ପାହାଡ଼ ଉପରେ ଶିକ୍ଷା: ସ୍କୁଲ ପରିସରରେ ଦିନ ବେଳା ବିଚରଣ କରୁଛନ୍ତି ସାପ ଓ ଜଂଗଲି ଜନ୍ତୁ

Advertisment

ପାଣିରେ ପଡିଲା ସରକାରଙ୍କର ୭୫ ଲକ୍ଷ ଟଂକା

ପାଣିରେ ପଡିଲା ସରକାରଙ୍କର ୭୫ ଲକ୍ଷ ଟଂକା

ପାହାଡ଼ ଉପରେ ଶିକ୍ଷା: ସ୍କୁଲ ପରିସରରେ ଦିନ ବେଳା ବିଚରଣ କରୁଛନ୍ତି ସାପ ଓ ଜଂଗଲି ଜନ୍ତୁ
ରାୟଗଡା: ସରକାରୀ ଟଂକାଙ୍କୁ କିପରି ପାଣିରେ ପକାଯାଉଛି ତାହାର ଜ୍ବଳନ୍ତ ଉଦାହରଣ ରାୟଗଡା ଜିଲ୍ଲାରେ ଦେଖିବାକୁ ମିଳିଛି। ରାୟଗଡ଼ା ସଦର ବ୍ଲକର ହାଲବା ପଞ୍ଚାୟତରେ ପାହାଡ଼ ଉପରେ ବିଦ୍ୟାଳୟ ନିର୍ମାଣ କରାଯାଇଛି। ପିଲାମାନେ ବଡ଼ କଷ୍ଟରେ ୧ କିଲୋମିଟର ଦୂରରେ ଥିବା ଜଙ୍ଗଲ ରାସ୍ତାରେ ସ୍କୁଲକୁ ଯାଇ ପହଞ୍ଚୁଛନ୍ତି। ବିଭାଗୀୟ ଅଧିକାରୀ, ଠିକାଦାର ଏବଂ ଶିକ୍ଷା ବିଭାଗର ଉଚ୍ଚପଦାଧିକାରୀମାନେ ମିଳିମିଶି କିପରି ସରକାରୀ ଟଂକାକୁ ଅପବ୍ୟବହାର କରିଛନ୍ତି ତାହା ନଦେଖିଲେ ବିଶ୍ବାସ କରିହେବ ନାହିଁ।  ସରକାରୀ ଟଂକାକୁ ଏଭଳି ଅପବ୍ୟବହାର କରାଯାଇଥିବ, ତାହାକୁ ନିଜେ ଜିଲ୍ଲାପାଳ ମଧ୍ୟ ବିଶ୍ବାସ କରିନପାରି ନିଜେ ଏହାକୁ ଦେଖିବାକୁ ଯାଇ ଆଶ୍ଚର୍ଯ୍ୟ ହୋଇଥିଲେ। ଟଂକାର ଅପବ୍ୟବହାର ଦେଖି ଏଥିରେ ସାମିଲ ଥିବା ସମସ୍ତ ଅଧିକାରୀ, ଠିକାଦାରଙ୍କ ଠାରୁ ଟଂକା ଆଦାୟ କରିବାକୁ ମଧ୍ୟ ନିର୍ଦେଶ ଦେଇଥିଲେ।
ଏହି ପଞ୍ଚାୟତର ସରକାରୀ ଉଚ୍ଚ ବିଦ୍ୟାଳୟର କୋଠାଘର ପାଇଁ ହାଲବାଠାରେ ଗତ ୧୦ ବର୍ଷ ତଳେ ପ୍ରାୟ ୭୫ ଲକ୍ଷ ଟଂକା ମଞ୍ଜୁର ହୋଇଥିଲା। ଏହାକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନିର୍ମାଣ କରାଯାଇଥିଲା। ସ୍କୁଲ ପାଇଁ ଜାଗା ବଛାଯାଇଥିଲା ପାହାଡ ଉପରେ।ପ୍ରାୟ ଏକ କିଲୋମିଟର ପାହାଡ଼ ଉପରେ ଘଂଚ ଜଂଗଲ ମଧ୍ୟରେ ସ୍କୁଲର କୋଠାଘର ନିର୍ମାଣ କରାଗଲା। ଏହି ସ୍କୁଲକୁ ଯିବାକୁ ହେଲେ ଏକ କିଲୋମିଟର ପାହାଡ଼ ଚଢିବାକୁ ପଡ଼ିବ। ରାସ୍ତା ନାହିଁ। ଜଂଗଲିଆ ରାସ୍ତାରେ ଚାଲି ଚାଲି ଯିବାକୁ ପଡ଼ିବ, ଯେଉଁଠାରେ ସ୍କୁଲଟି ନିର୍ମାଣ କରାଗଲା ସେଠାରେ ନା ପିଇବା ପାଣିର ବ୍ୟବସ୍ଥା ଅଛି ନା ବିଦ୍ୟୁତ ସଂଯୋଗ ହୋଇଛି। ସ୍କୁଲ ନିକଟରେ ଯେଉଁ ନଳକୂପ ଟିଏ ଖୋଳାଗଲା ସେଥିରେ ପାଣି ବାହାରିଲା ନାହିଁ। କାରଣ ପାହାଡ଼ ଉପରେ ନଳକୂପ ଖୋଳିବା କେତେ ଯେ କଷ୍ଟକର ତାହା ନଦେଖିଲେ ଜାଣି ହେବ ନାହିଁ।
publive-image
ବିଭାଗୀୟ ଅଧିକାରୀ, ଠିକାଦାର ଏବଂ ଶିକ୍ଷା ବିଭାଗର ଉଚ୍ଚପଦାଧିକାରୀ କିପରି ପାହାଡ଼ ଉପରେ ସ୍କୁଲ ନିର୍ମାଣ କରିବା ନେଇ ପ୍ରସ୍ତାବ ଦେଲେ ଏବଂ ଏତେ ଉଚ୍ଚରେ ବିପଦପୂର୍ଣ୍ଣ ସ୍ଥାନରେ ସ୍କୁଲ ନିର୍ମାଣ ହେଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସ୍କୁଲଟି ପାହାଡ଼ ଉପରେ ଏବଂ ବିପଦପୂର୍ଣ୍ଣ ଅବସ୍ଥାରେ ଥିବାରୁ ଅଭିଭାବକମାନେ ନିଜ ପିଲାଙ୍କୁ ଅସୁରକ୍ଷିତ ସ୍ଥାନକୁ ପଠାଇବାକୁ ସଂପୂର୍ଣ୍ଣ ମନା କରିଦେଇଥିଲେ। ଚାରିଆଡେ ଘଂଚ ଜଂଗଲ ଥିବାରୁ ସାପଙ୍କ ପାଦୁର୍ଭାବ ବେଶୀ ରହିଛି। ସେହିପରି ପାହାଡ଼‌ରେ ସ୍କୁଲ ଥିବାରୁ ଜଂଗଲି ଜନ୍ତୁ ମଧ୍ୟ ଦିନ ବେଳା ବିଚରଣ କରନ୍ତି। ଏତେ ସବୁ ସମସ୍ୟା ଭିତରେ କିପରି ଏତେ ଟଂକାର କୋଠାଘର ନିର୍ମାଣ ହେଲା ତାହାକୁ ନେଇ ସବୁ ମହଲରେ ଚର୍ଚ୍ଚା ଲାଗି ରହିଛି। ଏହି ସ୍କୁଲଟି ଭଙ୍ଗା ଦଦରା ଅବସ୍ଥାରେ ପଡ଼ି ରହିଥିବା ବେଳେ ଏହି ସ୍କୁଲରେ ସ୍ଥାନୀୟ ଲୋକେ ନିଜର ଘର କରିବା ସହ ସ୍କୁଲ ରୁମଗୁଡିକରେ କପା, ଧାନ ଗଚ୍ଛିତ କରି ରଖିଛନ୍ତି।
ଏନେଇ ଜିଲ୍ଲା ଶିକ୍ଷାଧିକାରୀ ପୂର୍ଣ୍ଣ ଚନ୍ଦ୍ର ବରିହାଙ୍କୁ ପଚାରିବାରୁ ଏହି ସ୍କୁଲ କୋଠାଘରକୁ ଶିକ୍ଷା ବିଭାଗକୁ ହସ୍ତାନ୍ତର କରାଯାଇ ନାହଁ। ଏତେ ଦୂର ପାହାଡ଼ ଉପରେ ସ୍କୁଲ କରାଯାଇଥିବାରୁ ଏହା ସୁରକ୍ଷିତ ନଥିବା ମଧ୍ୟ ସେ କହିଥିଲେ। ଅନ୍ୟଦିଗରେ ହାଲବା ସ୍କୁଲର ପ୍ରଧାନ ଶିକ୍ଷକ ପ୍ରଭାକର ମିଶ୍ରଙ୍କୁ ପଚାରିବାରୁ ସେ ସ୍କୁଲ ନିର୍ମାଣର ସମସ୍ତ ବିବରଣୀ ବଖାଣିଥିଲେ। ପାହାଡ଼ ଉପରେ କିପରି ସ୍କୁଲ ଗୃହ ନିର୍ମାଣ ହେଲା ଏବଂ କିପରି ପିଲାଙ୍କୁ ଏତେ ଦୂର ଚଲାଇ ନେବେ ତାକୁ ନେଇ ସେ ପ୍ରଶ୍ନ କରିଥିଲେ। ତେବେ ସ୍କୁଲ ଗୃହ ନିର୍ମାଣ ନେଇ ଜାଗା ଦେବା ପାଇଁ ତହସିଲଦାରଙ୍କ ନିକଟରେ ଦରଖାସ୍ତ ଦିଆଯାଇଥିବା ଶ୍ରୀ ମିଶ୍ର କହିଥିଲେ। ଏହି ସ୍କୁଲ ଗୃହକୁ ଦେଖି ଦିନେ ଜିଲ୍ଲାପାଳ ଶ୍ରୀ ମିଶ୍ରଙ୍କୁ ତାଗିଦ କରିଥିଲେ। କିନ୍ତୁ  ସେ ନିଜେ ସ୍କୁଲ ଗୃହ ଦେଖି ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ତୁରନ୍ତ ଏଥିରେ ସାମିଲ ଥିବା ସମସ୍ତ ଅଧିକାରୀ ଏବଂ ଠିକାଦାରଙ୍କ ଠାରୁ ଟଂକା ଆଦାୟ ନେଇ ନିର୍ଦେଶ ଦେବା ସହ ଉଦବେଗ ପ୍ରକାଶ କରିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe