କରୋନା ପ୍ରଭାବ : ସଂକ୍ଷିପ୍ତ ହେବ ସିଲାବସ୍‌, ବଦଳିବ ୨୦୨୦-୨୧ ଶିକ୍ଷାବର୍ଷ

୩୦% କମିବ ଦଶମ ପାଠ୍ୟକ୍ରମ, ବିଭିନ୍ନ ବିଷୟ ପାଇଁ କମିଟି ଗଠିତ

କରୋନା ପ୍ରଭାବ : ସଂକ୍ଷିପ୍ତ ହେବ ସିଲାବସ୍‌, ବଦଳିବ ୨୦୨୦-୨୧ ଶିକ୍ଷାବର୍ଷ

Pinterest

ଭୁବନେଶ୍ୱର : କରୋନା ମାଡରେ ବିଗିଡ଼ି ଯାଇଛି ଦେଶର ଶିକ୍ଷା ବ୍ୟବସ୍ଥା। ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ ବନ୍ଦ ଯୋଗୁଁ ପାଠପଢ଼ା ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି। ପାଖାପାଖି ୨ମାସ ବିଳମ୍ବରେ ଚାଲିଛି ପିଲାଙ୍କ ପାଠପଢ଼ା। ନ ହେଲେ ଏବେ ସୁଦ୍ଧା ନୂତନ ଶିକ୍ଷାବର୍ଷ ଆରମ୍ଭ ହୋଇଯିବା କଥା। ନାମଲେଖା ଶେଷ ହୋଇ ପିଲାଙ୍କ ପାଠପଢ଼ାକୁ ବି ଗୋଟିଏ ମାସ ହୋଇଯାଆନ୍ତାଣି। ତେବେ ମହାମାରୀ କରୋନା ଭୂତାଣୁ ବ୍ୟାପୁଥିବାରୁ ଏଭଳି ସ୍ଥିତି ଆଉ କେତେଦିନ ରହିବ, ତାହା ବି କହିବା ମୁସ୍କିଲ। କାରଣ ଏବେ ମେ’ ୩ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ହୋଇଛି। ଯଦି ସ୍ଥିତିରେ ସୁଧାର ନ ଆସେ, ଲକ୍‌ଡାଉନ୍‌ ଅବଧି ଆହୁରି ବଢ଼ିପାରେ ବୋଲି ବିଶେଷଜ୍ଞମନେ ମତ ପ୍ରକାଶ କରୁଛନ୍ତି।

ଦେଶ ସମେତ ବିଶ୍ୱର ପରିସ୍ଥିତି ଦିନକୁ ଦିନ ଅଧିକ ଖରାପ ହେଉଥିବାରୁ ୨୦୨୦-୨୧ ଶିକ୍ଷାବର୍ଷରେ ବ୍ୟାପକ ପରିବର୍ତ୍ତନ ଆଣିବାକୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଯୋଜନା ପ୍ରସ୍ତୁତ କରିଛି। ୭ ଜଣିଆ କମିଟି କରି ଶିକ୍ଷାବର୍ଷର ରୂପରେଖ ପ୍ରସ୍ତୁତ କରାଯିବା ସହ ସିଲାବସ୍‌କୁ ସଂକ୍ଷିପ୍ତ କରିବାକୁ ନିଷ୍ପତ୍ତି ନିଆଯାଇଛି। ସିବିଏସଇ, ଆଇସିଏସ୍ଇ ଦ୍ୱାରା ପରିଚାଳିତ ବିଦ୍ୟାଳୟଗୁଡ଼ିକର ପାଠ୍ୟଖସଡ଼ାରେ କେତେକ ପରିବର୍ତ୍ତନ ଆଣିବାକୁ ଆଲୋଚନା କରାଯାଉଛି।

ବିଶେଷକରି ୯ମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟଖସଡ଼ାରେ ସାମାନ୍ୟ ପରିବର୍ତ୍ତନ କରିବାକୁ ଯୋଜନା ହୋଇଛି। ପ୍ରଥମ ପର୍ଯ୍ୟାୟରେ ଦଶମ ଓ ଦ୍ୱାଦଶ ଶ୍ରେଣୀର ପାଠ୍ୟକ୍ରମକୁ ୨୫ରୁ ୩୦ ପ୍ରତିଶତ କମାଇ ଦିଆଯିବ। କେଉଁ ବିଷୟରେ କେତେ କମିବ ଓ ନୂଆ ଶିକ୍ଷା କ୍ୟାଲେଣ୍ଡର କିଭଳି ହେବ, ତାହା ଧାର୍ଯ୍ୟ କରିବା ପାଇଁ ପ୍ରତି ବିଷୟ ଲାଗି କମିଟି ଗଠନ କରାଯାଇଛି। କମିଟିଗୁଡ଼ିକ ରିପୋର୍ଟ ପ୍ରଦାନ କରିବା ପରେ ଦଶମ ଓ ଦ୍ୱାଦଶ ଶ୍ରେଣୀର ପାଠ୍ୟଖସଡ଼ା ଚୂଡ଼ାନ୍ତ କରାଯିବ।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସ୍କୁଲ ଓ ଉଚ୍ଚ ଶିକ୍ଷାନୁଷ୍ଠାନ ପାଇଁ ବିଶେଷଜ୍ଞମାନଙ୍କୁ ନେଇ ଅଲଗା ଅଲଗା କମିଟି ଗଠନ ହୋଇଛି। ସ୍କୁଲସ୍ତରରେ ନର୍ସରିରୁ ୫ମ, ଷଷ୍ଠରୁ ୮ମ ଓ ୯ମରୁ ଦ୍ୱାଦଶ ଶ୍ରେଣୀ ପାଇଁ ନୂଆ ଶିକ୍ଷା କ୍ୟାଲେଣ୍ଡର୍‌ ହେବ। ଏଥିରେ କେଉଁ ଶ୍ରେଣୀ ପାଇଁ କେତୋଟି ବିଷୟ ପଢ଼ାଯିବ, ପରୀକ୍ଷା କିଭଳି ହେବ, ନାମଲେଖା ସହ ପାଠପଢ଼ାର ରୂପରେଖ ପ୍ରସ୍ତୁତ ହେବ। ଉଚ୍ଚ ଶିକ୍ଷାନୁଷ୍ଠାନ ପାଇଁ ମଧ୍ୟ କମିଟି ଗଠନ କରାଯାଇ ନୂତନ ଶିକ୍ଷାବର୍ଷ ଉପରେ ବିଚାରବିମର୍ଶ କରାଯାଉଛି।

ଅନ୍ୟପକ୍ଷରେ ନୂତନ ଶିକ୍ଷାବର୍ଷ ଆରମ୍ଭ ହେବା ନେଇ ଓଡ଼ିଶା ସରକାର ବି ଆଲୋଚନା ଜାରି ରଖିଛନ୍ତି। ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ନିଷ୍ପତ୍ତି ଉପରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ଓ ବୈଷୟିକ ଶିକ୍ଷା ବିଭାଗ ନଜର ରଖିଛି। ଯଦି ଜାତୀୟ ସ୍ତରରେ ସିଲାବସକୁ ସଂକ୍ଷିପ୍ତ କରାଯାଏ, ତେବେ ରାଜ୍ୟ ସରକାର ମଧ୍ୟ ସମାନ ପନ୍ଥା ଅବଲମ୍ବନ କରିପାରନ୍ତି। ଗଣଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ବର୍ତ୍ତମାନ ସ୍ଥିତିରେ କେବେ ଲକ୍‌ଡାଉନ୍‌ ଖୋଲିବ କିଛି କହି ହେଉନି। ସବୁକିଛି କେନ୍ଦ୍ର ସରକାରଙ୍କ ଉପରେ ନିର୍ଭର କରିବାକୁ ପଡ଼ୁଛି। ସିବିଏସ୍‌ଇ, ଆଇସିଏସ୍ଇ ବୋର୍ଡ ଯଦି କିଛି ପରିବର୍ତ୍ତନ କରିବ, ତେବେ ଆମେ ବି ପଦକ୍ଷେପ ନେବୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe