କରଦାଙ୍ଗି: କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ଅନ୍ତର୍ଗତ କରଦାଙ୍ଗି ପଞ୍ଚାୟତ ଅଧିନ ଖେତ୍ରାମୁଣ୍ଡାସାହିରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମର ଟି୧୮ ମାସହେଲା ଅଚଳ ହୋଇ ପଡ଼ି ରହିଛି। ଗାଁରେ ବିଦ୍ୟୁତ ନଥିବା ୧୮ ମାସ ବିତିଯାଇଛି। ପିଲାମାନଙ୍କୁ ପାଠପଢ଼ାରେ ବହୁତ ଅସୁବିଧା ହେଉଛି। କୋଭିଡ କଟକଣା ଯୋଗୁଁ ପ୍ରଥମରୁ ୯ମ ଯାଏଁ ବନ୍ଦ ଥିବା ବେଳେ ଏବେ ପିଲାମାନେ କେବଳ ଘରେ ପଢ଼ୁଛନ୍ତି। ୧୮ମାସ ମଧ୍ୟରେ ବିଦ୍ୟୁତ୍ ବିଭାଗ ଠାରୁ ଆରମ୍ଭ କରି ଜିଲ୍ଲାପାଳ ପ୍ରର୍ଯ୍ୟନ୍ତ ବହୁବାର ଗୁହାରି କଲେ ମଧ୍ୟ ଗୁହାରି କେହି ଶୁଣୁ ନାହାଁନ୍ତି। ଫଳରେ ସାହିବାସୀ ନାନାଅସୁବିଧାର ସମ୍ମୁଖିନ ହେଉଛନ୍ତି। ବିଶେଷ କରି ଏହି ଗାଁର ପିଲାମାନେ ଘରେ ବିଦ୍ୟୁତ ନଥିବାରୁ କାଠ ଜାଳି ପାଠ ପଢ଼ୁଥିବା ଦୃଷ୍ଟିଗୋଚର ହେଉଛି। ଗାଁ ଲୋକେ ସରକାରୀ ବାବୁଙ୍କ ଠାରେ ଅନେକ ଥର ଗୁହାରି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁ ନାହିଁ।
ସୁଚନାଯୋଗ୍ୟ-୨୦୧୯ ମସିହା ଜାନୁଆରି ମାସରେ ରାଜୀବ ଗାନ୍ଧି ଗ୍ରାମୀଣ ବିଦ୍ୟୁତ୍ ଯୋଜନାରେ ବିଦ୍ୟୁତ କାମ ଆରମ୍ଭ ହୋଇ ମେ’ ମାସରେ କାମ ଶେଷ ହୋଇଥିଲା। ଜୁନମାସ ୭ ତାରିଖରେ ବିଦ୍ୟୁତ ଟ୍ରାନ୍ସଫର୍ମରକୁ ଚାର୍ଜ କରି ସାହିକୁ ଆଲୁଅ ପ୍ରଦାନ କରିଥିଲେ। ବିଦ୍ୟୁତ ଆଲୁଅ ପାଇ ସାହିବାସୀ ବହୁଦୀନର ଆଶା ସଫଳ ହୋଇଛି ଭାବି ଆନନ୍ଦରେ ରହିଥିଲେ। କିନ୍ତୁ ହଠାତ ଜୁନ ୧୭ ତାରିଖ ଦିନ ଟ୍ରାନ୍ସଫର୍ମରରୁ କରେଣ୍ଟ ବାହାରି ନ ଥିଲା। ବିଦ୍ୟୁତ ବିଭାଗକୁ ଜଣାଇବାରୁ ବିଭାଗୀୟ କର୍ମଚାରୀ କହିଲେ ଟ୍ରାନ୍ସଫର୍ମରଟି ଅଚଳ ହୋଇଯାଇଛି। ଏହି କାମଟି ଗଡରେଜ କଂପାନୀ କାମ କରୁଥିଲା। ଟ୍ରାନ୍ସଫର୍ମର ଟିର ଓ୍ୱାରେଣ୍ଟି ଏକବର୍ଷ ଅଛି। ଏଣୁ କମ୍ପାନି ନୂତନ ଟ୍ରାନ୍ସଫର ଦେବ। ସାହିବାସୀ ଆବେଦନ କରିବା ପାଇଁ କେନ୍ଦୁଝରଠାରେ ଥିବା ଗଡରେଜ କମ୍ପାନି ଓ ଜିଲ୍ଲାପାଳ ପାଖକୁ ବାରମ୍ବାର ଗଲେ ମଧ ମଧ୍ୟ କିଛି ଫଳ ମିଳୁ ନାହିଁ । ଫଳରେ ସାହିବାସୀ ଅନ୍ଧାରରେ ରହୁଛନ୍ତି।
Follow Us