ହାଇକୋର୍ଟରେ ସ୍କୁଲ ମିଶ୍ରଣ ଶତାଧିକ ମାମଲାର ଶୁଣାଣି

Advertisment

ଗଣଶିକ୍ଷା ବିଭାଗକୁ ରେକର୍ଡ ଦାଖଲ ନିର୍ଦ୍ଦେଶ

ଗଣଶିକ୍ଷା ବିଭାଗକୁ ରେକର୍ଡ ଦାଖଲ ନିର୍ଦ୍ଦେଶ

ନିଶାନିବାରଣ କେନ୍ଦ୍ରରେ ଅବ୍ୟବସ୍ଥା ପ୍ରସଂଗ: ୯ ପ୍ରଭାବିତ ଜିଲ୍ଲାରେ କି ପଦକ୍ଷେପ ଗ୍ରହଣ କରାଯାଇଛି?

କଟକ : ରାଜ୍ୟରେ ସରକାରୀ ସ୍କୁଲକୁ ବନ୍ଦ କରିବା ଓ ଅନ୍ୟ ସ୍କୁଲ ସହିତ ମିଶ୍ରଣ କରିବା ନିଷ୍ପତ୍ତି ଭଳି ଶତାଧିକ ମାମଲାର ଆଜି ହାଇକୋର୍ଟରେ ଏକାଠି ଶୁଣାଣି ହୋଇଛି। ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ରେକର୍ଡ ତଲବ କରିଛନ୍ତି ହାଇକୋର୍ଟ। ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧୨ ତାରିଖରେ ହେବ।

ସୂଚନା ଅନୁସାରେ, ୨୦ରୁ କମ୍ ସଂଖ୍ୟାର ଛାତ୍ରଛାତ୍ରୀ ଥିବା ସ୍କୁଲ ଗୁଡ଼ିକୁ ନିକଟବର୍ତ୍ତୀ ପ୍ରମୁଖ ସ୍କୁଲରେ ମିଶ୍ରଣ କରିବାକୁ ସରକାର ନିଷ୍ପତ୍ତି ନେଇଥିଲେ। ଏ ନେଇ ୨୦୨୦, ମାର୍ଚ୍ଚ ୧୧ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହାପରେ ବିଭିନ୍ନ ଜିଲ୍ଲାରେ ଏ ନେଇ ପଦକ୍ଷେପ ଗ୍ରହଣ କରାଯାଇଥିଲା। ରାଜ୍ୟର ସମସ୍ତ ଜିଲ୍ଲାରେ ଏହି ପ୍ରକ୍ରିୟା ଆରମ୍ଭ ହେବା‌ ପରେ ଏହି ପ୍ରସଂଗ ନେଇ ହାଇକୋର୍ଟରେ ଶତାଧିକ ମାମଲା ଦାୟର ହୋଇଥିଲା। ମାମଲା ଗୁଡିକରେ ମୁଖ୍ୟତଃ ଅଭିଯୋଗ ହୋଇଥିଲା ଯେ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ନିୟମାବଳୀର ଉଲ୍ଲଂଘନ କରି ଓଡ଼ିଶା ସରକାର ସ୍କୁଲ ମିଶ୍ରଣ ସଂପର୍କିତ ନିଷ୍ପତ୍ତି ନେଇଛନ୍ତି। ନିୟମ ଅନୁସାରେ, ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ପିଲାମାନଙ୍କ ପାଇଁ ଚାଲିବା ଦୂରତା ୧କି.ମି. ଭିତରେ ସ୍କୁଲ ରହିବା କଥା। କିନ୍ତୁ ଏହି ନିୟମକୁ ଅଣଦେଖା କରାଯାଇ ବହୁ ସ୍କୁଲର ମିଶ୍ରଣ ପାଇଁ ନିଷ୍ପତ୍ତି ନିଆଯାଇଥିବା ଏବଂ ଏହାଦ୍ବାରା ହଜାର ହଜାର କୋମଳମତି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଶିକ୍ଷାଗ୍ରହଣ ବାଧାପ୍ରାପ୍ତ ହେବ ବୋଲି କୁହାଯାଇଛି। ସ୍କୁଲ ମିଶ୍ରଣ ପ୍ରସଂଗରେ ଚୂଡାନ୍ତ ନିଷ୍ପତ୍ତି ପୂର୍ବରୁ ଅଭିଭାବକ, ସ୍ଥାନୀୟ ଜନ ପ୍ରତିନିଧି ଓ ପ୍ରଭାବିତ ହେବାକୁ ଥିବା ପକ୍ଷମାନଙ୍କ ମତାମତ ନିଆଯାଇନାହିଁ। ସରକାରୀ ସ୍କୁଲ ବନ୍ଦ ସଂପର୍କିତ ନିଷ୍ପତ୍ତି ପ୍ରତ୍ୟାହାର କରାଯାଉ ବୋଲି ଏହି ସବୁ ଆବେଦନରେ ଦର୍ଶାଯାଇଥିଲା। ହାଇକୋର୍ଟ ଏ ସଂପର୍କିତ ମାମଲା ଗୁଡିକର ଶୁଣାଣି କରି ବିଦ୍ୟାଳୟ ଓ ଗଣଶିକ୍ଷା ସଚିବଙ୍କ ସହିତ ଅନ୍ୟ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିବା ସହିତ ସ୍କୁଲ ମିଶ୍ରଣ ପ୍ରସଂଗରେ ସ୍ଥିତାବସ୍ଥା ଜାରି କରିଥିଲେ। ଗତ ମାର୍ଚ୍ଚ ୯ରେ ଗଣଶିକ୍ଷା ବିଭାଗ ପକ୍ଷରୁ ମାମଲା ଗୁଡିକରେ ଜବାବ ଦାଖଲ କରାଯାଇଥିଲା। ଏହାପରେ ସରକାରଙ୍କ ଜବାବ ଉପରେ ଆବେଦନକାରୀଙ୍କ ପକ୍ଷରୁ ପ୍ରତିଜବାବ ମଧ୍ୟ ଦାଖଲ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe