୨୬ରୁ ଖୋଲିବ ସ୍କୁଲ୍‌ ହଷ୍ଟେଲ, ହଷ୍ଟେଲରେ ରହିବା ପାଇଁ ଅଭିଭାବକଙ୍କ ଅନୁମତି ଲୋଡ଼ା

୨୬ରୁ ଖୋଲିବ ସ୍କୁଲ୍‌ ହଷ୍ଟେଲ, ହଷ୍ଟେଲରେ ରହିବା ପାଇଁ ଅଭିଭାବକଙ୍କ ଅନୁମତି ଲୋଡ଼ା

akt institutions

ଭୁବନେଶ୍ବର : ଜୁଲାଇ ୨୬ରୁ ଖୋଲିବ ସ୍କୁଲ। ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍‌ ପାଠପଢ଼ା ଆରମ୍ଭ ହେବ। ଏଥିସହ ସେହିଦିନଠାରୁ ସ୍କୁଲଗୁଡ଼ିକର ହଷ୍ଟେଲ ଖୋଲିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି। ବିଭାଗୀୟ ଅତିରିକ୍ତ ସଚିବ ପ୍ରତାପ କୁମାର ମିଶ୍ର ବିଭିନ୍ନ ନିର୍ଦେଶାଳୟର ନିର୍ଦେଶକଙ୍କୁ ଲେଖି ହଷ୍ଟେଲ ଖୋଲିବାର ନିୟମାବଳି ସମ୍ପର୍କରେ ଅବଗତ କରାଇଛନ୍ତି।

ଶ୍ରୀ ମିଶ୍ର କହିଛନ୍ତି ଯେ ହଷ୍ଟେଲ ଅନ୍ତେବାସୀଙ୍କ ମଧ୍ୟରେ ଯେପରି ଦୂରତ୍ବ ରହିବ ସେଦିଗରେ ଶିକ୍ଷାନୁଷ୍ଠାନ ମୁଖ୍ୟମାନେ ପଦକ୍ଷେପ ଗ୍ରହଣ କରିବେ। ନିୟମିତ ବ୍ୟବଧାନରେ ହଷ୍ଟେଲ ମେସ୍‌, ଶୌଚାଳୟ ଓ ସମସ୍ତେ ଚଳପ୍ରଚଳ କରୁଥିବା ଅଞ୍ଚଳକୁ ବିଶୋଧନ କରିବେ। ପର୍ଯ୍ୟାପ୍ତ ପରିମାଣର ସାବୁନ୍‌ ଓ ହ୍ୟାଣ୍ଡ ସାନିଟାଇଜର କ୍ୟାମ୍ପସରେ ଉପଲବ୍ଧ କରାଇବେ।

ଅନ୍ତେବାସୀଙ୍କ ସ୍ବାସ୍ଥ୍ୟ ଓ ସ୍ବଚ୍ଛତା ଉପରେ ଗୁରୁତ୍ବ ଦିଆଯିବ। ହଷ୍ଟେଲରେ ରହିବା ପୂର୍ବରୁ ଅନ୍ତେବାସୀଙ୍କୁ ଅଭିଭାବକଙ୍କ ଅନୁମତି ଆବଶ୍ୟକ। ଶିକ୍ଷାନୁଷ୍ଠାନ ମୁଖ୍ୟମାନେ ସ୍ଥାନୀୟ ସ୍ବାସ୍ଥ୍ୟ ଅନୁଷ୍ଠାନ ସମ୍ପର୍କରେ ରହି ନିୟମିତ ଭାବେ ଅନ୍ତେବାସୀଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରାଇବେ।

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ହୋଇଥିବା ଗାଇଡ୍‌ଲାଇନ୍‌କୁ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି। ଅନ୍ତେବାସୀ ଯେପରି ଗୋଟିଏ ସ୍ଥାନରେ ସମବେତ ନ ହୁଅନ୍ତି ସେଥିପ୍ରତି ହଷ୍ଟେଲ କର୍ତୃପକ୍ଷ ଦୃଷ୍ଟି ଦେବେ। ‌ହଷ୍ଟେଲ କ୍ୟାମ୍ପସରେ ଏକ ଆଇସୋଲେସନ୍‌ ରୁମ୍‌ ରହିବ। ଯଦି କୌଣସି ଅନ୍ତେବାସୀ ଅସୁସ୍ଥ ହୁଅନ୍ତି; ତାଙ୍କୁ ତୁରନ୍ତ ସେଠାରେ ରଖାଯିବା ସହ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ କୁହାଯାଇଛି। ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ଏସ୍‌ଓପି ବାଦ୍‌ ଏସ୍‌ଟି ଆଣ୍ଡ ଏସ୍‌ସି ଉନ୍ନୟନ ବିଭାଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମଧ୍ୟ ଅତିରିକ୍ତ ଗାଇଡ୍‌ଲାଇନ୍‌ କିମ୍ବା ଏସ୍‌ଓପି ଜାରି କରିପାରିବେ। ବିଭିନ୍ନ ସମୟରେ ସ୍ବାସ୍ଥ୍ୟ ବିଭାଗ କିମ୍ବା ଏସ୍‌ଆରସିଙ୍କ ପକ୍ଷରୁ ଜାରି ହୋଇଥିବା ନିର୍ଦେଶାବଳି କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe