ଆଜି ଖୋଲିବ ବିଦ୍ୟାଳୟ; ଶ୍ରେଣୀକୁ ଆସିବେ ଛାତ୍ରଛାତ୍ରୀ, କେବଳ ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଅନୁମତି

ଅଳ୍ପ ପିଲାରେ ହେବ କ୍ଲାସ୍‌, ମାସ୍କ ପିନ୍ଧିବା ବାଧ୍ୟତାମୂଳକ, ପ୍ରସ୍ତୁତ ହୋଇଛି ଆଇସୋଲେସନ୍‌ ରୁମ୍‌

ଆଜି ଖୋଲିବ ବିଦ୍ୟାଳୟ; ଶ୍ରେଣୀକୁ ଆସିବେ ଛାତ୍ରଛାତ୍ରୀ, କେବଳ ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଅନୁମତି

ବାରିପଦା: ପ୍ରାୟ ଦଶ ମାସର ବ୍ୟବଧାନ ପରେ ପୁଣିଥରେ ଶ୍ରେଣୀଗୃହକୁ ଫେରିବେ ଛାତ୍ରଛାତ୍ରୀ। କରୋନା କାରଣରୁ ଦୀର୍ଘ ଦିନ ହେବ ବନ୍ଦ ଥିବା ପାଠପଢ଼ା ପୁଣି ଆଜିଠାରୁ ଆରମ୍ଭ ହେବ। ଅବଶ୍ୟ କେବଳ ଦଶମ ଏବଂ ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ଏବଂ ହାୟର୍‌ ସେକେଣ୍ଡାରୀ ସ୍କୁଲ୍‌କୁ ଆସିବାକୁ ଅନୁମତି ପ୍ରଦାନ କରାଯାଇଛି। ଏ ନେଇ ମୟୂରଭଞ୍ଜ ଜିଲ୍ଲାରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଜିଲ୍ଲାରେ ୫୯୨ ବିଦ୍ୟାଳୟର ପ୍ରାୟ ୩୨ହଜାର ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଶୁକ୍ରବାରଠାରୁ ବିଦ୍ୟାଳୟକୁ ଆସିବାକୁ ଅନୁମତି ପ୍ରଦାନ କରାଯାଇଛି। ତେଣୁ ଏହି ସବୁ ବିଦ୍ୟାଳୟଗୁଡ଼ିକରେ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ପ୍ରସ୍ତୁତ କରାଯିବା ସହିତ କୌଣସି ଆପତକାଳୀନ ପରିସ୍ଥିତିକୁ ମୁକାବିଲା କରିବା ନିମନ୍ତେ ଏକ ଟିମ୍‌ ମଧ୍ୟ ଗଠନ କରାଯାଇଛି।

ଶ୍ରେଣୀଗୃହର ଆୟତନକୁ ଓ ଅଳ୍ପ ଛାତ୍ରଛାତ୍ରୀଙ୍କୁ ନେଇ ପାଠ ପଢ଼ାଯିବ। ସମସ୍ତଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ବିଦ୍ୟାଳୟର ପ୍ରବେଶ ପଥରେ ସମସ୍ତ ଛାତ୍ରଛାତ୍ରୀଙ୍କ ଥର୍ମାଲ୍‌ ସ୍କ୍ରିନିଂ କରାଯିବା ସହିତ ମଝିରେ ମଝିରେ ଛାତ୍ରଛାତ୍ରୀଙ୍କ ହାତ ଧୁଆଯିବାର ବ୍ୟବସ୍ଥା ହୋଇଥିବା ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୋଷ କୁମାର ନାୟକ ସୂଚନା ଦେଇଛନ୍ତି। ସେହିପରି ଥର୍ମାଲ୍‌ ସ୍କ୍ରିନିଂରେ କୌଣସି ଦ୍ବନ୍ଦ୍ବ ଆସିଲେ ତୁରନ୍ତ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ର ସହିତ ଯୋଗାଯୋଗ କରିବାକୁ ନମ୍ବର ଜାରି କରାଯାଇଛି। କୌଣସି ସମସ୍ୟା ଉପୁଜିଲେ ଜାରି କରାଯାଇଥିବା ହେଲ୍‌ପ ଲାଇନ ନମ୍ବରରେ ଯୋଗାଯୋଗ କରିବାକୁ କୁହାଯାଇଛି।

ସମସ୍ତ ବିଷୟକୁ ଅନୁଧ୍ୟାନ କରିବା ନିମନ୍ତେ ଜିଲ୍ଲା ଏବଂ ବ୍ଲକ୍‌ ସ୍ତରରେ ସ୍ବତନ୍ତ୍ର ସ୍କ୍ବାର୍ଡ ଗଠନ କରାଯାଇଥିବା ଶ୍ରୀ ନାୟକ ପ୍ରକାଶ କରିଛନ୍ତି। ଏନେଇ ଜିଲ୍ଲାର ସମସ୍ତ ବିଦ୍ୟାଳୟଗୁଡ଼ିକ ପ୍ରାୟତଃ ପ୍ରସ୍ତୁତ ଥିବା ଜଣାପଡ଼ିଛି। ଆସନ୍ତାକାଲିଠାରୁ ୧୦୦ ଦିନ ପର୍ଯ୍ୟନ୍ତ ବିଦ୍ୟାଳୟରେ କୌଣସି ଛୁଟି ଦିନ ରହିବ ନାହିଁ। ବିଦ୍ୟାଳୟ ଖୋଲିବା ନିଷ୍ପତିରେ ଛାତ୍ରଛାତ୍ରୀମାନେ ମଧ୍ୟ ଉତ୍ସାହିତ ଥିବା ଜଣାପଡ଼ିଛି। ‌ସେହିପରି ଜିଲ୍ଲାରେ ୫୧ଟି ହାୟର୍‌ ସେକେଣ୍ଡାରୀ ସ୍କୁଲ୍‌ ରହିଛି। ଏହିସବୁ ଶିକ୍ଷାନୁଷ୍ଠାନଗୁଡ଼ିକରେ ୨ୟ ବର୍ଷ ଛାତ୍ରଛାତ୍ରୀଙ୍କ ସଂଖ୍ୟା ପ୍ରାୟ ୧୨ହଜାରରୁ ଊର୍ଧ୍ବ ହେବ ବୋଲି ଜଣାପଡ଼ିଛି।

publive-image

ବିଦ୍ୟାଳୟ ଖୋଲିବା ପୂର୍ବରୁ ଅଭିଭାବକ ଏବଂ ସମସ୍ତ ଆଚାର୍ଯ୍ୟଆଚାର୍ଯ୍ୟାମାନଙ୍କର ଏକ ସ୍ବତନ୍ତ୍ର ବୈଠକ କରାଯାଇଛି। କୋଭିଡ୍‌ ନିୟମ ଅନୁପାଳନ ପୂର୍ବକ ବିଦ୍ୟାଳୟ ଚାଲିବ। କରୋନା ମୁକାବିଲା ନିମନ୍ତେ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି। ସରକାରଙ୍କର ବିଦ୍ୟାଳୟ ଖୋଲିବା ନିଷ୍ପତି ସ୍ବାଗତ‌ଯୋଗ୍ୟ।

-ରତିକାନ୍ତ ଜେନା, ପ୍ରଧାନଆଚାର୍ଯ୍ୟ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ବାରିପଦା

କେବଳ ଦ୍ବାଦଶ ଶ୍ରେଣୀ ପିଲାମାନଙ୍କ ନିମନ୍ତେ ଶିକ୍ଷାନୁଷ୍ଠାନ ଆରମ୍ଭ ହେବ। ଏନେଇ +୨ ୨ୟ ବର୍ଷର ଛାତ୍ରଛାତ୍ରୀମାନେ ସେମାନଙ୍କର ଅଭିଭାବକଙ୍କ ନିକଟରୁ ସହମତି ପତ୍ର ଆଣିବାକୁ ହେବ। ସମସ୍ତ ଶ୍ରେଣୀ କକ୍ଷ ସଫା ହୋଇ ସାନିଟାଇଜ୍‌ କରାଯାଇଛି। କୋଭିଡ୍‌ ଗାଇଡ୍‌ଲାଇନ ଅନୁଯାୟୀ କ୍ଲାସ୍‌ ହେବ। ହ୍ବାଟ୍‌ସ ଅପ ଗ୍ରୁପ୍‌ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ‌‌କ୍ଲାସ୍‌ ଆସିବା ନେଇ ନିୟମାବଳୀ ବାବଦରେ ସୂଚନା ଦିଆଯାଇଛି। ମାସ୍କ ଏବଂ ଅନ୍ୟାନ୍ୟ ସାମଗ୍ରୀ ନଆଣିଲେ ଶ୍ରେଣୀକୁ ପ୍ରବେଶ ଅନୁମତି ଦିଆଯିବ ନାହିଁ । ଏମ୍‌ପିସି ହାୟର୍‌ ସେକେଣ୍ଡାରୀ ସ୍କୁଲ୍‌ରେ କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ଶିକ୍ଷାରେ ୧୦୭୨ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି।

-ଶୁଭଙ୍କର ସାହୁ, ଅଧ୍ୟକ୍ଷ, ଏମ୍‌ପିସି ହାୟର୍‌ ସେକେଣ୍ଡାରୀ ସ୍କୁଲ୍‌

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe