ଜୀବନରେ ସଫଳତା ପାଇଁ ସ୍କୁଲରେ ହିଁ ମୂଳଦୁଆ ପଡ଼ିଥାଏ: ମୁଖ୍ୟମନ୍ତ୍ରୀ

Advertisment

ଆଜି ପଞ୍ଚମ ଦିବସରେ ୫ଟି ଜିଲ୍ଲାର ୧୪୮ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ

ଆଜି ପଞ୍ଚମ ଦିବସରେ ୫ଟି ଜିଲ୍ଲାର ୧୪୮ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ

ଜୀବନରେ ସଫଳତା ପାଇଁ ସ୍କୁଲରେ ହିଁ ମୂଳଦୁଆ ପଡ଼ିଥାଏ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ସ୍କୁଲ ରୂପାନ୍ତର ପର୍ବ ଜାରି ରହିଛି । ୫-ଟି ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମର ପଞ୍ଚମ ଦିବସରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ଟି ଜିଲ୍ଲାର ୧୪୮ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି। ଏଥିରେ ଜଗତସିଂହପୁରର ୧୪ଟି ସ୍କୁଲ, ଦେବଗଡର ୩୨ଟି, ପୁରୀର ୪୮ଟି, ବଲାଙ୍ଗୀରର ୨୪ଟି ଓ କେନ୍ଦ୍ରାପଡାର ୩୦ଟି ସ୍କୁଲ ସାମିଲ ହୋଇଛି। ଆଜି ସୁଦ୍ଧା ୮୩୮ଟି ରୂପାନ୍ତରିତ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହୋଇଛି । ସୂଚନାଯୋଗ୍ୟ ଯେ ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ଏବେ ରାଜ୍ୟର ୧୦୭୫ଟି ସ୍କୁଲର ଲୋକାର୍ପଣ କାର୍ଯ୍ୟକ୍ରମ ଜାରି ରହିଛି । ଏହି ରୂପାନ୍ତର କାର୍ଯ୍ୟକ୍ରମ ପାଇଁ ସ୍ଥାନୀୟ ଅଞ୍ଚଳର ବିଧାୟକ, ପଞ୍ଚାୟତ ପ୍ରତିନିଧି, ସ୍କୁଲ ପରିଚାଳନା କମିଟି, ଶିକ୍ଷକ ତଥା ପିତାମାତା ଏବଂ ଅଭିଭାବକ ମାନଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ ।

ପିଲାମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, “ମୁଁ ଚାହେଁ ମୋ ରାଜ୍ୟର ପିଲା ସବୁ କ୍ଷେତ୍ରରେ ଆଗୁଆ ହୁଅନ୍ତୁ। ପାଠ ସହ କ୍ରୀଡା, ସଂଗୀତ ସବୁ କ୍ଷେତ୍ରରେ ଓଡିଶାର ଗୌରବ ବଢାନ୍ତୁ । ନୂଆ ନୂଆ ଟେକ୍ନୋଲୋଜି ବିଷୟରେ ଜାଣନ୍ତୁ । ବଡ ବଡ ସ୍ବପ୍ନ ଦେଖନ୍ତୁ ଓ ଜୀବନର ସବୁ ଚ୍ୟାଲେଞ୍ଜକୁ ସମ୍ମୁଖୀନ କରିବା ପାଇଁ ଆତ୍ମବିଶ୍ବାସର ସହ ଆଗକୁ ବଢନ୍ତୁ । ଏହା ହିଁ ହେଉଛି ସ୍କୁଲ ରୂପାନ୍ତରର ଲକ୍ଷ୍ୟ ।” ଜୀବନରେ ସଫଳତା ପାଇଁ ସ୍କୁଲରୁ ହି ମୂଳଦୁଆ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

publive-image

ମୁଖ୍ୟମନ୍ତ୍ରୀ କହିଲେ, ଏ ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ସହର ଓ ଗାଁ ର ସ୍କୁଲମାନଙ୍କ ଭିତରେ ଥିବା ତଫାତକୁ ଦୂର କରିଛି । ଗାଁର ସ୍କୁଲରେ ଆଜି ସହରର ଭଲ ଭଲ ବେସରକାରୀ ସ୍କୁଲର ପରିବେଶ ସୃଷ୍ଟି ହୋଇଛି । ଆଉ ଗୋଟିଏ ଗୁରୁତ୍ବପୂର୍ଣ୍ଣ କଥା ହେଲା ସରକାରୀ ସ୍କୁଲରେ ପଢୁଥିବା ପିଲାମାନଙ୍କ ଡାକ୍ତର, ଇଞ୍ଜିନିୟର ହେବାର ସ୍ବପ୍ନ ଯେପରି ସାକାର ହୋଇପାରିବ, ସେଥିପାଇଁ ରାଜ୍ୟ ସରକାର ତୁମ ମାନଙ୍କ ପାଇଁ ୧୫ ପ୍ରତିଶତ ଆସନ ସଂରକ୍ଷିତ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ସ୍କୁଲରେ ତିଆରି ହୁଏ ଦେଶର ଭବିଷ୍ୟତ। ଜାତିର ଭବିଷ୍ୟତ । କଥାରେ ଅଛି, ପିଲାମାନେ ଆମ ଜନସଂଖ୍ୟାରେ ଏକ ତୃତୀୟାଂଶ ହେଲେ ବି ସେମାନେ ଆମର ପୁରା ଭବିଷ୍ୟତ। ସ୍କୁଲ ସମୟ ପିଲାମାନଙ୍କ ଜୀବନର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ସମୟ ବୋଲି ମତଦେଇ ସେ କହିଥିଲେ ଯେ ଏ ସମୟରେ ପିଲାମାନଙ୍କୁ ସେମାନଙ୍କର ପ୍ରତିଭାର ବିକାଶ ପାଇଁ ସୁଯୋଗ ସୃଷ୍ଟି କରିବା ଆମର ଦାୟିତ୍ବ।

publive-image

ଓଡିଶାର ଶିକ୍ଷା ବିକାଶ କ୍ଷେତ୍ରରେ ଆଜି ଦିନଟି ସବୁବେଳେ ସ୍ବତନ୍ତ୍ର ହୋଇରହିବ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ୫-ଟି ନୀତି ଉପରେ ଆଲୋକପାତ କରିଥିଲେ। ମୁଖ୍ୟମନ୍ତ୍ରୀ କହିଲେ ଯେ, ସ୍କୁଲ ରୂପାନ୍ତର ହେଉଛି ଆମର ୫-ଟି କାର୍ଯ୍ୟକ୍ରମର ଶ୍ରେଷ୍ଠ ଉଦାହରଣ। ୫-ଟି ହେଉଛି-- ଟେକ୍ନୋଲେଜି, ଟିମ୍ ୱାର୍କ, ଟାଇମ, ଟ୍ରାନ୍ସପାରେନ୍ସି ଓ ଟ୍ରାନ୍ସଫରମେସନ୍। ଏହା ହିଁ ରୂପାନ୍ତରକୁ ସମ୍ଭବ କରିପାରିଛି । ଟେକ୍ନୋଲେଜି ଆମକୁ ସ୍ମାର୍ଟ କ୍ଲାସ୍‌ରୁମ୍, ଇ-ଲାଇବ୍ରେରୀ, କମ୍ପୁଟର ଓ ଆଧୁନିକ ଲାବୋରେଟୋରୀର ସୁବିଧା ଦେଇଛି । ସେହିପରି ଆମ ସମସ୍ତଙ୍କ ମିଳିତ ଉଦ୍ୟମ ହେଉଛି ଟିମ୍‌ ୱାର୍କ ।

ତୃତୀୟ ନୀତି ହେଉଛି ଟାଇମ୍‌ ବା ସମୟ। ନଭେମ୍ବର ୧୪ ସୁଦ୍ଧା ୧୦୭୫ଟି ସ୍କୁଲର ରୂପାନ୍ତର କାମ ସାରିବା ପାଇଁ ମୁଁ ନିର୍ଦ୍ଦେଶ ଦେଇଥିଲି। ଆପଣମାନଙ୍କ ସମସ୍ତଙ୍କ ନିଷ୍ଠା ଓ ପରିଶ୍ରମ ଦ୍ବାରା ଏହା ଆଜି ଠିକ୍‌ ସମୟରେ ଶେଷ ହୋଇପାରିଛି । ଚତୁର୍ଥ ନୀତି ହେଉଛି ଟ୍ରାନ୍ସପାରେନ୍ସି ବା ସ୍ବଚ୍ଛତା । ସ୍କୁଲ ମାନଙ୍କରେ ଯାହା କିଛି ପରିବର୍ତ୍ତନ ହୋଇଛି, ତାହା ଅଞ୍ଚଳର ଲୋକମାନଙ୍କ ସହିତ ଆଲୋଚନା କରି କରାଯାଇଛି । ସ୍ବଚ୍ଛତା ହେଉଛି ୫-ଟିର ସବୁଠାରୁ ବଡ ଶକ୍ତି । ଏସବୁ ଆଣିଛି ରୂପାନ୍ତର, ଯାହାକୁ ଆମେ ସମସ୍ତେ ଦେଖିପାରୁଛୁ ଓ ଅନୁଭବ ମଧ୍ୟ କରିପାରୁଛୁ । ପିଲାମାନଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ମାତୃଭୂମି ଓ ପରିବାର ପରେ ସ୍କୁଲ ହେଉଛି ଆମର ସବୁଠାରୁ ବଡ ପରିଚୟ । ମୋର ପୁରା ବିଶ୍ବାସ, ତୁମେ ମାନେ ଭଲ ପାଠ ପଢି ଭଲ କାମ କରି, ଏ ପରିଚୟକୁ ରାଜ୍ୟର ଗୌରବରେ ପରିଣତ କରିପାରିବ।

publive-image

ଏହି କାର୍ଯ୍ୟକ୍ରମରେ ୫ଟି ଜିଲ୍ଲାର ଛାତ୍ରଛାତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ବିଦ୍ୟାଳୟ ରୂପାନ୍ତର ସଂପର୍କରେ ନିଜର ମନ କଥା କହିଥିଲେ। ଜଗତସିଂହପୁରର ସୁମିତ୍ରା ସାହୁ, ଦେବଗଡର ପିୟୁଷ ପ୍ରଭା କର, ପୁରୀର ଅପର୍ଣ୍ଣା ପଣ୍ଡା, ବଲାଙ୍ଗୀରର ଆର୍ୟାନ୍‌ ଶତପଥୀ ଓ କେନ୍ଦ୍ରାପଡାର ସୋନମ ପରବିନ ପ୍ରମୁଖ ଛାତ୍ରଛାତ୍ରୀ ଆଲୋଚନାରେ ଭାଗ ନେଇ କହିଥିଲେ ଯେ ସ୍କୁଲର ସ୍ବଚ୍ଛ ପରିବେଶ ଓ ସ୍ବଚ୍ଛ ଶୌଚାଳୟ ବ୍ୟବସ୍ଥା ପିଲାମାନଙ୍କ ପାଇଁ, ବିଶେଷକରି ଛାତ୍ରୀ ମାନଙ୍କ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଛି । ସ୍ମାର୍ଟ ବ୍ୟବସ୍ଥାରେ ପାଠ ବୁଝିବା ସହଜ ହେଉଛି ବୋଲି ସେମାନେ କହିଥିଲେ । ସରକାରୀ ସ୍କୁଲ ପିଲାମାନଙ୍କ ପାଇଁ ଉଚ୍ଚଶିକ୍ଷାରେ ପନ୍ଦର ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଥିବାରୁ, ସେମାନେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ। ସେମାନେ ଭବିଷ୍ୟତରେ କଣ ହେବାକୁ ଚାହାନ୍ତି ବୋଲି ମୁଖ୍ୟମନ୍ତ୍ରୀ ପଚାରିବାରୁ ସେମାନେ ଉତ୍ସାହିତ ହୋଇ ଆଇ.ଏ.ଏସ୍‌, ଆଇ.ପି.ଏସ୍‌ ଅଫିସର, ଡାକ୍ତର ଇଞ୍ଜିନିୟର ହେବେ ବୋଲି କହିଥିଲେ ।

କାର୍ଯ୍ୟକ୍ରମରେ ଜଗତସିଂହପୁରରେ ଜଳସଂପଦ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ଦେବଗଡରେ ଗ୍ରାମ୍ୟ ଉନ୍ନୟନ ଓ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ, ପୁରୀରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ, ବଲାଙ୍ଗୀରରେ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଟୁକୁନୀ ସାହୁ ଏବଂ କେନ୍ଦ୍ରାପଡାରେ ପଞ୍ଚାୟତିରାଜ ଓ ଆଇନ ମନ୍ତ୍ରୀ  ପ୍ରତାପ ଜେନା ପ୍ରମୁଖ ଯୋଗ ଦେଇ ବିଦ୍ୟାଳୟ ରୂପାନ୍ତର କାର୍ଯ୍ୟକ୍ରମର ଉଚ୍ଚପ୍ରଶଂସା କରିଥିଲେ। ସ୍କୁଲ ରୂପାନ୍ତର ରାଜ୍ୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଏକ ଅଭୁତପୂର୍ବ ଉତ୍ସାହ ସୃଷ୍ଟି କରିଛି ବୋଲି ସେମାନେ କହିଥିଲେ । ଶିକ୍ଷା ଏବେ ବାପା ମା’ଙ୍କ ଠାରୁ ଆରମ୍ଭ କରି ଗ୍ରାମବାସୀ, ସ୍ଥାନୀୟ ନେତୃବୃନ୍ଦ ସମସ୍ତଙ୍କ ପାଇଁ ଏକ ଚର୍ଚ୍ଚାର ବିଷୟ ହୋଇଛି ବୋଲି ପ୍ରକାଶ କରି ସେମାନେ ଖୁସିବ୍ୟକ୍ତ କରିଥିଲେ ।

publive-image

ଏହି ଅବସରରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ନିଜର ସଫଳତାରେ ସ୍କୁଲର ଅବଦାନ ସଂପର୍କରେ ଆଲୋକପାତ କରିଥିଲେ। ଟିଟିଲାଗଡ ହାଇସ୍କୁଲରୁ ପାଠ ପଢିଥିବା ଶ୍ରୀ ତ୍ରିପାଠୀ କହିଲେ ମୁଁ ଗୋଟିଏ ସରକାରୀ ସ୍କୁଲରୁ ପାଠ ପଢି ସ୍ବପ୍ନ ପୂରଣ କରିପାରିଛି ଏବଂ ଜିଲ୍ଲା ଓ ରାଜ୍ୟର ବିକାଶରେ କିଛି କିଛି ଯୋଗଦାନ ରଖିପାରିଛି । ଆଜିର ସରକାରୀ ସ୍କୁଲ ଓ ଆମ ବେଳର ସରକାରୀ ସ୍କୁଲର ସୁବିଧା ମଧ୍ୟରେ ଆକାଶପାତାଳ ତଫାତ ରହିଛି । ତେଣୁ ତୁମେ ମାନେ ନିଶ୍ଟୟ ତୁମର ସ୍ବପ୍ନ ପୂରଣ କରିପାରିବ ବୋଲି ସେ ପିଲାମାନଙ୍କୁ କହିଥିଲେ।

ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ପରିଚାଳନା କରିଥିଲେ । ଅନେକ ପିଲା ଭବିଷ୍ୟତରେ ଆଇଏଏସ୍‌ ଓ ଆଇପିଏସ ଅଫିସର ହେବାର ଲକ୍ଷ୍ୟ ରଖିଥିବା ବିଷୟ ଶୁଣି ଶ୍ରୀ ପାଣ୍ଡିଆନ କହିଥିଲେ ଯେ ଅନେକ ପଦସ୍ଥ ଅଧିକାରୀ ସରକାରୀ ସ୍କୁଲରୁ ହିଁ ପାଠ ପଢି ଲକ୍ଷ୍ୟ ପୂରଣ କରିଛନ୍ତି। ମୁଁ ମଧ୍ୟ ସରକାରୀ ସ୍କୁଲରେ ପଢିଛି। ତେଣୁ ଆମ ସରକାରୀ ସ୍କୁଲର ପିଲାମାନେ ମଧ୍ୟ ନିଶ୍ଚୟ ସଫଳ ହେବେ ବୋଲି ସେ ଆଶାବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ସଂପର୍କରେ ଭିଡିଓ ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା । କାର୍ଯ୍ୟକ୍ରମରେ ଉନ୍ନୟନ କମିସନର ପି.କେ. ଜେନା ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe