Pratidin Time
ମାନସିକ ଚାପରେ ଅଭିଭାବକ, ଛାତ୍ରଛାତ୍ରୀ
ଘରୋଇ ସ୍କୁଲରେ ପାଠପଢ଼ା ନେଇ ସ୍ପଷ୍ଟତା ନାହିଁ
ଭୁବନେଶ୍ୱର : ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଲେ ଫେବ୍ରୁ୍ଆରି ୧୪ରୁ କେଜିରୁ ୭ମ ଶ୍ରେଣୀ ପିଲାଙ୍କ କ୍ଲାସରୁମ୍ ପାଠପଢ଼ା ହେବ। ଏସ୍ଆରସି(ସ୍ବତନ୍ତ୍ର ରିଲିଫ୍ କମିସନର) ବି ସ୍କୁଲ ଖୋଲିବା ନେଇ ଗାଇଡ୍ଲାଇନ୍ ଜାରି କଲେ। ଗଣଶିକ୍ଷା ବିଭାଗ ସଚିବ ବିଷ୍ଣୁପଦ ସେଠୀ ପିଲାଙ୍କ ପାଠପଢ଼ାର ସମୟ ଧାର୍ଯ୍ୟ କରି ଜଣାଇଲେ। ଶିକ୍ଷକମାନେ ସ୍କୁଲ ଆସିବା ସହ କ୍ୟାମ୍ପସ ସଫେଇ କରିବା ସହ ବିଶୋଧନ କଲେ। ଅଭିଭାବକ ମଧ୍ୟ ନିଜ ପିଲାଙ୍କ ଲାଗି ଡ୍ରେସ୍ କିଣିଲେ। ପିଲାମାନେ ସ୍କୁଲ ଆସିବାକୁ ମାନସିକ ଭାବେ ପ୍ରସ୍ତୁତ ହୋଇସାରିଥିବା ବେଳେ ବିଭାଗୀୟ ସଚିବ ଶ୍ରୀ ସେଠୀ ଗୁରୁବାର ଦିନ ଜଣାଇଛନ୍ତି, ୧୪ରୁ ସ୍କୁଲ ଖୋଲିବ। ହେଲେ ପିଲାଙ୍କ କ୍ଲାସରୁମ୍ ପାଠପଢ଼ା ୨୮ରୁ ହେବ।
/sambad/media/post_attachments/wp-content/uploads/2021/10/school-aaa.jpg)
ଗଣଶିକ୍ଷା ସଚିବଙ୍କ ଦ୍ବାରା ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି ଯେ ଫେବ୍ରୁଆରି ୧୪ରୁ ପ୍ରଥମରୁ ୭ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଲାଗି ବିଦ୍ୟାଳୟ ଖୋଲିବାକୁ ଅନୁମତି ଦିଆଯାଇଛି। ତେବେ ବିଦ୍ୟାଳୟ କ୍ୟାମ୍ପସ ସଫେଇ ପାଇଁ ଆଉ କିଛି ସମୟ ଆବଶ୍ୟକ ବୋଲି ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କଠାରୁ ସୂଚନା ମିଳିଛି। କେତେକ ବିଦ୍ୟାଳୟରେ ମରାମତି ସହ ଅନ୍ୟ କାମ ଚାଲିଛି। ଦୁଇ ବର୍ଷ ଧରି ବିଦ୍ୟାଳୟ ବନ୍ଦ ଥିବାରୁ ଏବେ ଏହି କାର୍ଯ୍ୟ କରାଯାଉଛି। ଏଥିସହ ଏବେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଜାରି ରହିଛି। ବହୁ ଶିକ୍ଷକ, ଅଣଶିକ୍ଷକ ଓ କର୍ମଚାରୀ ପଞ୍ଚାୟତ ନିର୍ବାଚନ କାମରେ ନିୟୋଜିତ ଅଛନ୍ତି। ସେମାନେ ନିର୍ବାଚନ ପାଇଁ ପ୍ରଶିକ୍ଷଣ ସହ ଅନ୍ୟ କାମରେ ମଧ୍ୟ ବ୍ୟସ୍ତ ଅଛନ୍ତି। ଅଧିକାଂଶ ବିଦ୍ୟାଳୟରେ ନିର୍ବାଚନ କେନ୍ଦ୍ର କରାଯାଇଛି। ତେଣୁ ସେଠାରେ ନିର୍ବାଚନ ପାଇଁ ପୁଲିସ ସହ ମତଦାତା ଓ ଅନ୍ୟ କର୍ମଚାରୀଙ୍କ ଭିଡ଼ ଜମିବାର ଆଶଙ୍କା ରହିଛି। ଏହାଦ୍ବାରା ଛୋଟ ପିଲାଙ୍କ କରୋନା ଓ ସ୍ବାସ୍ଥ୍ୟଗତ କାରଣ ସୃଷ୍ଟି କରିପାରେ। ଜିଲ୍ଲାପାଳଙ୍କ ତଥ୍ୟ ଓ ପ୍ରତିକୂଳ ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂର୍ବ ନିଷ୍ପତ୍ତିରେ ପରିବର୍ତ୍ତନ କରିଛନ୍ତି। ଆସନ୍ତା ୧୪ତାରିଖରୁ ବିଦ୍ୟାଳୟ ଖୋଲିବ। ଶିକ୍ଷକ/ଶିକ୍ଷୟିତ୍ରୀ ଓ କର୍ମଚାରୀ ବିଦ୍ୟାଳୟ ଆସିବେ। କ୍ୟାମ୍ପସ ସଫେଇ ଓ ବିଶୋଧନ ଉପରେ ବିଶେଷ ଧ୍ୟାନ ଦେବେ। ମାତ୍ର ଛାତ୍ରଛାତ୍ରୀ ବିଦ୍ୟାଳୟ ଆସିବେ ନାହିଁ। ସେମାନେ ଅନ୍ଲାଇନ୍ ମାଧ୍ୟମରେ ପାଠ ପଢ଼ିବେ। ଛାତ୍ରଛାତ୍ରୀ ଚଳିତ ମାସ ୨୮ରୁ ବିଦ୍ୟାଳୟ ଆସିବେ। ସେହି ଦିନଠାରୁ ବିଦ୍ୟାଳୟରେ ଶ୍ରେଣୀଗୃହ ଶିକ୍ଷାଦାନ ସ୍ବାଭାବିକ ହେବ ବୋଲି ଚିଠିରେ ଉଲ୍ଲେଖ ରହିଛି।
Image Courtesy of India.comପୂର୍ବ ବିଭାଗର ଚିଠିରେ ସରକାରୀ, ଅନୁଦାନପ୍ରାପ୍ତ ଓ ଘରୋଇ ବିଦ୍ୟାଳୟରେ ୧୪ରୁ କ୍ଲାସରୁମ୍ ପାଠପଢ଼ା ହେବ ବୋଲି କୁହାଯାଇଥିଲା। ମାତ୍ର ଆଜିର ଚିଠିରେ ସେ ବିଷୟରେ କିଛି ଉଲ୍ଲେଖ ହୋଇନାହିଁ। ଏଥିପାଇଁ ଘରୋଇ ବିଦ୍ୟାଳୟ କର୍ତ୍ତୃପକ୍ଷ ଏବେ ଦ୍ବନ୍ଦ୍ବରେ ପଡ଼ିଛନ୍ତି। ଆସନ୍ତା ୧୪ତାରିଖଠାରୁ ସେମାନେ ପିଲାଙ୍କ କ୍ଲାସରୁମ୍ ପାଠପଢ଼ା କରିବେ କି ନାହିଁ ଜାଣିପାରୁ ନାହାନ୍ତି। ସେହିପରି ପ୍ରଥମରୁ ୭ମ ଶ୍ରେଣୀ ପିଲାଙ୍କ ପାଠପଢ଼ା ୨୮ରୁ ହେବ। ମାତ୍ର ପ୍ରି-ସ୍କୁଲ ଖୋଲିବା ଏବଂ ଛାତ୍ରଛାତ୍ରୀଙ୍କ କ୍ଲାସ ହେବା ନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ। ୨୮ତାରିଖଠାରୁ ଫିଜିକାଲ କ୍ଲାସ ଆରମ୍ଭ ହେବ ବୋଲି କୁହାଯାଇଛି ଅର୍ଥାତ୍ ଆଉ ଅନ୍ଲାଇନ୍/ହାଇବ୍ରିଡ୍ ମୋଡ୍ କ୍ଲାସ ହେବ ନାହିଁ କି? ଏଭଳି ବିଭିନ୍ନ ପ୍ରଶ୍ନ ଏବେ ଅଭିଭାବକଙ୍କ ମହଲରେ ଉଙ୍କି ମାରିବାରେ ଲାଗିଛି।
ଏହା ପ୍ରଥମ ଘଟଣା ନୁହେଁ, ପୂର୍ବରୁ ବି ରାଜ୍ୟ ସରକାର ଓ ଗଣଶିକ୍ଷା ବିଭାଗର ଅଧିକାରୀମାନେ ବାରମ୍ବାର ପିଲାଙ୍କ ପାଠପଢା ପାଇଁ ଗୋଟିଏ ପରେ ତାରିଖ ଘୋଷଣା କରିଛନ୍ତି ଓ ପରେ ପୁଣି ବଦଳାଇ ଦେଇଛନ୍ତି। କରୋନା ବଢ଼ୁଥିବା ସମୟରେ ଜାନୁଆରି ପ୍ରଥମ ସପ୍ତାହରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିବ ବୋଲି ଘୋଷଣା କରାଯାଇଥିଲା। ମାତ୍ର ଶେଷ ମୁହୂର୍ତ୍ତରେ ନିଷ୍ପତ୍ତିରେ ପରିବର୍ତ୍ତନ କରାଗଲା ଏବଂ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ନିଷ୍ପତ୍ତି ସ୍ଥଗିତ ରହିଥିଲା। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କାର୍ଯ୍ୟରେ ସ୍କୁଲଗୁଡ଼ିକୁ ମୁଖ୍ୟତଃ ବ୍ୟବହାର କରାଯିବ। ତା’ପରେ ବି ୧୪ ତାରିଖରୁ ସ୍କୁଲ ଖୋଲିବାକୁ ରାଜ୍ୟ ସରକାର କିଭଳି ନିଷ୍ପତ୍ତି ନେଇଗଲେ? ସରକାରୀ ବାବୁମାନଙ୍କ ଦୂରଦୃଷ୍ଟି ନାହିଁ ବୋଲି ଅଭିଭାବକମାନେ ମତ ପ୍ରକାଶ କରିଛନ୍ତି।
Follow Us