ଗଣଶିକ୍ଷା ସଚିବ ଓ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ବ୍ୟକ୍ତିଗତ ହାଜିରା ନିର୍ଦ୍ଦେଶ

Advertisment

ସରକାରୀ ଉଚ୍ଚ ବିଦ୍ୟାଳୟ ଶିକ୍ଷକଙ୍କ ପଦୋନ୍ନତି ପ୍ରସଂଗ

ସରକାରୀ ଉଚ୍ଚ ବିଦ୍ୟାଳୟ ଶିକ୍ଷକଙ୍କ ପଦୋନ୍ନତି ପ୍ରସଂଗ

ଗଣଶିକ୍ଷା ସଚିବ ଓ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ବ୍ୟକ୍ତିଗତ ହାଜିରା ନିର୍ଦ୍ଦେଶ

କଟକ : ସରକାରୀ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପଦୋନ୍ନତି ପ୍ରସଂଗରେ ରାଜ୍ୟ ପ୍ରଶାସନିକ ଟ୍ରିବୁନାଲ(ସ୍ୟାଟ୍‌) ପ୍ରଦାନ କରିଥିବା ରାୟ କାର୍ଯ୍ୟକାରୀ କରିବାରେ ଅବହେଳା ପାଇଁ ରାଜ୍ୟ ଗଣଶିକ୍ଷା ସଚିବ ଓ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅଦାଲତ ଆଦେଶ ଅବମାନନା କରିଥିବା ଗଣଶିକ୍ଷା ବିଭାଗର ଏହି ଅଧିକାରୀମାନେ ୨୦୧୮, ଜାନୁଆରି ୧୨ରେ ବ୍ୟକ୍ତିଗତ ଭାବେ ହାଜର ହୋଇ ସ୍ୟାଟ୍‌ରେ ପକ୍ଷ ରଖିବେ। ଯଦି ସେମାନେ ବ୍ୟକ୍ତିଗତ ଭାବେ ହାଜର ନ ହୁଅନ୍ତି ତେବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେମାନଙ୍କ ହାଜିରା ସୁନିଶ୍ଚିତ କରିବା ପାଇଁ କଠୋର ପଦକ୍ଷେପ ଗ୍ରହଣ କରାଯିବ ବୋଲି ସ୍ୟାଟ୍‌ର ବିଚାର ବିଭାଗୀୟ ସଦସ୍ୟ ଜି.ଆର୍‌.ପୁରୋହିତ ଓ ପ୍ରଶାସନିକ ସଦସ୍ୟ ଏମ୍‌.ଏମ୍‌.ପ୍ରହରାଜଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ନିଖିଳ ଓଡିଶା ସରକାରୀ ବିଦ୍ୟାଳୟ ଶିକ୍ଷକ ସଂଘ ସାଧାରଣ ସଂପାଦକ କୃଷ୍ଣଚନ୍ଦ୍ର ପଣ୍ଡା ଓ ସଂପାଦକ କୈଳାସ ଚନ୍ଦ୍ର ସାହୁଙ୍କ ପକ୍ଷରୁ ଦାୟର ମାମଲାକୁ ଆଇନଜୀବୀ ଲକ୍ଷ୍ମୀକାନ୍ତ ମହାନ୍ତି ଓ ବି.କେ.ଜେନା ପରିଚାଳନା କରୁଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ସରକାରୀ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ପଦୋନ୍ନତି ପ୍ରସଂଗରେ ଗଣଶିକ୍ଷା ବିଭାଗର ନିଷ୍କ୍ରିୟତା ଅଭିଯୋଗ କରି ସ୍ୟାଟ୍‌ରେ ଏକାଧିକ ମାମଲା ରୁଜୁ ହୋଇଥିଲା। ପ୍ରତି ବର୍ଷ ଖାଲି ପଡୁଥିବା ପଦବିକୁ ଆଧାର କରି ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଜୁନିୟର ସବ୍‌-ଅର୍ଡିନେଟ୍‌ ଏଜୁକେସନ୍‌ ସର୍ଭିସ୍‌ କ୍ୟାଡରକୁ ପଦୋନ୍ନତି ଦେବା ପାଇଁ ସ୍ୟାଟ୍‌ ଗଣଶିକ୍ଷା ବିଭାଗକୁ ୨୦୧୫, ଜୁଲାଇ ୨୭ରେ ନିର୍ଦ୍ଦେଶ ଦେଇଥିଲେ। ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଦାଖଲ କରିଥିବା ଗ୍ରେଡେସନ୍‌ ଲିଷ୍ଟକୁ ଆଧାର କରି ୩ ମାସ ଭିତରେ ପଦୋନ୍ନତି ପ୍ରସଂଗରେ ନିଷ୍ପତ୍ତି ନେବାକୁ ସ୍ୟାଟ୍‌ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ସ୍ୟାଟ୍‌ଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବା ପରିବର୍ତ୍ତେ ଗଣଶିକ୍ଷା ବିଭାଗ ଏହି ନିର୍ଦ୍ଦେଶର ପୁନର୍ବିଚାର କରିବା ପାଇଁ ଆବେଦନ କରିଥିଲେ। ପୁନର୍ବିଚାର ଆବେଦନ ସ୍ୟାଟ୍‌ ଖାରଜ କରିବା ପରେ ଗଣଶିକ୍ଷା ବିଭାଗ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ୨୦୧୭, ମାର୍ଚ୍ଚ ୨୯ ଓ ଜୁନ୍‌ ୧୯ରେ ସରକାରଙ୍କ ଏ ସଂପର୍କିତ ଦୁଇଟି ଆବେଦନ ହାଇକୋର୍ଟ ଖାରଜ କରିଥିଲେ।

ଏଥି ସହିତ ସ୍ୟାଟ୍‌ଙ୍କ ନିର୍ଦ୍ଦେଶ ୩ ମାସ ଭିତରେ କାର୍ଯ୍ୟକାରୀ ପାଇଁ ହାଇକୋର୍ଟ ଗଣଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ୨୦୧୭, ସେପ୍ଟେମ୍ବର ୧୮ରେ ସ୍ୟାଟ୍‌ଙ୍କ ନିର୍ଦ୍ଦେଶ ଅନୁସାରେ ପଦୋନ୍ନତି ପ୍ରଦାନ ପ୍ରସଂଗରେ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଥିଲା। ପଦୋନ୍ନତି ପ୍ରଦାନ ପରିବର୍ତ୍ତେ ଶିକ୍ଷକଙ୍କ ଆବେଦନ ଗଣିଶିକ୍ଷା ବିଭାଗ ଖାରଜ କରିଥିଲା। ୨୦୧୭, ନଭେମ୍ବର ୧୭ରେ ଏ ସଂପର୍କିତ ମାମଲାର ଶୁଣାଣି ସମୟରେ ଗଣଶିକ୍ଷା ବିଭାଗର ସେପ୍ଟେମ୍ବର ୧୮ ନିର୍ଦ୍ଦେଶକୁ ସ୍ୟାଟ୍‌ ଖାରଜ କରିବା ସହିତ ଗଣଶିକ୍ଷା ସଚିବ ରଂଜନା ଚୋପ୍ରା ଓ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ରତ୍ନାକର ରାଉତଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ ପୂର୍ବ ନିର୍ଦ୍ଦେଶ କାର୍ଯ୍ୟକାରୀ ପାଇଁ ସ୍ୟାଟ୍‌ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ପରବର୍ତ୍ତୀ ଶୁଣାଣି ସମୟରେ ଗଣିଶିକ୍ଷା ବିଭାଗ ପକ୍ଷରୁ ସ୍ୟାଟ୍‌ଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରାଯାଇ ନଥିବା ସ୍ପଷ୍ଟ ହୋଇଥିଲା। ଏପରି ପରିସ୍ଥିତିରେ ଜାନୁଆରି ୧୮ରେ ସଚିବ ଓ ନିର୍ଦ୍ଦେଶକଙ୍କ ବ୍ୟକ୍ତିଗତ ହାଜିରା ସୁନିଶ୍ଚିତ କରିବା ପାଇଁ ସ୍ୟାଟ୍‌ ଉପରୋକ୍ତ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe