ଶେଷରେ ବାଟ ଫିଟିଲା କୋହଳ ହେବ ସ୍କୁଲ ଫି’

Advertisment
ରବିବାର ସ୍କୁଲ ବୁଲିବେ ଗଣଶିକ୍ଷା ବିଭାଗ ଅଧିକାରୀ

AssamGuru.com

ଭୁବନେଶ୍ବର: ସ୍କୁଲ ଫି’ ଛାଡ଼ ହେବ। ଘରୋଇ ଅଣଅନୁଦାନପ୍ରାପ୍ତ ଓ ଅନୁଦାନପ୍ରାପ୍ତ ସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ସ୍କୁଲ ଫି’ କୋହଳ କରିବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ହାଇକୋର୍ଟରେ ଦାଖଲ ହୋଇଥିବା ରିପୋର୍ଟ ଆଧାରରେ ‌ହିଁ ୭ଟି ସ୍ଲାବ୍‌ରେ ଫି’ କୋହଳ କରାଯିବ। ଏଥିସହ ପରିବହନ ଓ ଖାଦ୍ୟ ବାବଦ ଖର୍ଚ୍ଚ ମନଇଚ୍ଛା ସ୍କୁଲ ପକ୍ଷରୁ ଆଦାୟ କରା ନ ଯାଇ ପ୍ରକୃତ ସ୍ଥିତିକୁ ଦେଖି ପଦକ୍ଷେପ ନେବାକୁ କୁହାଯାଇଛି। ୨୦୨୦-୨୧ ଶିକ୍ଷାବର୍ଷ ଲାଗି କୌଣସି ବି ବିଦ୍ୟାଳୟ ଫି’ ବୃଦ୍ଧି କରିପାରିବେ ନାହିଁ। ହଷ୍ଟେଲ ଫି’ ୩୦% ଛାଡ଼ ହେବ। ସ୍କୁଲ ନ ଖୋଲିବା ପର୍ଯ୍ୟନ୍ତ ଆକ୍ଟିଭିଟି ଫି, ଲଣ୍ଡ୍ରି ଫି, ଏକ୍ସଟର୍ନାଲ ଏକ୍‌ଜାମ ଫି, ୟୁନିଫର୍ମ ଫି, କନଭେୟାନ୍ସ ଫି, ରିଆଡମିସନ୍ ଫି’, ଡେଭଲପମେଣ୍ଟ ଫି, ଆନୁଆଲ ଫି ଆଦାୟ ନ କରିବାକୁ କୁହାଯାଇଛି।

ହାଇକୋର୍ଟଙ୍କ ରାୟ ଆସିବା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ବ୍ୟାପକ ଆଲୋଚନା, ପର୍ଯ୍ୟାଲୋଚନା ଏବଂ ଆଡଭୋକେଡ୍‌ ଜେନେରାଲ୍‌ଙ୍କ ପରାମର୍ଶ କ୍ରମେ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ ହୋଇଛି ଯେ ସ୍କୁଲ ଫି’ କୋହଳ ନେଇ
ଘରୋଇ ସ୍କୁଲ କର୍ତୃପକ୍ଷ, ରାଜ୍ୟ ସରକାର ଓ ଓଡ଼ିଶା ଅଭିଭାବକ ମହାସଂଘ ସମେତ ୧୪ଟି ପକ୍ଷ ମଧ୍ୟରେ ହୋଇଥିବା ଚୁକ୍ତିନାମା(ଏମ୍‌ଓୟୁ) କାର୍ଯ୍ୟକାରୀ କରାଯିବ। ଏହି ଏମ୍‌ଓୟୁରେ ରାଜ୍ୟର ବହୁ ଘରୋଇ ସ୍କୁଲ ମାଲିକଙ୍କ ସମେତ ରାଜ୍ୟ ସରକାରଙ୍କ ପ୍ରଶାସନିକ ଅଧିକାରୀ ମଧ୍ୟ ସହମତି ପ୍ରକାଶ କରିଥିଲେ। ଏହି ପ୍ରସଙ୍ଗରେ ହାଇକୋର୍ଟ‌‌ରେ ହୋଇଥିବା ତିନୋଟି ପୃଥକ ଲେଖା ଆବେଦନ ଉପରେ ଗତ ୭ ତାରିଖ ଶୁଣାଣି ହୋଇଥିବା ବେଳେ ୧୦ରେ ରାୟ ପ୍ରକାଶ ପାଇଥିଲା। ରାୟ ପ୍ରକାଶ ପରେ ରାଜ୍ୟ ସରକାର ଫି’ ପ୍ରସଙ୍ଗରେ ନିଷ୍ପତ୍ତି ନେବାକୁ ହାଇକୋର୍ଟ ନିର୍ଦେଶ ଦେଇଥିଲେ। ତାହାକୁ ଆଧାର କରି ସେପ୍ଟେମ୍ବର ୧୦ରେ ସ୍ବାକ୍ଷରିତ ରାଜିନାମା କାର୍ଯ୍ୟକାରୀ କରିବା ଦିଗରେ ପଦକ୍ଷେପ ନେବାକୁ ସମସ୍ତ ଘରୋଇ ଶିକ୍ଷାନୁଷ୍ଠାନକୁ ପରାମର୍ଶ ଦିଆଯାଇଛି।

ସୂଚନାଯୋଗ୍ୟ ଯେ ସ୍କୁଲ ଫି’ ଛାଡ଼ ମାମଲାର ଶୁଣାଣି ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ ଘରୋଇ ସ୍କୁଲଗୁଡିକର ଫି’ ନିୟନ୍ତ୍ରଣ ପାଇଁ କିଛି ବ୍ୟବସ୍ଥା ନାହିଁ। ଯାହାକୁ ବିରୋଧ କରି ଓଡ଼ିଶା ଅଭିଭାବକ ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟଙ୍କ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇ ଘରୋଇ ସ୍କୁଲ ଉପରେ ନିୟନ୍ତ୍ରଣ ପାଇଁ ସରକାରଙ୍କ ପୂର୍ଣ୍ଣ କ୍ଷମତା ରହିଛି ବୋଲି ଦର୍ଶାଯାଇଥିଲା। ୧୯୯୬ ସେପ୍ଟେମ୍ବର ୨୩ରେ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଥିଲା ଯେ ଯଦି ନିୟମାବଳୀ ଉଲ୍ଲଂଘନ ହୁଏ ତେବେ ସଂପୃକ୍ତ ଅନୁଷ୍ଠାନର ଏନ୍‌ଓସି ପ୍ରତ୍ୟାହାର କରାଯିବ। ନିୟମାବଳୀ ପାଳନ ଉପରେ ସ୍କୁଲକୁ ପ୍ରଦାନ କରାଯାଇଥିବା ଏନ୍‌ଓସି ନିର୍ଭର କରିବ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ ଭାବେ ଉଲ୍ଲେଖ ହୋଇଥିଲା ବୋଲି ଆବେଦନକାରୀ ଦର୍ଶାଇଥିଲେ। ଯାହା ଉପରେ ହାଇକୋର୍ଟ ୧୯୯୬ ସେପ୍ଟେମ୍ବର ୨୩ରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଘରୋଇ ସ୍କୁଲର ସ୍ବୀକୃତି ଓ ଏନ୍‌ଓସି ସଂକ୍ରାନ୍ତରେ ଜାରି ନିୟମାବଳୀର କଡ଼ା କାର୍ଯ୍ୟକାରୀ ପ୍ରସଙ୍ଗକୁ ନେଇ ମଧ୍ୟ ପକ୍ଷମାନେ ପୃଥକ୍‌ ଭାବେ ଆଇନ ଦ୍ବାରା ଅନୁମତିପ୍ରାପ୍ତ ପ୍ରକ୍ରିୟା ଅନୁସରଣ କରିପାରିବେ ବୋଲି ଗତ ୭ ତାରିଖରେ ହାଇକୋର୍ଟଙ୍କ ଦ୍ବାରା ପ୍ରକାଶିତ ରାୟରେ ସ୍ପଷ୍ଟ କରାଯାଇଥିଲା।
ଏମିତି ହେବ ସ୍କୁଲ ଫି’ ଛାଡ଼
ବାର୍ଷିକ ଟିଉସନ୍‌ ଫି’ ପ୍ରତିଶତ
୬ ହଜାର ଟଙ୍କା ୦%
୬୦୦୧-୧୨୦୦୦ ୭.୫%
୧୨୦୦୧-୨୪,୦୦୦ ୧୨%
୨୪,୦୦୧-୪୮,୦୦୦ ୧୫%
୪୮,୦୦୧-୭୨,୦୦୦ ୨୦%
୭୨,୦୦୧-୧ ଲକ୍ଷ ୨୫%
ଏକ ଲକ୍ଷରୁ ଅଧିକ ୨୬%

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe