ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସମୀକ୍ଷା ବୈଠକ: ସ୍କୁଲ ଜମିଜମା ବିବାଦ ତୁଟିବ

Advertisment
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସମୀକ୍ଷା ବୈଠକ: ସ୍କୁଲ ଜମିଜମା ବିବାଦ ତୁଟିବ

Sambad

ଭୁବନେଶ୍ୱର : ବିଦ୍ୟାଳୟସ୍ତରରେ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଦିଗରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ଗୁରୁତ୍ବାରୋପ କରିଛନ୍ତି। ଶ୍ରୀ ସାହୁଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ) ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକ(ଡିପିସି)ଙ୍କୁ ନେଇ ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଯେଉଁଥିରେ ଆସନ୍ତା ମାସରେ ବିଦ୍ୟାଳୟଗୁଡ଼ିକରେ ଅନୁଷ୍ଠିତ ହେବାକୁ ଥିବା ଶିକ୍ଷାନୈପୁଣ୍ୟତା(ଏନ୍‌ଏଏସ୍‌) ପରୀକ୍ଷା ଉପରେ ଗୁରୁତ୍ବାରୋପ କରିଛନ୍ତି। ଜାତୀୟ ଆଚିଭ୍‌ମେଣ୍ଟ ସର୍ଭେର ବ୍ୟାପକ ପ୍ରସ୍ତୁତି କରିବାକୁ ସଚିବ ଶ୍ରୀ ସାହୁ ଡିଇଓମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ବିଦ୍ୟାଳୟଗୁଡ଼ିକର ପରିଷ୍କାର ପରିଚ୍ଛନ୍ନତା ନିମନ୍ତେ ପଞ୍ଚାୟତିରାଜ ବିଭାଗ ଜରିଆରେ ଶ୍ରେଣୀ ଗୃହର ବିଦ୍ୟୁତକରଣ, ଶୌଚାଳୟ ଓ ଜଳଯୋଗାଣ ସୁବିଧା, ବିଦ୍ୟାଳୟ ଓ ଏହାର ଚତୁଃପାର୍ଶ୍ବ ତଥା ଖେଳ ପଡ଼ିଆ ଆଦିକୁ ପରିଷ୍କାର କରିବା ସମ୍ପର୍କରେ ଆଲୋଚନା ହୋଇଛି। ଅନେକ ସ୍କୁଲର ଜମିବାଡ଼ି ମାଲିକାନା ସମ୍ବନ୍ଧୀୟ କାଗଜପତ୍ର ଠିକ୍‌ ନଥିବାରୁ ଏନେଇ ରାଜସ୍ୱ ବିଭାଗ ଓ ସଂପୃକ୍ତ ଜିଲ୍ଲାପାଳଙ୍କ ସହ ଯୋଗାଯୋଗ କରିବାକୁ ବୈଠକରେ କୁହାଯାଇଛି। ଆସନ୍ତା ୩୧ ତାରିଖ ସୁଦ୍ଧା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ କ୍ଷେତ୍ର ଅଧିକାରୀଙ୍କ କୋଭିଡ୍‌-୧୯ର ଦ୍ୱିତୀୟ ଡୋଜ୍‌ ଟିକାକରଣକୁ ସୁନିଶ୍ଚିତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

କୋଭିଡ୍‌ ମହାମାରୀ ଯୋଗୁଁ ଦୀର୍ଘଦିନ ଧରି ଛାତ୍ରଛାତ୍ରୀଙ୍କର ପାଠପଢ଼ା ବନ୍ଦ କାରଣରୁ ପିଲାଙ୍କ ଶୈକ୍ଷିକସ୍ତର ଜାଣିବା ପାଇଁ ସ୍କୁଲ ଖୋଲିବା ପରେ ଆସନ୍ତା ୨୭ ତାରିଖରୁ ଏକ ବେଶ୍‌ ଲାଇନ୍‌ ସର୍ଭେ କରାଯିବ। ଚଳିତ ଶିକ୍ଷାବର୍ଷଠାରୁ ଏଫ୍‌ଏଲ୍‌ଏନ୍‌ କାର୍ଯ୍ୟକୁ ବିଧିବଦ୍ଧ ଭାବେ କରିବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ କୁହାଯାଇଛି। ରାଜ୍ୟସ୍ତରରେ ଏହି କାର୍ଯ୍ୟକୁ ଏସ୍‌ଆଇଆର୍‌ଟି ଓ ଓସେପା ନିର୍ଦ୍ଦେଶକ ତଦାରଖ କରିବେ। ଚଳିତବର୍ଷଠାରୁ କୋଭିଡ୍‌ ପରିସ୍ଥିତିକୁ ଦୃଷ୍ଟିରେ ରଖି ପରୀକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ କରାଯାଇଛି। ତେଣୁ ବର୍ଷର ବିଭିନ୍ନ ସମୟରେ ସିବିଏସ୍‌ଇ ଢାଞ୍ଚାରେ ପରୀକ୍ଷା କରାଯିବ। ଅନ୍ୟମାନଙ୍କ ମଧ୍ୟରେ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ଶାହା, ଓଡ଼ିଶା ଆଦର୍ଶ ବିଦ୍ୟାଳୟର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧରୀଙ୍କ ସମେତ ବରିଷ୍ଠ ପଦାଧିକାରୀ ବୈଠକରେ ଉପସ୍ଥିତ ଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ପ୍ରମୁଖ ଭର୍ଚୁଆଲ୍‌ ମାଧ୍ୟମରେ ଏହି ବୈଠକରେ ଯୋଗଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe