କରୋନା ସତର୍କତା ନମାନି ଟ୍ୟୁସନ୍‌ ମହଙ୍ଗା ପଡ଼ିଲା : ସରକାରୀ ସ୍କୁଲ୍ ପ୍ରଧାନଶିକ୍ଷକ ଗିରଫ

Advertisment
ହ୍ୱାଟ୍‌ସଆପ୍ ଗ୍ରୁପ୍‌ରେ ଅଶ୍ଳୀଳ ଭିଡିଓ, ବିଧାୟକଙ୍କ ଅଭିଯୋଗ ପରେ ୪ ଅଟକ

pakistantoday.com.pk

ରାଜନଗର : କରୋନା ସତର୍କତା ପାଇଁ ଜାରି ନିୟମକୁ ଖିଲାପ କରିବା ସରକାରୀ ସ୍କୁଲ୍‌ର ଜଣେ ପ୍ରଧାନଶିକ୍ଷକଙ୍କ ପାଇଁ ମହଙ୍ଗା ପଡ଼ିଛି। ପୁଲିସ୍‌ ତାଙ୍କୁ ଗିରଫ କରିଥିବାବେଳେ ଚାକିରିରୁ ବି ନିଲମ୍ବିତ କରାଯାଇଛି।

ଗିରଫ ଶିକ୍ଷକ ‌ହେଲେ କଳ୍ପତରୁ ପରିଡ଼ା। ସେ କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ୍‌ ଅନ୍ତର୍ଗତ କୁରୁଂଟି ପଂଚାୟତର ବଳରାମପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦାୟିତ୍ବରେ ଅଛନ୍ତିି। ସରକାର ୨୧ଦିନ ପାଇଁ ଲକ୍‌ଡାଉନ୍‌ ଘୋଷଣା କରିଥିବାବେଳେ ଶ୍ରୀ ପରିଡ଼ା ଏହାକୁ ବେଖାତିର୍‌ କରିଥିଲେ। ସ୍କୁଲ୍‌ର ଗୋଟିଏ ଶ୍ରେଣୀଗୃହରେ ୮୦ ଜଣ ଛାତ୍ରଛାତ୍ରୀଙ୍କୁ ଏକାଠି ବସାଇ ଟ୍ୟୁସନ୍‌ କରୁଥିଲେ। ଏ ସଂପର୍କରେ ଖବରପାଇ ପୁଲିସ ଚଢାଉ କରି ସଂପୃକ୍ତ ପ୍ରଧାନଶିକ୍ଷକଙ୍କୁ ଗିରଫ କରିଥିଲା।

ମିଳିଥିବା ସୂଚନା ଅନୁସାରେ, ଶ୍ରୀ ପରିଡ଼ା ବିଦ୍ୟାଳୟର ୨ଟି ଫାଟକରେ ତାଲା ପକାଇ ଭିତରେ ଟ୍ୟୁସନ କରୁଥିଲେ। ପ୍ରଥମରୁ ପଂଚମ ଶ୍ରେଣୀ ଯାଏ ସମୁଦାୟ ୮୦ ଜଣ ଛାତ୍ରଛାତ୍ରୀ ସେଠାରେ ଥିଲେ। ସେମାନଙ୍କ ମଧ୍ୟରୁ ୧୦/୧୨ଜଣ ଛାତ୍ର ଛାତ୍ରୀ ବାରଣ୍ତାରେ ବସିଥିବାବେଳେ ପ୍ରାୟ ୭୦ ଜଣ ଛାତ୍ରଛାତ୍ରୀ ଗୋଟିଏ କୋଠରୀରେ ବସି ପଢୁଥିଲେ। ଗୋଟିଏ ଛୋଟିଆ କୋଠରୀରେ ୭୦ଜଣ ଛାତ୍ରଛାତ୍ରୀ ଖୁନ୍ଦାଖୁନ୍ଦି ହୋଇ ବସି ପାଠ ପଢୁଥିଲେ। ଗଣମାଧ୍ୟମ ପ୍ରତିନିଧି ପାଚେରି ଡେଇଁ ବିଦ୍ୟାଳୟକୁ ପଶିବା ଦେଖି ପ୍ରଧାନଶିକ୍ଷକ ସଫେଇ ଦେଇଥିଲେ ଯେ ଆଉ ଜଣେ ସାର୍‌ ଏଠାରେ ଟ୍ୟୁସନ କରନ୍ତି। ସେ ନଥିବାରୁ ତାଙ୍କୁ ଆଜି ପଢାଇବାକୁ ପଡୁଛି।

ସ୍ଥାନୀୟ ଲୋକ କହିଛନ୍ତି ଯେ, ରାଜ୍ୟ ସରକାର ୧୦ ଦିନ ପୂର୍ବରୁ ବିଦ୍ୟାଳୟ ଛୁଟି କରିବା ସହ କୋଚିଂ ସେଣ୍ଟର, ଟ୍ୟୁସନ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର, ପ୍ରଧାନଶିକ୍ଷକ ଅନ୍ୟମାନଙ୍କୁ ସଚେତନ କରିବା ପରିବର୍ତ୍ତେ ସରକାରଙ୍କ ଲକ୍‌ଡାଉନ୍‌ କଟକଣାକୁ ଉଲ୍ଲଘଂନ କରିଛନ୍ତି। ଏମିତି ସେହି ଛୋଟଛୋଟ ପିଲାଙ୍କ ମଧ୍ୟରେ ଓମାନ୍‌ ଫେରନ୍ତା ଜଣେ ଯୁବକଙ୍କ ପରିବାର ଜଣେ ଛାତ୍ର ରହିଛି। ଯଦି, କୌଣସି ଖରାପ ପରିସ୍ଥିତି ସୃଷ୍ଟିହେବ, ସେତେବେଳେ କ'ଣ ହେବ ଓ କିଏ ଦାୟିତ୍ବ ରହିବେ ବୋଲି ଏହି ଲୋକମାନେ ପ୍ରଶ୍ନ କରିଛନ୍ତି।

ରାଜନଗର ଥାନା ଏଏସଆଇ ରଣେନ୍ଦ୍ର କୁମାର ସାମଲଙ୍କ ଅଭିଯୋଗ ଆଧାରରେ ରାଜନଗର ଥାନାରେ ମାମଲା ରୁଜୁ ହେବା ସହ ଶିକ୍ଷକଙ୍କୁ ଗିରଫ କରାଯାଇଛି। ଅନ୍ୟପଟେ ଶିକ୍ଷକଙ୍କ ଟ୍ୟୁସନର ଭିଡିଓ ଭାଇରାଲ ହେବାପରେ ବ୍ଲକ ଶିକ୍ଷାଧିକାରୀ ରାଜେଶ କୁମାର ସ୍ବାଇଁ ଏ ନେଇ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଅବଗତ କରିଛନ୍ତି। ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶକ୍ରମେ ପ୍ରଧାନଶିକ୍ଷକ ଶ୍ରୀ ପରିଡ଼ାଙ୍କୁ ନିଲମ୍ବିତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe