ସ୍କୁଲ ଫି’ କମାଇବାକୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

Advertisment

ଧନ୍ୟବାଦ ଜଣାଇଲା ଅଭିଭାବକ ମହାସଂଘ, ଘରୋଇ ସ୍କୁଲ ମାନିଲେ ହେଲା

ଧନ୍ୟବାଦ ଜଣାଇଲା ଅଭିଭାବକ ମହାସଂଘ, ଘରୋଇ ସ୍କୁଲ ମାନିଲେ ହେଲା

ବ୍ରହ୍ମପୁର ମେୟର୍‌ ହେବାକୁ ବିଜେଡିରେ ଡଜନେ ଆଶାୟୀ, ମୁଖ୍ୟମନ୍ତ୍ରୀ ଦେବେ କି ମାଷ୍ଟର ଷ୍ଟ୍ରୋକ୍‌?

image source--news 18

ଭୁବନେଶ୍ୱର : କରୋନା ଭୂତାଣୁ ସଂକ୍ରମଣ ଦିନକୁ ଦିନ ବଢ଼ି ଚାଲିଛି। ପ୍ରତିଦିନ ଗୋଟିଏ ପରେ ଗୋଟିଏ ଆକ୍ରାନ୍ତ ସାମ୍ନାକୁ ଆସୁଛନ୍ତି। ଏଥିଯୋଗୁଁ ସମଗ୍ର ଦେଶ ସହ ରାଜ୍ୟରେ ମଧ୍ୟ ଲକ୍‌ଡାଉନ୍‌ ଜାରି ରହିଥିବାରୁ ସାଧାରଣ ଜୀବନଯାତ୍ରା ଏକପ୍ରକାର ଠପ୍ ହୋଇଯାଇଛି। ସରକାରୀ ଓ ଘରୋଇ ସ୍କୁଲ, ଲଲେଜ ବନ୍ଦ ରହିଛି। ପାଠପଢ଼ା ହେଉନି କି ପିଲା ସ୍କୁଲକୁ ଆସୁନାହାନ୍ତି। ଏଭଳି ସମୟରେ ସବୁ ଘରୋଇ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀଙ୍କ ତିନି ମାସର ସ୍କୁଲ ଫି’ ହ୍ରାସ କିମ୍ବା ଘୁଞ୍ଚାଇବା ଲାଗି ରାଜ୍ୟ ସରକାର ନିବେଦନ କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଟ୍ୱିଟ୍‌ ଯୋଗେ କୁହାଯାଇଛି ଯେ ଲକ୍‌ଡାଉନ୍‌ ଯୋଗୁଁ ଅଭିଭାବକଙ୍କ ଉପରେ ଆର୍ଥିକ ଚାପ ରହିବ। ଏହାକୁ ଦୃଷ୍ଟିରେ ରଖି ସବୁ ଘରୋଇ ଶିକ୍ଷାନୁଷ୍ଠାନ ସହାନୁଭୂତି ଦେଖାଇ ଏପ୍ରିଲରୁ ଜୁନ୍‌ ପର୍ଯ୍ୟନ୍ତ ତିନି ମାସର ସ୍କୁଲ ଫି’ କମାଇ ଦିଅନ୍ତୁ, ନହେଲେ ଏହାକୁ ଘୁଞ୍ଚାଇ ଦିଅନ୍ତୁ। ସ୍କୁଲ ଫି’ ହ୍ରାସ କଲେ ଅଭିଭାବକଙ୍କ ଉପରେ
ବୋଝ ପଡ଼ିବନି। ଲକ୍‌ଡାଉନ୍ ଯୋଗୁଁ ଯେଉଁ ଅଭିଭାବକଙ୍କ ‌ଆୟ ଗଭୀର ଭାବେ ପ୍ରଭାବିତ ହୋଇଛି, ସେମାନଙ୍କୁ ଏହାଦ୍ୱାରା ସହାୟତା ମିଳିବ ବୋଲି ଏଥିରେ ଦର୍ଶାଯାଇଛି।

ତେବେ କେତେ ପ୍ରତିଶତ ଫି’ କମାଇବା ନେଇ କୌଣସି ସୂଚନା ଦିଆଯାଇ ନଥିବାରୁ ଅଭିଭାବକମାନେ ଏବେ ପ୍ରଶ୍ନ ଉଠାଇଛନ୍ତି। କାରଣ ପୂର୍ବରୁ ବି ଘରଭଡ଼ା ଛାଡ଼ କରିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଥିଲେ। କିନ୍ତୁ ଏହାକୁ କେହି ଖାତିର୍‌ କରି ନଥିଲେ। ହାତଗଣତି କିଛି ବ୍ୟକ୍ତିବିଶେଷ ମୁଖ୍ୟମନ୍ତ୍ରୀଙ୍କ ନିବେଦନକୁ ଗ୍ରହଣ କରି ପଦକ୍ଷେପ ନେଇଥିଲେ। ଏବେ ସ୍କୁଲ ଫି’ କମାଇବାକୁ କରାଯାଇଥିବା ନିବେଦନକୁ କେତେ ସ୍କୁଲ ଲାଗୁ କରୁଛନ୍ତି, ତାହା ଦେଖିବାକୁ ବାକି ରହିଲା।

ଅନ୍ୟପକ୍ଷରେ ସ୍କୁଲ ଫି’ ଛାଡ଼ କରିବା ଦାବିରେ ଗତକାଲି ଓଡ଼ିଶା ଅଭିଭାବକ ମହାସଂଘର ସଦସ୍ୟମାନେ ନିଜ ନିଜ ଘରେ ଧାରଣା ଦେଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଏ ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏଭଳି ଟ୍ୱିଟ୍‌ ପରେ ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି। ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ ଏକ ପ୍ରେସ୍‌ ବିଜ୍ଞପ୍ତିରେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଯେଉଁ ନିବେଦନ କରାଯାଇଛି, ତାହାକୁ ସମସ୍ତ ଘରୋଇ ଶିକ୍ଷାନୁଷ୍ଠାନ ପାଳନ କରିବା ଆବଶ୍ୟକ। ବର୍ତ୍ତମାନ ସମୟରେ ପିଲାଙ୍କ ସ୍କୁଲ ଫି’ କମାଇ ଦିଅନ୍ତୁ। ଏ ନେଇ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସହ କଥା ହୋଇଛି। ଫି’ କମାଇବା ନେଇ ବିଭାଗ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ) ଓ ବ୍ଲକ୍‌ ଶିକ୍ଷା ଅଧିକାରୀ(ବିଇଓ)ଙ୍କୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରାଯାଇଛି। ଏହା ହୋଇପାରିଲେ ମୁଖ୍ୟମନ୍ତ୍ରୀଙ୍କ ନିବେଦନ କାର୍ଯ୍ୟକାରୀ ହୋଇପାରିବ। ନହେଲେ କେହି ବି ଫି’ କମାଇବେ ନାହିଁ।

ସୂଚନାଯୋଗ୍ୟ ଯେ କରୋନା ମୁକାବିଲା ପାଇଁ ଗତକାଲି ଓଡ଼ିଶାରେ ଲକ୍‌ଡାଉନ୍‌ ଅବଧିକୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏଥିସହ ଜୁନ୍‌ ୧୭ଯାଏ ଶିକ୍ଷନୁଷ୍ଠାନକୁ ଛୁଟି ଘୋଷଣା କରାଯାଇଛି। ଏହି ସମୟ ଭିତରେ ସ୍କୁଲ ଖୋଲିବନି କି ପିଲାଙ୍କ ପାଠପଢ଼ା ହେବନି। ତେଣୁ ସ୍କୁଲଗୁଡ଼ିକ ଫି’ ନେବାର କୌଣସି କାରଣ ନାହିଁ ବୋଲି ଅଭିଭାବକମାନେ ଯୁକ୍ତି ବାଢ଼ିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe