ସ୍କୁଲ ଖୋଲିଲା: ଅଂଶୁଘାତରେ ଅସୁସ୍ଥ ତିନି ଶିକ୍ଷକ ଓ ଛାତ୍ର

Advertisment
ସ୍କୁଲ ଖୋଲିଲା: ଅଂଶୁଘାତରେ ଅସୁସ୍ଥ ତିନି ଶିକ୍ଷକ ଓ ଛାତ୍ର

ଖୋର୍ଦ୍ଧା: ଗ୍ରୀଷ୍ମ ଅବକାଶ ପରେ ଆଜି ଠାରୁ ବିଭିନ୍ନ ବିଦ୍ୟାଳୟଗୁଡ଼ିକ ଖୋଲିଛି। ତେବେ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଓ ପ୍ରବଳ ଗୁଳୁଗୁଳି ଯୋଗୁଁ ବିଦ୍ୟାଳୟ ଖୋଲିବା ଖୁସି ମଉଳି ଯାଇଛି । ଆଜି ପ୍ରଥମ ଦିନରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ଏକାଧିକ ଶିକ୍ଷକଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଗ୍ରୀଷ୍ମପ୍ରବାହ ଯୋଗୁଁ ଅସୁସ୍ଥ ହୋଇଛନ୍ତି।

ଗଣ ଶିକ୍ଷା ବିଭାଗର ନିଷ୍ପତ୍ତି ଅନୁସାରେ ଆଜି ସକାଳ ୧୦ଟାରୁ ବିଦ୍ୟାଳୟଗୁଡ଼ିକ ଖୋଲିଥିଲା। ଖୋର୍ଦ୍ଧା ଓ ଆଖପାଖ ଅଂଚଳର ତାପମାତ୍ରା ୩୭ ଡିଗ୍ରୀ ରହିଥିବା ବେଳେ ବାୟୁମଣ୍ଡଳରେ ଆଦ୍ରତା ୮୦ ରହିଥିବା ଯୋଗୁଁ ପ୍ରବଳ ଗୁଳୁଗୁଳି ଅନୁଭୂତ ହୋଇଥିଲା, ଫଳରେ ବିଦ୍ୟାଳୟଗୁଡ଼ିକରେ ମଧ୍ୟ ଛାତ୍ରଛାତ୍ରୀଙ୍କ ଉପସ୍ଥାନ କମ୍ ରହିଥିବା ଦେଖିବାକୁ ମିଳିଥିଲା । ମିଳିତ ଶିକ୍ଷକ ସଂଘର ସୂଚନାନୁସାରେ, ଆଜି ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ଯୋଗୁଁ କାଇପଦର ସରକାରୀ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀକାନ୍ତ କୁମାର ସାହୁ ଅଚେତ ହୋଇଯାଇଥିଲେ । ତାଙ୍କୁ ବିଦ୍ୟାଳୟର ଅନ୍ୟ ଶିକ୍ଷକମାନେ ନିକଟସ୍ଥ ଏକ ଘରୋଇ କ୍ଲିନିକ୍ରେ ଭର୍ତି କରାଇ ସାଲାଇନ୍ ଆଦି ଦେବା ପରେ ସେ ସୁସ୍ଥ ହୋଇଥିଲେ। ସେହିଭଳି କାଇପଦର ମାଳିସାହିର ଷଷ୍ଠ ଶ୍ରେଣୀ ଛାତ୍ର ସାଇରାମ ମହାପାତ୍ର ଶ୍ରେଣୀଗୃହରେ ହଠାତ୍ ଅଚେତ ହୋଇପଡ଼ିଥିଲେ। ଏନେଇ ତାଙ୍କ ପରିବାରକୁ ସୂଚନା ଦେବା ପରେ ତାଙ୍କୁ ତାଙ୍କ ପିତା ନିଜ ଘରକୁ ନେଇଆସିଥିଲେ, ସେ ବର୍ତମାନ ସୁସ୍ଥ ଥିବା ଜଣାଯାଇଛି । ଆଡ଼ଖଣ୍ଡିଆ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଟୁନି ଦେଈ ସ୍କୁଲ ବାରଣ୍ଡାରେ ଅଚେତ ହୋଇପଡ଼ିବାରୁ ତାଙ୍କୁ ଶିକ୍ଷକମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ଆଶୁ ଚିକିତ୍ସା ପରେ ତାଙ୍କୁ ମଧ୍ୟ ଛାଡ଼ିଦେଇଥିବା ଜଣାଯାଇଛି।

ଶିକ୍ଷକ ସଂଘ ପକ୍ଷରୁ କୁହାଯାଇଛି ଯେ ଦିନର ସର୍ବାଧିକ ତାପମାତ୍ରା ଓ ଗୁଳୁଗୁଳି ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ଛୁଟି ଦୁଇ-ତିନି ଘୁଂଚାଇବା କିମ୍ବା ସକାଳୁଆ ବିଦ୍ୟାଳୟ ଖୋଲିବାକୁ ସେମାନେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଯଦି ତାପମାତ୍ରା ହ୍ରାସ ନପାଏ ତେବେ ଆଗାମୀ ଦିନରେ ବିଦ୍ୟାଳୟଗୁଡ଼ିକରେ ଏଭଳି ଘଟଣା ଘଟିବା ସମ୍ଭାବନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe