image source--the indian express
ଭୁବନେଶ୍ବର : ସିବିଏସ୍ଇ ଓ ଆଇସିଏସ୍ଇ ପାଠ୍ୟକ୍ରମ ୩୦ ପ୍ରତିଶତ ଓ ୨୫ ପ୍ରତିଶତ କାଟିବା ପରେ ଓଡ଼ିଶା ବୋର୍ଡ ପାଠ୍ୟକ୍ରମ କେବେ କାଣ୍ଟଛାଣ୍ଟ କରିବ ବୋଲି ‘ସମ୍ବାଦ’ରେ ରିପୋର୍ଟ ପ୍ରକାଶ ପରେ ଆଜି ରାଜ୍ୟ ସରକାର ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଗଣମାଧ୍ୟମକୁ କହିଛନ୍ତି ଯେ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିଛି। କେବେ ସ୍କୁଲ ଖୋଲିବ, ତାହା ନିର୍ଧାରଣ ନ ହେବା ପର୍ଯ୍ୟନ୍ତ ଏ ସଂକ୍ରାନ୍ତ ନିଷ୍ପତ୍ତି ନିଆଯିବା କଷ୍ଟକର। ଥରେ ସ୍କୁଲ ଖୋଲିବା ନିଷ୍ପତ୍ତି ହେଲେ ଏ ସଂକ୍ରାନ୍ତରେ ଯାହା କିଛି କୁହାଯାଇପାରିବ। ଯଦି ଅଧିକ ଦିନ ସ୍କୁଲ ବନ୍ଦ ରହେ, ତେବେ ହୁଏତ ୩୦ପ୍ରତିଶତରୁ ଅଧିକ ପାଠ୍ୟକ୍ରମ କାଣ୍ଟଛାଣ୍ଟ କରିବାକୁ ବି ପଡ଼ିପାରେ।
ମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟ ପରେ ଏବେ ଓଡ଼ିଶା ବୋର୍ଡ ଅଧୀନରେ ପଢୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଂଶୟ ପୁଣି ବଢ଼ିଯାଇଛି। କୋଭି଼ଡ଼୍ ସଂକ୍ରମଣ ଯୋଗୁଁ ଏବେ ସୁଦ୍ଧା ୪ମାସର ପାଠପଢ଼ା ପ୍ରଭାବିତ ହୋଇସାରିଲାଣି। କେନ୍ଦ୍ରୀୟ ବୋର୍ଡ ଅନ୍ ଲାଇନ୍ ପଢ଼ା ଜାରି ରଖିବା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶା ସରକାରଙ୍କ ଅନ୍ ଲାଇନ୍ ପାଠପଢ଼ାରୁ ହଜାର ହଜାର ଛାତ୍ରଛାତ୍ରୀ ବଞ୍ଚିତ ରହିଛନ୍ତି। ଏପରିସ୍ଥଳେ ସରକାରଙ୍କ ବିଳମ୍ବିତ ନିଷ୍ପତ୍ତି ସେମାନଙ୍କ ପାଇଁ ବିଷମ ପରିସ୍ଥିତି ସୃଷ୍ଟି କରିପାରେ ବୋଲି ଅଭିଭାବକ ମହଲରେ ମତ ପ୍ରକାଶ ପାଇଲାଣି। ବିଶେଷକରି ଦଶମ ଓ ଯୁକ୍ତ ଦୁଇ ଦ୍ବିତୀୟ ବର୍ଷର ପିଲାଙ୍କ ପାଇଁ ଏହା ଅଧିକ ସମସ୍ୟା ସୃଷ୍ଟି କରିବ ବୋଲି ଏହି ମହଲର ମତ।
Follow Us