ଆସନ୍ତାକାଲିଠୁ ପାଠ ପଢ଼ିବାକୁ ଯିବେ ପିଲା, ଏହିସବୁ ଜିଲ୍ଲାରେ ବନ୍ଦ ରହିବ ସ୍କୁଲ

Advertisment
ଆସନ୍ତାକାଲିଠୁ ପାଠ ପଢ଼ିବାକୁ ଯିବେ ପିଲା, ଏହିସବୁ ଜିଲ୍ଲାରେ ବନ୍ଦ ରହିବ ସ୍କୁଲ

ଭୁବନେଶ୍ବର: ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟରେ ଆସନ୍ତାକାଲି ଠାରୁ କିଛି ଜିଲ୍ଲାର ବିଦ୍ୟାଳୟଗୁଡ଼ିକ ଖୋଲିବ। ପ୍ରଥମରୁ ଦ୍ବାଦଶ ଶ୍ରେଣୀର ପିଲାମାନେ ବିଦ୍ୟାଳୟକୁ ପାଠ ପଢ଼ିବାକୁ ଯାଇପାରିବେ। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଗଣମାଧ୍ୟମକୁ ଏହା କହିଛନ୍ତି। ଶ୍ରୀ ଗଣ୍ଡ କହିଛନ୍ତି ଯେ, ଯେଉଁଠି ପାଗ ଅନୁକୂଳ ଥିବ, ‌ସେଠାରେ ସକାଳ ସାଢ଼େ ୬ରୁ ସାଢ଼େ ୧୦ ଯାଏଁ ବିଦ୍ୟାଳୟ ଖୋଲାଯାଇପାରିବ। ଆସନ୍ତା ୨୦ ତାରିଖ ଯାଏ ଏହି ନିଷ୍ପତ୍ତି ବଳବତ୍ତର ରହିବ। ଅନ୍ୟପଟରେ ଜିଲ୍ଲାର ପାଗକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନେ ଏସଂକ୍ରାନ୍ତରେ ନିଷ୍ପତ୍ତି ନେବେ।

ଗ୍ରୀଷ୍ମ ଲହରି ଜାରି ଥିବାରୁ ଗଞ୍ଜାମ, ଭଦ୍ରକ, ସୁବର୍ଣ୍ଣପୁର ଓ ବରଗଡ଼ ଜିଲ୍ଲାରେ ଆସନ୍ତା ତିନି ଦିନ ସ୍କୁଲ ଛୁଟି ଘୋଷଣା ହୋଇଛି। ଅର୍ଥାତ ଜୁନ୍‌ ୧୮ରୁ ଏହି ୪ ଜିଲ୍ଲାରେ ସ୍କୁଲ ଖୋଲିବ ନାହିଁ। ଏଠାକାର ଜିଲ୍ଲାପାଳମାନେ ୨୦ ତାରିଖ ଯାଏଁ ଜିଲ୍ଲାର ସମସ୍ତ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ବାଲେଶ୍ୱରରେ ଆସନ୍ତାକାଲି ଦିନକ ପାଇଁ ସ୍କୁଲ ଛୁଟି ରହିବ। ୧୯ ତାରିଖରୁ ସକାଳ ସାଢେ ୬ଟାରୁ ସାଢେ ୧୦ଟା ଯାଏଁ କ୍ଲାସ୍ ହେବ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

publive-image

ଖୋର୍ଦ୍ଧା, ପୁରୀ, କେନ୍ଦୁଝର, ଜଗତସିଂହପୁର, ଦେବଗଡ, ନବରଙ୍ଗପୁର ଏବଂ ଅନୁଗୁଳରେ ଆସନ୍ତାକାଲିଠାରୁ ସକାଳୁଆ ସ୍କୁଲ ଖୋଲିବ। ଏନେଇ ଜିଲ୍ଲାପାଳମାନେ ନିଷ୍ପତ୍ତି ନେଇଛନ୍ତି। ସେହିପରି କେନ୍ଦୁଝର, ଦେବଗଡ଼, ଜଗତସିଂହପୁର, ଅନୁଗୁଳରେ ମଧ୍ୟ ସକାଳୁ ସାଢ଼େ ୬ଟାରୁ ସାଢ଼େ ୧୦ଟା ଯାଏଁ ସ୍କୁଲ ଚାଲିବ।

ଅନ୍ୟପଟେ ସ୍କୁଲ ଖୋଲିବାର ତାରିଖ ଘୁଞ୍ଚାଇବାକୁ ଦାବି କରାଯାଇଛି । ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ଥିବାରୁ, ସ୍କୁଲ ଖୋଲିବାର ତାରିଖ ଘୁଞ୍ଚାଇବାକୁ ଦାବି କରିଛି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ବା ଓଷ୍ଟା । ସଂଘ କହିଛି, ରାଜ୍ୟର ଅଧିକାଂଶ ସ୍କୁଲର ଛାତ ଆଜବେଷ୍ଟସ ହୋଇଥିବାବେଳେ, କିଛି ସ୍କୁଲରେ ବିଦ୍ୟୁତ ସଂଯୋଗ ଏବଂ ପାନୀୟ ଜଳର ବ୍ୟବସ୍ଥା ନାହିଁ। ଏଣୁ ସ୍କୁଲ ଖୋଲିବା ତାରିଖ ଘୁଞ୍ଚାଇବାକୁ ଓଷ୍ଟା ଦାବି କରିଛି ।

ତାପମାତ୍ରା ହ୍ରାସ ନହେବା ଯାଏ ସ୍କୁଲ ବନ୍ଦ ରଖିବାକୁ ସରକାରଙ୍କୁ ନିବେଦନ କରିଛି ଓଷ୍ଟା । ଅତିକମରେ ଆଉ ୩-୪ ଦିନ ଛୁଟି ଘୁଞ୍ଚାଇବାକୁ ଦାବି କରିଛି ଓଷ୍ଟା। ସେହିପରି ମୟୂରଭଂଜ ସାଂସଦ ନବ ଚରଣ ମାଝୀ ମଧ୍ୟ ଗ୍ରୀଷ୍ମ ଛୁଟି ବଢ଼ାଇବା ପାଇଁ ଗଣଶିକ୍ଷା ମନ୍ତ୍ରୀଙ୍କୁ ଫୋନ୍‌ କରି ଅନୁରୋଧ କରିଥିଲେ।

ସୂଚନାଯୋଗ୍ୟ, ରାଜ୍ୟରେ ଗୀଷ୍ମ ଲହାରି ରାଜି ରହିଛି। ଆଜି ରାଜ୍ୟର ୧୭ଟି ସହରରେ ତାପମାତ୍ରା ୪୦ ଡିଗ୍ରି ଉପରେ ରେକର୍ଡ କରାଯାଇଛି। ବାରିପଦା ୪୨.୪ ଡିଗ୍ରି ସହ ସବୁଠୁ ଉତ୍ତପ୍ତ ହୋଇଛି। ସେହିପରି ବୌଦ୍ଧର ଲୋକେ ୪୨ ଡିଗ୍ରି ତାପମାତ୍ରାରେ ସିଝିଛନ୍ତି। ନୂଆପଡ଼ା ୪୧.୬, ଭୁବନେଶ୍ବର, ଭବାନୀପାଟଣା, ସୁନ୍ଦରଗଡ଼ ୪୧ ଡିଗ୍ରି ଉପରେ ରହିଛି। ପାରଳାଖେମୁଣ୍ଡି, ଅନୁଗୁଳ, ଢେଙ୍କାନାଳ ୪୦.୭ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe