତ୍ରପୁରରେ ଭିସି ଜରିଆରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ନେଇ ପ୍ରସ୍ତୁତି ଉପରେ ଆଲୋଚନା ହୋଇଥିଲା। ବାତ୍ୟା ପ୍ରଭାବରେ ଗଞ୍ଜାମରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏଥିପାଇଁ ଲୋକଙ୍କ ଧନଜୀବନ ସୁରକ୍ଷା ଓ ଜିରୋ କାଜୁଆଲ୍‌ଟି ଉପରେ ଗୁରୁତ୍ବ ଦେବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ଯିବା ପାଇଁ ମନା କରାଯାଇଛି। ଆସନ୍ତାକାଲି ଠାରୁ ଗଞ୍ଜାମ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇପାରେ। ସୋମବାର ଠାରୁ ମଙ୍ଗଳବାର ସକାଳ ପର୍ଯ୍ୟନ୍ତ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ମଙ୍ଗଳବାର ସକାଳୁ ବୁଧବାର ପର୍ଯ୍ୟନ୍ତ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି।

ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା
୩୦ ପର୍ଯ୍ୟନ୍ତ ମୁଖ୍ୟାଳୟ ଛାଡ଼ିବେନି କର୍ମଚାରୀ
ପର୍ଯ୍ୟଟକଙ୍କୁ ବେଳାଭୂମି ମନା, ହୋଟେଲ୍‌ ବୁକିଂ ହେବନି

ସୁରକ୍ଷା ଦୃଷ୍ଟିକୋଣରୁ ଆସନ୍ତାକାଲି ଠାରୁ ତିନିଦିନ ପାଇଁ ଜିଲ୍ଲାର ସମସ୍ତ ବେଳାଭୂମିକୁ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି। ଏହା ସହିତ ପର୍ଯ୍ୟଟକଙ୍କ ପାଇଁ ହୋଟେଲ ବୁକିଂ ମଧ୍ୟ ବନ୍ଦ ରହିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ସେହିପରି ୨୭ ଓ ୨୮ତାରିଖ ଦୁଇଦିନ ପାଇଁ ଜିଲ୍ଲାରେ ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଆସନ୍ତାକାଲି ଜିଲ୍ଲାସ୍ତରୀୟ ଜନଶୁଣାଣି ଓ ପଞ୍ଚାୟତସ୍ତରୀୟ ଜନଶୁଣାଣି ବନ୍ଦ ରହିବ।

dgdggdcv

ଅନ୍ୟପକ୍ଷରେ ଜିଲ୍ଲାରେ ଥିବା ୧୧୦ ବହୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ସମେତ ବିଦ୍ୟାଳୟ କୋଠା ଗୁଡ଼ିକୁ ପ୍ରସ୍ତୁତ ରଖାଯାଇଛି। ଲୋକଙ୍କୁ ସଚେତନ କରାଯିବା ସହ ବ୍ଲକ ଓ ଜିଲ୍ଲାସ୍ତରୀୟରେ କଣ୍ଟ୍ରୋଲ୍ ରୁମ ଖୋଲିବ। ପ୍ରତି ସହରାଞ୍ଚଳ ଓ ପଞ୍ଚାୟତର ଜନପ୍ରତିନିଧିମାନେ ହ୍ବାଟ୍‌ସଆପ୍‌ ଗ୍ରୁପ୍ ଗଠନ କରିଛନ୍ତି। ଅଗ୍ନିଶମ ଓ ଓଡ୍ରାଫ୍‌ ଟିମ୍‌କୁ ସଜାଗ କରାଯାଇଛି। ସେହିପରି କଳିଙ୍ଗାଘାଟି ଉପରେ ବିଭାଗୀୟ ଅଧିକାରୀମାନେ ନଜର ରଖିବେ। ଉପକୂଳବର୍ତ୍ତୀ ଅଞ୍ଚଳରେ ପଞ୍ଚାୟତୱାରି ନୋଡାଲ ଅଫିସର ନିଯୁକ୍ତ ହୋଇଛନ୍ତି। ଆସନ୍ତାକାଲି ତଳିଆ ଅଞ୍ଚଳରେ ରହୁଥିବା ଗର୍ଭବତୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ। ଆଶ୍ରୟସ୍ଥଳୀ ଗୁଡ଼ିକରେ ଶୁଖିଲା ଓ ରନ୍ଧାଖାଦ୍ୟ ମହଜୁଦ ରହିବ ବୋଲି ସୂଚନା ମିଳିଛି। ଆଜିର ସମୀକ୍ଷା ବୈଠକରେ ଯେଉଁ ଅଧିକାରୀ ଅନୁପସ୍ଥିତ ରହିଛନ୍ତି କିମ୍ବା ମୁଖ୍ୟାଳୟ ଛାଡ଼ି ଯାଇଛନ୍ତି ସେମାନଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ବୈଠକରେ ଏଡି‌ଏମ୍ ପ୍ରମୋଦ ପୃଷ୍ଟି, ଦେବବ୍ରତ ପଣ୍ଡା ଓ ସୁନୀଲ କେର୍କେଟାଙ୍କ ସମେତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe