ଖୋଲିନି ସ୍କୁଲ, ପାଠରେ ଡୋରି : ଏବେ କାମ କରି ରୋଜଗାର, ପଥର ଗୋଡ଼ି ବାଡ଼ଉଛନ୍ତି ପିଲା

ଖୋଲିନି ସ୍କୁଲ, ପାଠରେ ଡୋରି : ଏବେ କାମ କରି ରୋଜଗାର, ପଥର ଗୋଡ଼ି ବାଡ଼ଉଛନ୍ତି ପିଲା

ଘୁ.ଉଦୟଗିରି : କନ୍ଧମାଳ ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ୧୧ ମାସ ହେଲା ପ୍ରାଥମିକ ଶିକ୍ଷା ଠପ୍‌ ହୋଇଯାଇଛି। କୋଭିଡ୍‌ କଟକଣା ପରେ ଆଜି ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲିନି। ପିଲା ପାଠ କଣ ଭୁଲି ଗଲେଣି। ଦୁର୍ଗମ ଗ୍ରାମାଞ୍ଚଳ ମାନଙ୍କରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। ଗୋଟିଏପଟେ ବିଦ୍ୟାଳୟ ଛୁଟି ଥିବା ବେଳେ ଅନ୍ୟପଟେ ପିଲାଙ୍କୁ ଘରେ ପାଠ ପଢ଼ାଇବାର କୌଣସି ବ୍ୟବସ୍ଥା ନାହିଁ। ଏହି କାରଣରୁ ପିଲାମାନେ ପାଠ ଛାଡ଼ି ଚାଷ କାମ, ଜଙ୍ଗଲରୁ କାଠ ଆଣିବା, ଘରେ ନିଜ ଛୋଟ ଭାଇଭଉଣୀଙ୍କୁ ଧରିବା, ଗାଁ ପଡ଼ିଆରେ ଖେଳିବା, ପୋଖରୀରେ ଗାଧୋଇବା ଓ ଗଛରେ ଚଢି ଖେଳିବା ଭଳି ଦୃଶ୍ୟ ଦେଖିବାକୁ ମିଳୁଥିଲା। ଏପରିକି ବହୁ ଶିଶୁ ଘରୋଇ କାର୍ଯ୍ୟରେ  ପରିବାର ଲୋକଙ୍କୁ ରୋଜଗାରେ ସାହାଯ୍ୟ କରୁଛନ୍ତି। ବହୁ ପିଲାଙ୍କ ପାଠରେ ଡୋରି ବନ୍ଧା ହେଲାଣି। ଯାହାର ଏକ ସଦ୍ୟ ଉଦାହରଣ ଦେଖିବାକୁ ମିଳିଥିଲା। ସ୍ଥାନୀୟ ଅଞ୍ଚଳର ପଞ୍ଚମଶ୍ରେଣୀରେ ପାଠ ପଢୁଥିବା ଜଣେ କୋମଳମତି ଶିଶୁ  ହାତୁଡି ଧରି ପଥର ବାଡେଇବା ଓ ଗୋଡି ତିଆରି କରିବା ସହ ପରିବାରର ରୋଜଗାରରେ ସାହାଯ୍ୟ କରୁଛି। ବିଦ୍ୟାଳୟ ବନ୍ଦ ହେବା ଯୋଗୁଁ  ପାଠରେ ଡୋର ବାନ୍ଧି ଅନ୍ୟ କାର୍ଯ୍ୟରେ ପିଲାମାନେ ଲାଗି ପଡ଼ିଛନ୍ତି।

ପରିବାର ଲୋକଙ୍କୁ ସାହାଯ୍ୟ ପାଇଁ ପଥର ବାଡ଼େଇ ଗୋଡ଼ି ପ୍ରସ୍ତୁତ କରୁଥିବା ଶିଶୁ କନ୍ୟାର କହିବା ମୁତାବକ, ସେ ପଞ୍ଚମ ଶ୍ରେଣୀରେ ପାଠ ପଢୁଥିଲା। ବିଦ୍ୟାଳୟ ବନ୍ଦ ଯୋଗୁଁ ପାଠପଢ଼ା ଏବେ ସମ୍ପୂର୍ଣ୍ଣ ବନ୍ଦ ରହିଛି। ତେଣୁ ପଥର ବାଡ଼େଇ ଘରର ରୋଜଗାରରେ ସହୟକ ହେଉଛି। ଗୋଟିଏ ଡବା ଗୋଡି ବାଡେଇଲେ  ୫୦ ଟଙ୍କାରେ ବିକ୍ରି କରୁଛି। ଗୋଡ଼ି ବାଡେଇ ବାଡ଼େଇ ହାତରୁ ଚମଡ଼ା ବାହାରି ଗଲାଣି, ତଥାପି ନିଜ କାର୍ଯ୍ୟ ଜାରି ରଖିଛି। ବିଦ୍ୟାଳୟକୁ ଯିବାର ନାହିଁ ତ ଘର କାମ। ଏଭଳି ବହୁ ଶିଶୁ ପାଠପଢ଼ାରୁ ବିଚ୍ୟୁତ ହୋଇଛନ୍ତି। କନ୍ଧମାଳ ଭଳି ଶିକ୍ଷାହାର କମ୍‌ ଥିବା ଜିଲ୍ଲାରେ ପାଠପଢ଼ାର ଏଭଳି ସ୍ଥିତିରୁ ମୁକୁଳିବା ପାଇଁ ବ୍ୟବସ୍ଥା ହେବା ଜରୁରୀ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe