Northeast Now
ଭୁବନେଶ୍ବର : ୨୦୩୦ ସୁଦ୍ଧା ସାରା ଦେଶରେ ନୂଆ ଶିକ୍ଷା ନୀତି ଲାଗୁ କରିବାକୁ ଲକ୍ଷ୍ୟ ରଖାଯାଇଛି। ସେଦିଗରେ ବିଭିନ୍ନ ସଂସ୍କାରଧର୍ମୀ କାର୍ଯ୍ୟକ୍ରମ ହାତକୁ ନିଆଯାଉଥିବା ନେଇ ଜାତୀୟ ଶିକ୍ଷା ଗବେଷଣା ଓ ତାଲିମ ପରିଷଦ(ଏନ୍ସିଇଆରଟି) ନିର୍ଦେଶକ ପ୍ରଫେସର ଦିନେଶ ପ୍ରସାଦ ସକଲାନି କହିଛନ୍ତି।
ଭୁବନେଶ୍ବରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (ଆରଆଇଇ) ଗସ୍ତ ସମୟରେ ପ୍ରଫେସର ସକଲାନି କହିଲେ ନୂତନ ଶିକ୍ଷା ନୀତିରେ ସ୍କୁଲ ଶିକ୍ଷା ଭାରତୀୟ ଜ୍ଞାନ କୌଶଳ ଉପରେ ଆଧାରିତ ହେବ। ନିର୍ଦ୍ଧାରିତ ସମୟ ଭିତରେ ହିଁ ଏହି ନୂଆ ନୀତି ଲାଗୁ କରାଯିବ। ଯେଉଁଥିରେ ଧନ୍ଦାମୂଳକ ଶିକ୍ଷା, ପ୍ରି-ସ୍କୁଲ, କୋଡିଂ ଆଦି ବ୍ୟବସ୍ଥାକୁ ଅଧିକ ଗୁରୁତ୍ବ ଦିଆଯାଇଛି। ପିଲାମାନେ ମାତୃଭାଷା ସମେତ ଅନ୍ୟ ଭାଷାରେ ଯେପରି ଦକ୍ଷ ହୋଇପାରିବେ ସେଦିଗରେ ବି ଏକାଧିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।
ଘରୋଇ ସ୍କୁଲଗୁଡ଼ିକ ଏନ୍ସିଇଆରଟି ବହିକୁ ଗୁରୁତ୍ବ ଦେଉ ନ ଥିବା ନେଇ ଅଭିଯୋଗ ଉପରେ ସେ କହିଲେ ଯେ ଘରୋଇ ସ୍କୁଲ କର୍ତୃପକ୍ଷଙ୍କ ମାନମାନିକୁ ରୋକିବା ଲାଗି ଆମ ସମସ୍ତଙ୍କୁ ପ୍ରୟାସ କରିବାକୁ ପଡ଼ିବ। ରାଜ୍ୟ ସରକାରଙ୍କୁ ବି ଏଦିଗରେ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ପିଲାମାନେ ଯେପରି ନକଲି ବହି ନ କିଣିବେ ସେଥିପାଇଁ ରାଜ୍ୟର ଏସ୍ସିଇଆରଟି ସହ ସମନ୍ବୟ ରଖାଯାଇ ପିଲାଙ୍କ ବହି ପ୍ରସ୍ତୁତି କାର୍ଯ୍ୟ ଚାଲିଛି।
Follow Us