Photograph: (YouTube)
ଭୁବନେଶ୍ବର: ଅଗଷ୍ଟ ୨, ୨୦୨୫। ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ମାନଙ୍କୁ କୁହାଗଲା ଯେଉଁ ପିଲାମାନେ ସ୍କୁଲ ମଧ୍ୟାହ୍ନ ଭୋଜନରେ ଅଣ୍ଡା ନ ଖାଉଥିବେ ସେମାନଙ୍କୁ ଫଳ ଯୋଗାଇ ଦିଅ। ପିଏମ୍ ପୋଷଣ ରାଜ୍ୟ ନୋଡାଲ ଅଧିକାରୀ ଏନେଇ ଚିଠି ଲେଖି ତୁରନ୍ତ ପାଳନ କରିବାକୁ ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଶିଶୁବାଟିକାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ତୁରନ୍ତ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଇତିମଧ୍ୟରେ ତିନି ମାସ ବିତିଯାଇଥିଲେ ମଧ୍ୟ ସ୍କୁଲସ୍ତରରେ ତାହା କାର୍ଯ୍ୟକାରୀ ହୋଇପାରି ନାହିଁ। ଅଣ୍ଡା ଖାଉ ନ ଥିବା ପିଲାଙ୍କୁ ଫଳ ଦିଆଯାଉନି କି ସେବାବଦରେ ଅର୍ଥ ମିଳୁନି। ବରଂ ଉପବାସରେ ସ୍କୁଲରେ ପିଲାଙ୍କ ଦିନ କଟୁଛି। କାର୍ତ୍ତିକ ମାସରେ ଅଧିକାଂଶ ବିଦ୍ୟାଳୟରେ ଏଭଳି ସ୍ଥିତି ଉପୁଜିଥିବା ନଜରକୁ ଆସିଛି। କେବଳ ସେତିକି ନୁହେଁ, ସୋମବାର ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଅଣ୍ଡା ଦିଆଯାଉଥିବାରୁ ଅଧିକାଂଶ ପିଲା ଖାଉନାହାନ୍ତି। ତେଣୁ ଗତ ମାସରେ ପିଏମ୍ ପୋଷଣ ରାଜ୍ୟ ନୋଡାଲ ଅଧିକାରୀ ଡିଇଓମାନଙ୍କୁ ଚିଠି ଲେଖି ଅଣ୍ଡା ବଦଳରେ ଫଳ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଉତ୍କଳ ଅଭିଭାବକ ସଂଘ ସଭାପତି କୃଷ୍ଣଚନ୍ଦ୍ର ପତି କହିଛନ୍ତି ଯେ ଜଣେ ପିଲା ଭାତ ସହ ଫଳ କିଭଳି ଖାଇବ। ଯଦି ପିଲାମାନେ ଅଣ୍ଡା ତରକାରୀ ଖାଉ ନାହାନ୍ତି ତା’ବଦଳରେ ସାଧା ତରକାରୀ ପ୍ରସ୍ତୁତି କରି ଦିଆଯାଉ। ସେଭଳି ବ୍ୟବସ୍ଥା ନ କରି ଅଣ୍ଡା ଖାଉ ନ ଥିଲେ କଦଳି, ସେଓ, ଡାଳିମ୍ବ, କମଳା ପରି ଖାଦ୍ୟ ଦେଲେ ପିଲାଙ୍କୁ କୌଣସି ପ୍ରକାର ପୁଷ୍ଟିସାର ମିଳିବ ନାହିଁ କି ସେମାନଙ୍କ ପେଟ ପୂରିବନି। ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ସଭାପତି ବ୍ରହ୍ମାନନ୍ଦ ମହାରଣା କହିଛନ୍ତି ମଧ୍ୟାହ୍ନଭୋଜନରେ ଭାତ ସହ ପିଲାମାନେ କେଉଁ ଫଳ ଖାଇପାରିବେ ତାହା ରାଜ୍ୟ ସରକାର ଉଲ୍ଲେଖ କରନ୍ତୁ। ନ ହେଲେ ଭାତ ବଦଳରେ ୧୨ରୁ ୧୩ ଟଙ୍କା ମଧ୍ୟରେ ଯେଉଁ ଫଳ ହୋଇପାରିବ ତାହା ପିଲାଙ୍କୁ ଯୋଗାଇ ଦିଅନ୍ତୁ।
Follow Us